ନୂଆଦିଲ୍ଲୀ,୩୦/୦୫: ଅପରେସନ୍ ସିନ୍ଦୂର ମାଧ୍ୟମରେ, ଭାରତ ପୁଣି ଥରେ କେବଳ ପାକିସ୍ତାନକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ତାର ଶକ୍ତି ଦେଖାଇଛି। ଏହାରିଭିତରେ, ଭାରତର ଅନ୍ୟାନ୍ୟ କ୍ଷେପଣାସ୍ତ୍ର ପ୍ରଣାଳୀ ସହିତ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିଶାଇଲ ପ୍ରଣାଳୀ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନାର ବିଷୟ ପାଲଟିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏକ ସାର୍ବଜନୀନ ମଞ୍ଚରେ ସ୍ୱୀକାର କରିଛନ୍ତି ଯେ ଭାରତୀୟ ବାୟୁସେନାର ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପାକିସ୍ତାନୀ ଶିବିର ଉପରେ ଆକ୍ରମଣ କରିଛି। ପୁଣିଥରେ ଏହା ପ୍ରମାଣିତ ହୋଇଛି ଯେ ବ୍ରହ୍ମୋସ୍ ହେଉଛି ଭାରତର ଏୟାରଆଟାକ୍ର ମେରୁଦଣ୍ଡ, ଯେଉଁଥିରେ ସେନା ଏବଂ ନୌସେନାର ବ୍ରହ୍ମୋସ୍ ୟୁନିଟ୍ ଅପରେସନ୍ ଆଗକୁ ବଢ଼ିବା ସହିତ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲେ।
ସୁପରସୋନିକ କ୍ରୁଜ୍ ମିଶାଇଲ:
ବ୍ରହ୍ମୋସ୍, ଭାରତ ଏବଂ ରୁଷ ଦ୍ୱାରା ମିଳିତ ଭାବରେ ବିକଶିତ କିନ୍ତୁ ଭାରତରେ ବିଶେଷ ଭାବେ ନିର୍ମିତ ଏକ ସୁପରସୋନିକ୍ କ୍ରୁଜ୍ ମିଶାଇଲ ଅଟେ, ଯାହାକି ଶବ୍ଦର ବେଗଠାରୁ ତିନିଗୁଣ ବେଗରେ ଉଡ଼େ ଏବଂ ୪୦୦ କିଲୋମିଟର ଦୂର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରେ। ତାମିଲନାଡୁ ସ୍ଥିତ ଏକ ସ୍କ୍ୱାର୍ଡନ୍ରୁ ଭାରତୀୟ ବାୟୁସେନାର IAF Su-30MKI ଲଢ଼ୁଆ ବିମାନରୁ ନିକ୍ଷେପ କରାଯାଇଥିବା ଭର୍ସନ ଅପରେସନ୍ ସିନ୍ଦୂର ସମୟରେ ଭାରତର ଏୟାରଷ୍ଟ୍ରାଇକର ସର୍ବୋଚ୍ଚ ସ୍ଥାନରେ ଥିଲା। ଏହାରିଭିତରେ ଭାରତୀୟ ସେନାର ବ୍ରହ୍ମୋସ୍ ଲଞ୍ଚ ୟୁନିଟ୍କୁ ହାଇ ଆଲର୍ଟରେ ରଖାଯାଇଥିଲା। ବଢ଼ୁଥିବା ଉତ୍ତେଜନା ସମୟରେ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ଭାରତୀୟ ନୌସେନା ଯୁଦ୍ଧଜାହାଜକୁ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରଖାଯାଇଥିଲା।
