ନୂଆଦିଲ୍ଲୀ: ପଞ୍ଜାବର ପଟିଆଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୬ ଜଣ ସ୍କୁଲ ପିଲାଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ,ସ୍କୁଲ ଭ୍ୟାନ୍ଟି ଏକ ଡମ୍ପର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଛଅ ଜଣ ପିଲାଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଭ୍ୟାନ୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ପିଲାର ଅବସ୍ଥା ଗୁରୁତର ରହିଛି । ସେ ହସ୍ପିଟାଲରେ ଜୀବନମୃତ୍ୟୁ ସହିତ ଲଢ଼ୁଛି।
ସୂଚନା ଅନୁଯାୟୀ,ଏହି ଦୁର୍ଘଟଣା ସମାନା-ପଟିଆଲା ରାସ୍ତାରେ ଥିବା ଟୋଲ୍ ପ୍ଲାଜା ନିକଟରେ ଘଟିଛି। କୁହାଯାଉଛି ଯେ, ଏହି ପିଲା ମାନେ ପଟିଆଲାର ଭୂପିନ୍ଦ୍ର ପବ୍ଲିକ୍ ସ୍କୁଲର ଥିଲେ।
ସୂଚନା ଅନୁଯାୟୀ, ସମାନା ରୋଡର ନାସୁପୁର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ବାଲି ବୋଝେଇ ଡମ୍ପର ସହ ଏହି ସ୍କୁଲ ଭ୍ୟାନ ଧକ୍କା ହୋଇଛି। ଧକ୍କା ଏତେ ଜୋର ଥିଲା ଯେ, ଗାଡ଼ିଟି ଏକ ଗଛରେ ପିଟି ହୋଇଗଲା, ଯାହା ଫଳରେ ଛଅ ଜଣ ଛାତ୍ରଙ୍କ ମୃତ୍ୟୁ ହେଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଛାତ୍ରମାନେ ପଟିଆଲାର ସେମାନଙ୍କ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ମୃତଦେହ ଗୁଡ଼ିକୁ ବାହାର କରିବା ପାଇଁ କ୍ରେନ୍ ଆବଶ୍ୟକ ହୋଇଥିଲା।