ଭୁବନେଶ୍ୱର ୨୬/୧୧: ରାଜ୍ୟରେ ସରିଲା ଶୀତକାଳୀନ ହାତୀ ଗଣନା । ବୁଧବାର ଆସିବ ବିସ୍ତୃତ ରିପୋର୍ଟ। ରାଜ୍ୟରେ ଅଛନ୍ତି କେତେ ହାତୀ ହେବ ସ୍ପଷ୍ଟ। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି।
ପିସିସିଏଫ ଆହୁରି କହିଛନ୍ତି ଯେ, ଏବେ ବିଭିନ୍ନ ବନଖଣ୍ଡରୁ ଆସିଥିବା ରିପୋର୍ଟକୁ ତର୍ଜମା କରାଯାଉଛି । ଯେମିତି କୌଣସି ହାତୀ ୨ଥର ଗଣତି ନହୁଏ ସେଥିପାଇଁ ଫିଲ୍ଡ ଡାଟାର ତାଳମେଳ କରାଯାଉଛି । ଜିପିଏସ କୋଅର୍ଡିନେଟକୁ ତନ୍ନତନ୍ନ ଯାଞ୍ଚ କରାଯାଉଛି । ଖରା ଦିନେ ହୋଇଥିବା ଗଣନା ବେଳେ ଯେଉଁ ହାତୀ ଗୁଡିକ ଅଭୟାରଣ୍ୟ ଭିତରେ ଥିଲେ ଏବେ ସେମାନେ ଜନବସତିମୁହାଁ ହୋଇଛନ୍ତ। ସେସବୁ ତଥ୍ୟ ଏକାଠି କରାଯାଉଛି ।
ବୁଧବାର ହାତୀଗଣନାର ସଂପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବ । ରିପୋର୍ଟ ଆସିବା ପରେ କହିହେବ ରାଜ୍ୟର ବିଭିନ୍ନ ଜଙ୍ଗଲରେ କେତେ ସଂଖ୍ୟକ ହାତୀ ରହିଛନ୍ତି। ଝାଡଖଣ୍ଡ ଛତିଶଗଡ ଓ ପଶ୍ଚିମବଙ୍ଗରୁ କେତେ ହାତୀ ରାଜ୍ୟକୁ ଆସିଛନ୍ତି । ଯେ ପର୍ଯ୍ୟନ୍ତ ରିପୋର୍ଟ ଚୂଡ଼ାନ୍ତ ହୋଇନି, ରାଜ୍ୟରେ କେତେ ହାତୀ କହିବା କେବଳ ଏକ ଆକଳନ ହେବ । ମଙ୍ଗଳବାର ରିପୋର୍ଟ ଚୂଡ଼ାନ୍ତ ହେଉଛି, ବୁଧବାର ସନ୍ଧ୍ୟା ସୁଦ୍ଧା କୁହାଯାଇ ପାରିବ, ରାଜ୍ୟରେ କେତେ ହାତୀ ଅଛନ୍ତି । ଗତ ଗଣନାରେ ରାଜ୍ୟରେ ୨୦୯୮ ହାତୀ ଥିଲେ।