ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରେ ଭୟରେ ଆତଙ୍କୀସ୍ତାନ ପାକିସ୍ତାନ । ଭାରତ ପଟୁ ସମ୍ଭାବ୍ୟ ଆକ୍ରମଣ ଭୟରେ ଥିବା ପାକିସ୍ତାନ ବୁଧବାର ଗିଲଗିଟ୍ ଏବଂ ସ୍କାର୍ଦୁକୁ ଘରୋଇ ବିମାନ ଉଡ଼ାଣ ବାତିଲ କରିଦେଇଛି । ଜଣେ ପାକିସ୍ତାନୀ ଅଧିକାରୀ କହିଛନ୍ତି ଯେ, ଜାତୀୟ ବାୟୁକ୍ଷେତ୍ର ସୁରକ୍ଷା ପ୍ରୋଟୋକଲ ସମୀକ୍ଷା କରିବା ପରେ ଉତ୍ତର ଅଞ୍ଚଳକୁ ବିମାନ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ପାକିସ୍ତାନର ଉତ୍ତର ଅଞ୍ଚଳକୁ ଅନ୍ୟ ସମସ୍ତ ବିମାନ ଚଳାଚଳକୁ ମଧ୍ୟ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।
ପିଓକେକୁ ଘରୋଇ ଉଡ଼ାଣ ବନ୍ଦ କରାଯାଇ ଥିବା ବେଳେ ଅନ୍ତର୍ଜାତୀୟ ବିମାନ ଉପରେ ସରକାର କଡ଼ା ନଜର ରଖୁଛନ୍ତି । ସୂଚନା ଅନୁଯାୟୀ, ପାକିସ୍ତାନ ସିଭିଲ ଆଭିଏସନ୍ ଅଥୋରିଟି (CAA) କୁ ସମସ୍ତ ବିଦେଶୀ ବିମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପୂର୍ବରୁ ଭାରତୀୟ ବିମାନ ପାଇଁ ପାକିସ୍ତାନ ନିଜର ଆକାଶ ସୀମା ବନ୍ଦ କରିସାରିଛି। ଏହି ପରିପ୍ରେକ୍ଷୀରେ ଏକ ନୋଟିସ୍ ଫର ଏୟାରମ୍ୟାନ୍ ଜାରି କରାଯାଇଛି । ଫଳରେ ଏକ ମାସ ପାଇଁ ପାକିସ୍ତାନ ଆକାଶ ଦେଇ ଭାରତୀୟ ବିମାନ ଉଡ଼ାଣ କରିପାରିବ ନାହିଁ । ଏହି ପ୍ରତିବନ୍ଧକ ଭାରତୀୟ ସାମରିକ ଏବଂ ଭିଆଇପି ବିମାନ ପାଇଁ ଲାଗୁ ହୋଇଛି ।
ଏପ୍ରିଲ ୨୨ରେ, ଜମ୍ମୁ କାଶ୍ମୀରର ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ଗୁଳି କରି ହତ୍ୟା କରିଥିଲେ । ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ୨୬ ଜଣ ପ୍ରାଣ ହରାଇଥିଲେ । ପହଲଗାମ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି। ନୂଆଦିଲ୍ଲୀ ଇସଲାମାବାଦ ବିରୋଧରେ ଅନେକ କଠୋର କୂଟନୈତିକ ଏବଂ ରଣନୈତିକ ପଦକ୍ଷେପ ନେଇଛି । ସେପଟେ ପାକିସ୍ତାନ ମଧ୍ୟ ଭାରତ ବିରୋଧରେ କେତେକ ନିଷ୍ପତ୍ତି ଗ୍ରହଣ କରିଛି ।