ଭୁବନେଶ୍ୱର, ୦୮/୦୫ : ଉପଭୋକ୍ତାଙ୍କୁ ଚକମା ଦେଖାଉଛି ବିଦ୍ୟୁତ ବିଭାଗ । ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ବିଭିନ୍ନ ବିଦ୍ୟୁତ ବଣ୍ଟନ କମ୍ପାନୀ ଆଉ ବିଜୁଳି କାଟ ହେବନି କହୁଛନ୍ତି । ହେଲେ ପ୍ରକୃତ ସ୍ଥିତି ଏମିତି ଯେ ପତ୍ର ହଲିଲେ ଘଣ୍ଟା ଘଣ୍ଟା ଧରି ଚାଲିଯାଉଛି ବିଜୁଳି । ଏମିତି ଅବସ୍ଥା ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଦେଖିବାକୁ ମିଳୁଛି । କିଛି ସ୍ଥାନରେ ଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଅନ୍ୟ କିଛି ସ୍ଥାନରେ ହେଉଛି ଅଘୋଷିତ ବିଦ୍ୟୁତ କାଟ । କିଛି ସ୍ଥାନରେ ବିଦ୍ୟୁତ ରହୁଥିଲେ ମଧ୍ୟ ଦାଉ ସାଧୁଛି ଲୋ-ଭୋଲଟେଜ୍‌ । ବିଦ୍ୟୁତ ବିଭାଗର ଏପରି କାର୍ଯ୍ୟକୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋଷ ତେଜିବାରେ ଲାଗିଛି। 

ପ୍ରବଳ ଗରମ ସତ୍ତ୍ଵେ ବାରମ୍ବାର ବିଦ୍ୟୁତ କାଟ ନେଇ ରାଜ୍ୟ ବିଦ୍ୟୁତ ଉପଭୋକ୍ତା ମହାସଂଘ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି । ସେହିପରି ଠିକ୍‌ ସମୟରେ ବିଦ୍ୟୁତ ବିଲ୍‌ ପେମେଣ୍ଟ ପରେ ମଧ୍ୟ କିଛି ଉପଭୋକ୍ତାଙ୍କୁ ରିହାତି ମିଳୁନଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ଅନ୍‌ଲାଇନ୍‌ରେ ବିଲ୍‌ ପେମେଣ୍ଟ୍‌ ପରେ ବି ପରବର୍ତ୍ତୀ ବିଲ୍‌ରେ ରିହାତି ମିଳୁନଥିବା ରାଜ୍ୟ ଉପଭୋକ୍ତା ମହାସଂଘର ସମ୍ପାଦକ ରବି ବେହେରା କହିଛନ୍ତି । ବାତ୍ୟା ଓ ବନ୍ୟା ସମୟରେ ଜରୁରୀକାଳୀନ ନମ୍ବର ଜାରି କରିବା ଭଳି ବିଜୁଳି ସମସ୍ୟା ପାଇଁ ନିର୍ଦ୍ଦିଷ୍ଟ ନମ୍ବର ରହୁ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଣେ ନୋଡାଲ୍‌ ଅଧିକାରୀ ରୁହନ୍ତୁ । ଏକ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠ ରହୁ । ସେଠାରେ ଉପଭୋକ୍ତାଙ୍କ ସମସ୍ୟା ସମାଧାନ କରାଯାଉ । କିଛି ଲୋକଙ୍କର ମିଟର ଭଲ ଥିଲେ ମଧ୍ୟ ସେମାନଙ୍କୁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି ବୋଲି ଶ୍ରୀ ବେହେରା କହିଛନ୍ତି । ଏପରିକି ମିଟର ଖରାପ ଥିଲେ ଆଭ୍‌ରେଜ୍‌ ବିଲ୍‌ ଦେବାକୁ କୁହାଯାଉଛି ବୋଲି ଅଭିଯୋଗ କରିଛନ୍ତି। 

ଅପରପକ୍ଷେ ଟିପିସିଓଡିଏଲ୍‌ ପକ୍ଷରୁ ନିୟମିତ ରକ୍ଷଣାବେକ୍ଷଣ ପାଇଁ ଜୁନ୍‌ ୧୫ ପର୍ଯ୍ୟନ୍ତ ବିଦ୍ୟୁତ କାଟ୍‌ ହେବନାହିଁ ବୋଲି କୁହାଯାଇଛି । ଗ୍ରୀଷ୍ମ ଋତୁରେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ଟିପିସିଓଡିଏଲ୍‌ ପକ୍ଷରୁ କୌଣସି ଯୋଜନାବଦ୍ଧ ରକ୍ଷଣାବେକ୍ଷଣ ସଟ୍‌ଡାଉନ୍‌ କରାଯିବ ନାହିଁ । ନୂତନ ସେବା ସଂଯୋଗ, ବିପଦଜନକ ସ୍ଥିତିର ମୁକାବିଲାରେ ସୁରକ୍ଷା ସମ୍ପର୍କିତ ଜରୁରୀକାଳୀନ ପଦକ୍ଷେପ କିମ୍ୱା ଜରୁରୀକାଳୀନ ପ୍ରକଳ୍ପ କାର୍ଯ୍ୟ ଭଳି ସ୍ଥିତି ଉପୁଜିଲେ ବିଦ୍ୟୁତ୍‌ ବିଭ୍ରାଟ ଘଟିପାରେ ବୋଲି ସଫେଇ ଦିଆଯାଇଛି । ଏଭଳି କ୍ଷେତ୍ରରେ ପ୍ରଭାବିତ ହେବାକୁ ଥିବା ଗ୍ରାହକମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରାଯିବ ବୋଲି ଟିପିସିଓଡିଏଲର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ-ମାୟାପୁର ଇସ୍କନ ଅଧ୍ୟକ୍ଷଙ୍କୁ ଗଜପତିଙ୍କ ଚେତାବନୀ, 'ପୁରୀ ଶ୍ରୀଜଗନ୍ନାଥ ଧାମ ମୂଳପୀଠ, ହେୟଜ୍ଞାନ କରନି'