ଭୁବନେଶ୍ୱର,୧୭/୦୨: ଖୁବଶୀଘ୍ର ଆସିବ ବଡ଼ ଖବର । ଦୂର ହେବ ପାର୍ଟ ପ୍ଲଟ ଦୁଃଖ । ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ (ସବ୍ ପ୍ଲଟ) ହେବ କଟକଣାମୁକ୍ତ । ଏହି ଜମି କିଣାବିକାରେ ଲାଗିବନି ରୋକ୍ । ସାଧାରଣ ଲୋକଙ୍କ ଦୁଃଖ ବୁଝି ଏଭଳି ପଦକ୍ଷେପ ନେବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, ରାଜ୍ୟ ସରକାର ଏ ଦିଗରେ ସକାରାତ୍ମକ ଚିନ୍ତନ କରିଛନ୍ତି । ଚିଠା ନିୟମ ପ୍ରସ୍ତୁତ ସରିଛି । ଆଇନ ବିଭାଗ ଓ ଆଡଭୋକେଟ ଜେନେରାଲଙ୍କଠାରୁ ସବୁଜ ସଙ୍କେତ ମିଳିଛି । ପ୍ରଥମ ପର୍ଯ୍ୟାୟରେ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ପାର୍ଟ ପ୍ଲଟ ବିକ୍ରି କରିହେବ । ଏହା ଉପରେ କିଛି କଟକଣା ରହିବନି । ସପ୍ତାହକ ଭିତରେ ନୂଆ ବିଜ୍ଞପ୍ତି ଜାରି ହେବ । ଶ୍ରୀ ପୂଜାରୀ କହିଛନ୍ତି, ଏଭଳି କଟକଣା ହଟିଲେ ବହୁ ଲୋକ ଉପକୃତ ହେବେ । ବିଶେଷ କରି ଝିଅ ବାହାଘର କିମ୍ବା ଚିକିତ୍ସା ଖର୍ଚ୍ଚ କାରଣରୁ ଯେଉଁମାନେ ନିଜ ବଡ଼ ପ୍ଲଟର ପାର୍ଟ ପ୍ଲଟ ବିକ୍ରି କରିବାକୁ ଚାହିଁବେ, ସେମାନଙ୍କ ପାଇଁ ଆଉ ବାଧକ ରହିବନି ।
କେବଳ ସେତିକି ନୁହେଁ, ପ୍ଲଟିଂ ସ୍କିମ୍ ଓ ଆପାର୍ଟମେଣ୍ଟ ନେଇ ମଧ୍ୟ ନୂଆ ନିୟମ ଅଣାଯିବ । ପ୍ଲଟିଂ ସ୍କିମ୍ ପାଇଁ ନିୟମ ଆହୁରି କଠୋର ହେବ । ପ୍ଲଟିଂ ସ୍କିମ୍ରେ ଜମି/ଘର ବିକ୍ରି କରିବା ଆଗରୁ ପ୍ରଥମେ ରାସ୍ତା ପାଇଁ ନିର୍ଦ୍ଦିଷ୍ଟ ଜାଗା ଚିହ୍ନଟ ହେବ । ଜମି ମାଲିକ ପ୍ରଥମେ ରାସ୍ତା ପାଇଁ ଚିହ୍ନଟ ଜମିକୁ ପୌର ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନକୁ ହସ୍ତାନ୍ତର କରିବେ । ପ୍ରଥମେ ରାସ୍ତା ତିଆରି ହେବ । ତା’ପରେ ଜମି ମାଲିକ ପ୍ଲଟିଂ ସ୍କିମ୍ ଆଗେଇବା ପାଇଁ ସାର୍ଟିଫିକେଟ ପାଇବେ ।
ଏବେ ଭୁବନେଶ୍ୱର ଉପକଣ୍ଠ ସମେତ ଅନେକ ଅଞ୍ଚଳରେ ଲୋକେ ପ୍ଲଟିଂ ସ୍କିମ୍ରେ ଜମି/ଘର କିଣି ଫସିଛନ୍ତି । ଘରକୁ ରାସ୍ତା ନାହିଁ । ଯେଉଁଠି ରାସ୍ତା ଅଛି, ତା’ ଅବସ୍ଥା ନ କହିବା ଭଲ । ମାତ୍ର ମାଲିକାନା ସରକାରଙ୍କ ପାଖରେ ନଥିବାରୁ ପୌର କିମ୍ବା ବ୍ଲକ ପ୍ରଶାସନ ସେ ରାସ୍ତା ତିଆରି କରିପାରୁନାହାନ୍ତି ।
ସେହିପରି ଆପାର୍ଟମେଣ୍ଟ ବିକ୍ରି ନେଇ ଆସିବ ନୂଆ ନିୟମ । ଆପାର୍ଟମେଣ୍ଟ କିଣାବିକା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ବିଲ୍ଡର ଦେଇଥାନ୍ତି, ଅନେକ ସମୟରେ ପାଳନ କରନ୍ତି ନାହିଁ । ବିଶେଷ କରି ସୋସାଇଟି ପାଇଁ ସର୍ବସାଧାରଣ ସ୍ଥାନ (କମନ୍ ସ୍ପେସ୍) ପ୍ରଦାନ କରିବାକୁ ବିଲ୍ଡର ନାନା ହଇରାଣ କରନ୍ତି । ଏଣିକି ସେଭଳି ମନମାନି ଚଳିବ ନାହିଁ । ବିଲ୍ଡର ଆପାର୍ଟମେଣ୍ଟ ତିଆରି ପୂର୍ବରୁ ପ୍ରଥମେ ସୋସାଇଟି ନାଁରେ ସର୍ବସାଧାରଣ ସ୍ଥାନ ହସ୍ତାନ୍ତର କରିବେ । ଜିମ୍, ରିକ୍ରିଏସନ ସେଣ୍ଟର ପ୍ରଥମେ ନିର୍ମାଣ କରିବେ । ତା’ପରେ ଆପାର୍ଟମେଣ୍ଟରେ ଫ୍ଲାଟ ବିକ୍ରି କରିପାରିବେ ।
ପାର୍ଟ ପ୍ଲଟ କିଣାବିକା ବନ୍ଦ ଥିବାରୁ ସରକାର ମୋଟା ଅଙ୍କର ରାଜସ୍ୱ ହରାଉଛନ୍ତି । ୨୦୨୪-୨୫ ଆର୍ଥିକ ବର୍ଷରେ ଗତ ଡିସେମ୍ବର ସୁଦ୍ଧା ଷ୍ଟାମ୍ପ ଡ୍ୟୁଟି ଓ ରେଜିଷ୍ଟ୍ରେସନ ଫି’ ବାବଦକୁ ଆଦାୟ ହୋଇଥିଲା ୧୪୯୯ କୋଟି ଟଙ୍କା । ଲକ୍ଷ୍ୟ ଥିଲା ୨୪୧୭ କୋଟି ଟଙ୍କା । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଡିସେମ୍ବର ସୁଦ୍ଧା (୯ ମାସରେ) ୧୫୧୩ କୋଟି ଟଙ୍କା ଆଦାୟ ହୋଇଥିଲା । ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ବନ୍ଦ ଏହାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।
ଆଜି ରାଜ୍ୟ ବଜେଟ୍ ୨୦୨୫-୨୬, ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଉଚ୍ଚ ଆକାଂକ୍ଷାକୁ ସମ୍ବଳ ଚିନ୍ତା