ଫୁଲବାଣୀ, ୮/୫ : ଏକ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣୀ କରି ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରାଜଜ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ତୁମୁଡିବନ୍ଧ ଥାନା ଅଞ୍ଚଳର ହରିଶଙ୍କର ବେହେରା ଦଳାଇ।
ସୂଚନା ଅନୁସାରେ, ହରିଶଙ୍କର ଗତ ୨୦୨୧ ମସିହାରେ ପୀଡ଼ିତାଙ୍କୁ ଅପହରଣ କରି ନେଇଯିବା ପରେ ୨୦୨୩ ମସିହା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ରଖି ଦୁଷ୍କର୍ମ କରିଥିଲେ। ଇତି ମଧ୍ୟରେ ପୀଡ଼ିତା ଗର୍ଭବତୀ ହେବାରୁ ତାଙ୍କର ଗର୍ଭପାତ କରାଇଥିଲେ। ତେବେ ଦ୍ଵିତୀୟ ଥର ଗର୍ଭପାତ କରିବାରେ ଅସଫଳ ହେବାରୁ ନାବାଳିକା ଜଣକ ନିଜ ଘର ଲୋକଙ୍କୁ ସବୁ ବିଷୟ ଜଣାଇଥିଲେ। ପରିବାର ଲୋକେ ପୁଅ ଘରେ ଏନେଇ କହିବାରୁ ସେମାନେ ବିବାହ ପାଇଁ ରାଜି ହେବା ସହ ଏକବର୍ଷ ପରେ ବିବାହ କରାଇବେ ବୋଲି କହିଥିଲେ। ହେଲେ ପରେ ସେମାନେ ଆଉ ଧରାଛୁଆଁ ଦେଇ ନଥିଲେ। ଫଳରେ ୨୦୨୩ ନଭେମ୍ବର ୧୪ ତାରିଖରେ ପୀଡିତାଙ୍କ ପରିବାର ପକ୍ଷରୁ ତୁମୁଡିବନ୍ଧ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ପୁଲିସ ଅଭିଯୋଗ ଆଧାରରେ ୧୩୭/୨୦୨୩ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ପୋକସୋ କୋର୍ଟ ବିଚାରପତି ରାଜେଶ ଦାଶ ୧୨ଜଣ ସାକ୍ଷୀ ଓ ପୀଡ଼ିତାଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଆଧାରରେ ଉପରୋକ୍ତ ରାୟ ଶୁଣାଇଛନ୍ତି। ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାମଲାଟିକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।
ଏହି ଖବରଟିକୁ ପଢନ୍ତୁ-ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ : ମହଜୁଦ ଅଛି ଅତ୍ୟାବଶ୍ୟକ ସାମଗ୍ରୀ, କଳାବଜାରୀକୁ ଦିଆଯିବନି ପ୍ରଶୟ