ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ନେଇ ପାକିସ୍ତାନୀ ସେନାର ଜଣେ ପୂର୍ବତନ ସୈନିକ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହି ପୂର୍ବତନ ସୈନିକଙ୍କ ନାମ ଆଦିଲ ରାଜା। ଏହି ସମୟରେ ଆଦିଲ୍ ରାଜା ପାକିସ୍ତାନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। କହିଛନ୍ତି ଯେ, ସରକାର ସୋସିଆଲ ମିଡିଆ ବ୍ୟବହାର କରି ଘରୋଇ ଅସନ୍ତୋଷକୁ ଦମନ କରୁଛନ୍ତି। X ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି ଯେ, ଜନସାଧାରଣ ଧାରଣାକୁ ପ୍ରଭାବିତ କରିବା ପାଇଁ ସ୍ବତନ୍ତ୍ର ସପ୍ଟଓୟାର ଏବଂ ଟ୍ରୋଲ ଫ୍ୟାକ୍ଟ୍ରି ଭଳି କାମ କରୁଛନ୍ତି ।
ଆଦିଲ ରାଜା ମଧ୍ୟ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି । ରାଜା କହିଛନ୍ତି ଯେ ମୁନିର ପହଲଗାମ ଆତଙ୍କବାଦୀ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ। ସେ କହିଛନ୍ତି କି,"ଏହି ଅଞ୍ଚଳରେ ଦଙ୍ଗା ରୋକିବା ପାଇଁ ମୁନିରଙ୍କୁ ହଟାଇ ସାମରିକ ଅଦାଲତରେ ତାଙ୍କର ଅନେକ ଅପରାଧ ପାଇଁ ବିଚାର କରାଯିବା ଉଚିତ।"ଉତ୍ତେଜନା ବୃଦ୍ଧି ସମୟରେ ଅସୀମ ମୁନିର ଭାରତକୁ ଜବାବ ଦେବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ପାକିସ୍ତାନକୁ ରକ୍ଷା କରିବାକୁ ହେଲେ, ଅସୀମ ମୁନିରଙ୍କୁ ହଟାଅ!
ଆଦିଲ ରାଜା ଅନ୍ୟ ଏକ ପୋଷ୍ଟରେ ଏହା ମଧ୍ୟ କହିଛନ୍ତି ଯେ, ଯେତେବେଳେ ତୁମେ ଯୁଦ୍ଧ ମଧ୍ୟରେ ଥାଅ, ସେତେବେଳେ ତୁମର ଶତ୍ରୁ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଶାନ୍ତି ବିଷୟରେ କଥା ହୁଅ ନାହିଁ। ଏହା ତୁମ ପାଇଁ ଏକ ବାର୍ତ୍ତା, ମାନସିକ ରୋଗୀ ଅସୀମ ମୁନୀର, ତୁମର କାର୍ଯ୍ୟ ପାକିସ୍ତାନ ପାଇଁ ଏକ ଅସ୍ତିତ୍ୱର ବିପଦ ସୃଷ୍ଟି କରୁଛି। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉପରେ ଭାରତର ଆକ୍ରମଣରେ ପାକିସ୍ତାନ ସେନାର ଜଣେ ଅଧିକାରୀ (କ୍ୟାପ୍ଟେନ) ଏବଂ ତିନି ଜଣ ସୈନିକ ପ୍ରାଣ ହରାଇଛନ୍ତି।