ମୁମ୍ବାଇ,୩୦/୦୫: ମହାରାଷ୍ଟ୍ରରେ ଦୁଇ ଡାକ୍ତରଙ୍କ ଭିତରେ କଥାବାର୍ତ୍ତାର ଏକ ଅଡିଓ ଭାଇରାଲ ହୋଇଛି । ଏଥିରେ ଜଣେ ଡାକ୍ତର ନିଜ ସହକର୍ମୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି, ‘ତୁମେ ସେହି ମହିଳା କରୋନୀ ରୋଗୀଙ୍କୁ ମାରିଦିଅ’ । ଏହି ଅଡିଓ ୨୦୨୧ରେ କୋଭିଡ୍ ମହାମାରୀ ସମୟର ବୋଲି କୁହାଯାଉଛି । ଅଡିଓ ଭାଇରାଲ ହେବା ପରେ ପୁଲିସ ଦୁଇ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଅଡିଓରେ ଅଭିଯୁକ୍ତ ଡାକ୍ତର ଶଶିକାନ୍ତ ଦେଶପାଣ୍ଡେ ଏବଂ ଡାକ୍ତର ଶଶିକାନ୍ତ ଡାଙ୍ଗେ କଥାବର୍ତ୍ତା ହେଉଥିବା ଶୁଣିବାକୁ ମିଳିଥିଲା । ଡାକ୍ତର ଦେଶପାଣ୍ଡେ ୨୦୨୧ରେ କୋଭିଡ୍ ମହାମାରୀବେଳେ ଲାତୁରର ଉଦଗିରି ସରକାରୀ ହସ୍ପିଟାଲରେ ଅତିରିକ୍ତ ଜିଲ୍ଲା ସର୍ଜନ ଥିଲେ । ଡାକ୍ତର ଡାଙ୍ଗେ ଏକ କୋଭିଡ୍-୧୯ କେୟାର ସେଣ୍ଟରରେ ମୁତୟନ ଥିଲେ । ଏହି ଅଡିଓ କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଏବଂ ହସ୍ପିଟାଲରେ ରୋଗୀଙ୍କ ଭିଡ଼ ଲାଗିଥିବାବେଳର । ସେହି ସମୟରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଡାକ୍ତରଖାନାରେ ସମ୍ବଳର ଅଭାବ ଦେଖାଦେଇଥିଲା ।
ରିପୋର୍ଟ ଅନୁସାରେ, ଅଡିଓରେ ଡା. ଦେଶପାଣ୍ଡେ ଡା. ଡାଙ୍ଗେଙ୍କୁ କହୁଛନ୍ତି ଯେ କାହାରିକୁ ଭିତରକୁ ଛାଡ଼ନାହିଁ । ସେହି ମହିଳାଙ୍କୁ ମାରିଦିଅ । ଏହା ଉପରେ ଡା. ଡାଙ୍ଗେ ସାବଧାନତାପୂର୍ଣ୍ଣ ଜବାବ ଦେଇ କହୁଛନ୍ତି ଯେ, ପୂର୍ବରୁ ହିଁ ଅକ୍ସିଜେନ ସପୋର୍ଟ କମ୍ କରିଦିଆଯାଇଛି । ଚିକିତ୍ସିତ ହେବାକୁ ଆସିଥିବା ମହିଳା ଜଣକ ହେଲେ ଦୟାମୀ ଅଜିମୋଦିନ୍ ଗୌସୋଦ୍ଦିନ୍(୫୩) ଙ୍କ ସ୍ତ୍ରୀ କୌସର ଫାତିମା । କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ୨୦୨୧ ଏପ୍ରିଲ ୧୫ରେ ଉଦଗିର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଫାତିମାଙ୍କୁ ହସ୍ପିଟାଲର କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ସେଠାରେ ସେ ୧୦ ଦିନ ରହିଥିଲେ । ଭର୍ତ୍ତି ହେବାର ୭ମ ଦିନରେ ସେ ଖାଉଥିବା ସମୟରେ ଡାକ୍ତର ଡାଙ୍ଗେ ତାଙ୍କ ପାଖରେ ଥିଲେ । ସେହି ସମୟରେ ଡା. ଦେଶପାଣ୍ଡେଙ୍କ ଫୋନ୍ ଆସିଥିଲା ଏବଂ ଡା. ଡାଙ୍ଗେ ତାଙ୍କ ସହ କଥା ହୋଇଥିଲେ । ଦେଶପାଣ୍ଡେ କହିଥିଲେ, ‘ଦୟାମୀ ରୋଗୀଙ୍କୁ ମାରିଦିଅ । ଏପରି ଲୋକଙ୍କ ସହ ଡିଲ୍ କରିବା ଅଭ୍ୟାସ ତୁମର ଅଛି ।’ ପୁଲିସ ଡା. ଦେଶପାଣ୍ଡେଙ୍କ ମୋବାଇଲ ଫୋନ୍ ଜବତ କରିଛି । ଦୁଇ ଡାକ୍ତରଙ୍କୁ ନୋଟିସ୍ ମଧ୍ୟ ଜାରି ହୋଇଛି । ଡା. ଡାଙ୍ଗେ ଜିଲ୍ଲାକୁ ଫେରିବା ପରେ ତାଙ୍କ ମୋବାଇଲ ଜବତ କରାଯାଇ ଯାଞ୍ଚ ହେବ ବୋଲି ପୁଲିସ କହିଛି ।
ଫାତିମାଙ୍କ ସ୍ୱାମୀ ଅଜିମୋଦିମ୍ କହିଛନ୍ତି, ତାଙ୍କ ସ୍ତ୍ରୀଙ୍କ ପାଇଁ ବେଡ୍ ନାହିଁ ବୋଲି ପ୍ରଥମେ କୁହାଯାଇଥିଲା । ଡାକ୍ତର ଜଣକ ଫାତିମାଙ୍କୁ ମାରିଦେବାକୁ ମଧ୍ୟ କହିଥିଲେ । ହେଲେ ସେତେବେଳେ ସ୍ତ୍ରୀ ଅସୁସ୍ଥ ଥିବାରୁ ସେ ଚୁପ୍ ରହିଥିଲେ । କିଛି ଦିନ ପରେ ଫାତିମା ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏପରି କରି ଡାକ୍ତର ତାଙ୍କ ଧାର୍ମିକ ଭାବନାକୁ ଆହତ କରିଛନ୍ତି ବୋଲି ଅଜିମୋଦିମ୍ ଅଭିଯୋଗ କରିଛନ୍ତି ।