ଭୁବନେଶ୍ୱର, ୦୮/୦୫ : ଗୁରୁବାରଠାରୁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ବଢ଼ିପାରେ । ସମ୍ବଲପୁର ଓ ଝାରସୁଗୁଡ଼ାରେ ତାତି ୪୩ ଡିଗ୍ରୀ ଛୁଇଁବ । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଗରମ ଓ ଗୁଳୁଗୁଳି ମଧ୍ୟ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଗୁରୁବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସମ୍ଭାଳ ଗରମ ସହିତ ଗୁଳୁଗୁଳି ସ୍ଥିତି ରହିବ । ଶୁକ୍ରବାର ସମ୍ବଲପୁର ଓ ଝାରସୁଗୁଡ଼ାରେ ଗ୍ରୀଷ୍ମପ୍ରବାହ ଅଧିକ ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ।
ଶନିବାର ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ । ରବିବାର (୧୧ ତାରିଖ) ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ ଓ ସୁନ୍ଦରଗଡ଼ରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ହେବ । ୧୨ ତାରିଖ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମଲହରୀ ବହିବ । ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ବୌଦ୍ଧ, ସୁନ୍ଦରଗଡ଼, ବରଗଡ଼ ଓ ସୋନପୁରରେ ଗ୍ରୀଷ୍ମଲହରି ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରାଜ୍ୟକୁ ଧୀରେ ଧୀରେ ତାତି ଫେରୁଛି । ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ୨ରୁ ୩ ଡିଗ୍ରୀ ବଢ଼ିଛି ।
ବୁଧବାର ଦିନ ସାଢ଼େ ୧୧ଟା ବେଳକୁ ଝାରସୁଗୁଡ଼ାରେ ତାପମାତ୍ରା ୩୭.୮ ଡିଗ୍ରୀ ରେକର୍ଡ ହୋଇଥିଲା । ପରେ ଏହା ୪୦.୪ ଡିଗ୍ରୀକୁ ବଢ଼ିଥିଲା । ସାଢ଼େ ୧୧ଟାରେ ସମ୍ବଲପୁରରେ ୩୭.୬ ଡିଗ୍ରୀ ଥିବାବେଳେ ପରେ ଏହା ବଢ଼ି ୪୧ ଡିଗ୍ରୀରେ ପହଞ୍ଚିଥିଲା । ହୀରାକୁଦରେ ୩୬.୬ଡିଗ୍ରୀ ଓ ରାଉରକେଲାରେ ୩୫.୨ ଥିବାବେଳେ ପରେ ଏହା ୩୯.୬ ଓ ୩୮.୨ କୁ ବଢ଼ିଥିଲା । ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଥିଲା । ବଲାଙ୍ଗିରରେ ୪୦.୮ ଡିଗ୍ରୀ ରହିଥିଲା ।