ବ୍ରହ୍ମୋସକୁ ନେଇ ଭାରତର ପ୍ଳାନ ଫାଇଭ୍:
* ୮୦୦ କିଲୋମିଟର ଷ୍ଟ୍ରାଇକ୍ ରେଞ୍ଜ ସହିତ ବ୍ରହ୍ମୋସର ଏକ ଏକ୍ସଟେଣ୍ଡେଡେଡ୍-ରେଞ୍ଜ ଭର୍ସନ ପାଇପଲାଇନରେ ଅଛି।
* ବ୍ରହ୍ମୋସ ମିଶାଇଲର ବୁଡ଼ାଜାହାଜରୁ ଲଞ୍ଚ କରାଯାଇଥିବା ଭର୍ସନ ଖୁବ୍ ଶୀଘ୍ର ପୁଣି ଥରେ ପରୀକ୍ଷଣ କରାଯିବ ଏବଂ ଭାରତର P75I କାର୍ଯ୍ୟକ୍ରମରେ ବୁଡ଼ାଜାହାଜରେ ଏହା ବାସ୍ତବରେ ପରିଣତ ହେବ
* ରାଫେଲ ଏବଂ ଅନ୍ୟାନ୍ୟ ଯୁଦ୍ଧ ବିମାନ ପାଇଁ ଏକ ଛୋଟ ଏବଂ ହାଲୁକା ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକଶିତ କରାଯିବ।
* ଏକ ହାଇପରସୋନିକ୍ ବ୍ରହ୍ମୋସ ଉପରେ ମଧ୍ୟ କାମ ଚାଲିଛି, ଯାହା ଏହାର ଗତିକୁ ପରବର୍ତ୍ତୀ ସ୍ତରକୁ ନେଇଯିବ।
* ରଣନୈତିକ ଦୃଷ୍ଟିରୁ, ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ରପ୍ତାନି ଆରମ୍ଭ ହୋଇସାରିଛି। ଫିଲିପାଇନ୍ସ ବ୍ରହ୍ମୋସ୍ କିଣିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଛି, ଏବଂ ଭିଏତନାମ ମଧ୍ୟ ଏଥିରେ ସାମିଲ ହୋଇଛି ବୋଲି ଜଣାପଡ଼ିଛି। ଅନ୍ୟ ଅନେକ ଦକ୍ଷିଣ-ପୂର୍ବ ଏସୀୟ ଏବଂ ମଧ୍ୟପ୍ରାଚ୍ୟ ଦେଶ ମଧ୍ୟ ବ୍ରହ୍ମୋସ୍ ପ୍ରତି ଆଗ୍ରହ ଦେଖାଇଛନ୍ତି। ଫିଲିପାଇନ୍ସରେ ବ୍ରହ୍ମୋସର ଏକ ଦଳର ଆଲୋନଚା, ଦ୍ୱିତୀୟ ଅର୍ଡରର ସମ୍ଭାବନାକୁ ଏଡ଼ାଇ ପାରିବ ନାହିଁ।
ବ୍ରହ୍ମୋସ୍ କ୍ଷେପଣାସ୍ତ୍ରକୁ ଅଟକାଇବାରେ ଚୀନ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବିଫଳ ହେବା ପରେ ଭାରତର ବଢ଼ୁଥିବା କ୍ଷେପଣାସ୍ତ୍ର ପ୍ରଣାଳୀକୁ ମୁକାବିଲା କରିବା ପାଇଁ ପାକିସ୍ତାନର କ୍ଷମତା ଉପରେ ଗମ୍ଭୀର ପ୍ରଶ୍ନ ଉଠିଛି। ଏହା ପ୍ରଥମ ଥର ନୁହେଁ ଯେ ବ୍ରହ୍ମୋସ୍ ପାକିସ୍ତାନୀ ବାୟୁକ୍ଷେତ୍ରରେ ପ୍ରବେଶ କରିଛି। ୨୦୨୨ରେ ଏକ ପରୀକ୍ଷଣରେ ଅକସ୍ମାତ ଏହାର ପହଞ୍ଚ ଏବଂ କ୍ଷମତାକୁ ସୂଚାଇ ଦେଇଥିଲା।