ନୂଆଦିଲ୍ଲୀ,୩୦/୦୫: ଏତେ ସରି ହେବା ପରେ ବି ମୁହଁଫୁଟାଣି ଛାଡୁନି ପାକିସ୍ତାନ । ସୁଧୁରିବାର ନାଁ ନେଉନାହିଁ । ଅପରସେନ୍ ସିନ୍ଦୂରରେ ଭାରତର ପ୍ରଚଣ୍ଡ ପ୍ରହାରରେ ଛାରଖାର ହୋଇଥିବା ଆତଙ୍କୀସ୍ଥାନ ଫୁଟାଣି ମାରିବା ଜାରି ରଖିଛି । ପହଲଗାମ ହମଲାର ମାଷ୍ଟରମାଇଣ୍ଡ ବୋଲାଉଥିବା ପାକ୍ ସେନାମୁଖ୍ୟ ଆସିମ୍ ମୁନୀର ଅନେକ ଥର ଭାରତ ବିରୋଧରେ ବୟାନ ଦେଇଛନ୍ତି । ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳୁଛନ୍ତି ପାକ୍ ଫିଲ୍ଡ ମାର୍ଶାଲ ଆସିମ୍ ମୁନୀର । ଏବେ ସିନ୍ଧୁ ଜଳ ଚୁକ୍ତିକୁ ନେଉ ଆଉ ଏକ ବୟାନ ଦେଇଛନ୍ତି ।
ମୁନୀର କହିଛନ୍ତି, ''ପାକିସ୍ତାନ ପାଣି ମୁଦ୍ଦାକୁ ନେଇ କୌଣସି ବୁଝାମଣା କରିବ ନାହିଁ । ଇସଲାମାବାଦ ପାଣି ମାମଲାରେ କିଛି ବୁଝାମଣା କରିବ ନାହିଁ । କେବେ ନଇଁବନାହିଁ । ପାଣି ପାକିସ୍ତାନର ରେଡ୍ ଲାଇନ୍ । ସିନ୍ଧୁ ଜଳ ଚୁକ୍ତି ପାକ୍ ପାଇଁ ଲକ୍ଷ୍ମଣ ରେଖା । କାରଣ ଏହି ଦେଶ ୨୪ କୋଟି ଲୋକଙ୍କ ମୂଳ ଅଧିକାର ସହ ଜଡ଼ିତ । ପାକିସ୍ତାନ କେବେ ବି ଭାରତର କଥା ମାନିବ ନାହିଁ । ଆମେ ଭାରତର ୬ ଏୟାରକ୍ରାଫ୍ଟକୁ ଖସାଇ ଦେଇଛୁ । ଯେଉଁଥିରେ ୩ ରାଫେଲ ଅଛି । ୧୨ଟି ଡ୍ରୋନ୍ ରହିଛି । ପାକିସ୍ତାନ କାଶ୍ମୀର ବିବାଦ ଉପରେ କେବେବି ବୁଝାମଣା କରିବ ନାହିଁ । ଭାରତକୁ ଏହା ବୁଝିବାକୁ ପଡିବ କି ପାକିସ୍ତାନ କେବେ ବି କାଶ୍ମୀରକୁ ଭୁଲିବ ନାହିଁ କି ଛାଡିବ ନାହିଁ ।''
ଗତ ଏପ୍ରିଲ ୨୨ରେ ଦେଶକୁ ଦୋହଲାଇ ଦେଇଥିବା ପହଲଗାମ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଆସୀମ୍ ମୁନୀର । ଏହି ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ ଜଣେ ନେପାଳୀ ନାଗରିକ ଥିଲେ । ଚୌକି ବଞ୍ଚାଇବାକୁ ଆସୀମ୍ ମୁନୀର ଏହି ଷଡ଼ଯନ୍ତ୍ର କରିଥିଲେ । ଆଇଏସ୍ଆଇ୍କୁ ଦାୟିତ୍ୱ ଦେଇଥିଲେ । ଏହି ଖୁଲାସା କରିଥିଲେ ପାକ୍ ପୂର୍ବତନ ମେଜର ଆଦିଲ ରାଜା ।
ପହଲଗାମ ହମଲା ପରେ ଭାରତ ପାକିସ୍ତାନ ଉପରେ ୱାଟର ଷ୍ଟ୍ରାଇକ୍ କରିଥିଲା । ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଥିଲା । ପହଲଗାମ ପ୍ରତିଶୋଧ ନେଇ ମେ ୬-୭ ବିଳମ୍ବିତ ରାତିରେ ଅପରେସନ୍ ସିନ୍ଦୂର ଲଞ୍ଚ କରିଥିଲା । ପାକିସ୍ତାନ ଓ ପିଓକେ ସମେତ ୯ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇ ଦେଇଥିଲା । ଏଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । 'ଅପରେସନ୍ ସିନ୍ଦୂର' ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି । ୫ ବର୍ଷ ପଛକୁ ପଳାଇଛି ପାକିସ୍ତାନ ।