ନୂଆଦିଲ୍ଲୀ, ୦୮/୦୫ : ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଶିବିର ଉପରେ ଭାରତର ଆକ୍ରମଣ ପରେ ତାକୁ ନେଇ ଦୁଇଦେଶ ଭିତରେ ଉତ୍ତେଜନା ବଢ଼ିଯାଇଛି । ଏଭଳି ସମୟରେ କିଛି ସୋସିଆଲ ମିଡିଆ ୟୁଜର ଭାରତର ଆକ୍ରମଣ ଓ ପାକିସ୍ତାନର ପ୍ରତିଆକ୍ରମଣକୁ ନେଇ ନକଲି ତଥା ମିଥ୍ୟା ଭିଡିଓ ଓ ଫଟୋ ସେୟାର କରିବାରେ ଲାଗିଛନ୍ତି । ଯାହାକି ଦୁଇଦେଶ ମଧ୍ୟରେ ଘୃଣା ଓ ଉତ୍ତେଜନା ସୃଷ୍ଟି କରିବା ବ୍ୟତୀତ ଅନ୍ୟ କିଛି ନୁହେଁ । କିଛି ୟୁଜରମାନେ ତାର ସତ୍ୟତା ନଜାଣି ମଧ୍ୟ ତାକୁ ଦେଖୁଛନ୍ତି । ବିଶେଷକରି ସୋସିଆଲ ମିଡିଆ ଏକ୍ସରେ ମିଥ୍ୟା ଭିଡିଓ ପ୍ରସାରଣ କରାଯିବା ସହ ତାକୁ ଲକ୍ଷାଧିକ ଲୋକ ଦେଖିବା ଓ ମତାମତ ଦେବା ଘଟଣା ଏବେ ନଜରକୁ ଆସିଛି ।
ଏକ୍ସରେ ଏଭଳି ଏକ ଭିଡିଓ ଆସିଛି ଯାହାକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ସେଥିରେ ଦର୍ଶାଯାଇଛି କି ଭାରତ ଉପରେ ପାକିସ୍ତାନର ଜବାବୀ ଆକ୍ରମଣ ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି । କିନ୍ତୁ ପ୍ରକୃତରେ ସେହି ଭିଡିଓଟି ହେଉଛି ୨୦୨୦ରେ ଲେବାନନର ବିରୁଟ ବନ୍ଦରରେ ହୋଇଥିବା ବିସ୍ଫୋରଣର ଦୃଶ୍ୟ । ସେହିଭଳି ୬ ଲକ୍ଷ ଲୋକ ଦେଖିଥିବା ଆଉ ଏକ ଭିଡିଓରେ ଭାରତର ଏକ ବ୍ରିଗେଡ ହେଡକ୍ୱାର୍ଟରକୁ ପାକିସ୍ତାନୀ ସେନା ଧ୍ୱଂସ କରିଦେଉଥିବା ଦର୍ଶାଯାଇଛି । ବାସ୍ତବରେ ଗତମାସରେ ୟୁଟ୍ୟୁବରେ ଏହି ଅଜ୍ଞାତ ଭିଡିଓଟିକୁ ଦେଖିବାକୁ ମିଳିଥିଲା।
ଆଉ ଏକ ଫଟୋ ବା ସ୍କ୍ରିନସଟ୍ ଏକ୍ସରେ ପ୍ରସାରିତ ହେବାରେ ଲାଗିଛି । ଯେଉଁଥିରେ ଦାବି କରାଯାଇଛି କି ପାକିସ୍ତାନୀ ସେନା ଗତ ୬ ତାରିଖ ରାତିରେ ଭାରତର ଏକ ଫରୱାର୍ଡ ବିମାନଘାଟି ଉପରେ ଆକ୍ରମଣ କରିଛି । କିନ୍ତୁ ତାହା ହେଉଛି ଭିଡିଓ ଗେମ୍ ବ୍ୟାଟଲଫିଲ୍ଡ-୩ର ଏକ ସ୍କ୍ରିନସଟ୍ । ପାକିସ୍ତାନୀ ସେନା ବୁଧବାର ସକାଳୁ ଦାବି କରିଥିଲା ଭାରତର ୫ଟି ଜେଟ୍ ବିମାନକୁ ସେମାନେ ଗୁଳିକରି ଖସାଇ ଦେଇଛନ୍ତି । ପାକିସ୍ତାନୀ ୟୁଜରମାନେ ସୋସିଆଲ ମିଡିଆରେ କିଛି କ୍ଲିପ୍ ସେୟାର କରି ଦର୍ଶାଇଛନ୍ତି ଯେ ଭାରତର ଦୁଇଟି ରାଫେଲ ଯୁଦ୍ଧ ବିମାନ ଖସାଇ ଦିଆଯାଇଛି । ସୋସିଆଲ ମିଡିଆରେ ସେହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ଦେଖିଥିଲେ । କିନ୍ତୁ ସେହି ଭିଡିଓ ୨୦୨୪ ରାଜସ୍ଥାନରେ ଓ ୨୦୨୧ ପଞ୍ଜାବରେ ଭାରତୀୟ ବିମାନ ଦୁର୍ଘଟଣା ବେଳର ଭିଡିଓ । ଏକ ଭିଡିଓକୁ ପାକିସ୍ତାନୀ ସେନା ବି ସେୟାର କରିଥିଲା ।
ଏହି ଖବରଟିକୁ ପଢନ୍ତୁ-