ଡେରାଡୁନ,୦୮/୦୫: ଦେବଭୂମି ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲା ଗଙ୍ଗାନାନୀରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏଥିରେ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗଙ୍ଗୋତ୍ରୀ ଧାମ ବୁଲିବାକୁ ଯାଉଥିବା ବେଳେ ହେଲିକପ୍ଟର କ୍ରାସ୍ ହୋଇଛି । ଗରୱାଲ ଡିଭିସନ କମିଶନର ବିନୟ ଶଙ୍କର ପାଣ୍ଡେ ଏ ନେଇ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ରିଲିଫ୍ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଗରୱାଲ ଡିଭିଜନ କମିଶନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି, ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସାରିଛନ୍ତି । ସେନା, ପୋଲିସ, ଉଦ୍ଧାରକାରୀ ଦଳ, ଆମ୍ୱୁଲାନ୍ସ ଘଟଣାସ୍ଥଳରେ ରହିଛନ୍ତି । ହେଲିକପ୍ଟରଟି ଗଙ୍ଗୋତ୍ରୀ ଧାମ ଯାଉଥିଲା । ହେଲିକପ୍ଟରଟି ଘରୋଇ କମ୍ପାନୀରେ ହୋଉଥିବା କୁହାଯାଇଛି । ଯେଉଁଥିରେ ୭ ଜଣ ଥିଲେ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

କେଉଁ କାରଣକୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡିନାହିଁ । ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୋସିଆଲ ମଡ଼ିଆ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି । ଆହତଙ୍କୁ ଉଦ୍ଧାର କରି ଯଥା ସମ୍ଭବ ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଲଗାତାର ଅଧିକାରୀଙ୍କ ସହ ଆଲୋଚନା କରି ସ୍ଥିତି ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ।