ନୂଆଦିଲ୍ଲୀ: ବାଂଲାଦେଶର ଏକ କୋର୍ଟ ଆଜି ଦେଶଦ୍ରୋହ ମାମଲାରେ ପୂର୍ବତନ ଇସ୍କନ ନେତା ଚିନ୍ମୟ କୃଷ୍ଣ ଦାସଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବାଂଲାଦେଶରେ ଦେଶଦ୍ରୋହ ଅଭିଯୋଗରେ ଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରିଙ୍କୁ ଗିରଫ କରାଯାଇଥିଲା। କ୍ଷମତା ପରିବର୍ତ୍ତନ ପର ଠାରୁ ସେଠାରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ହୋଇଥିବା ହିଂସା ବିରୋଧରେ ଚିନ୍ମୟ ଏକ ପ୍ରମୁଖ ସ୍ୱର ଭାବରେ ଉଭା ହୋଇଥିଲେ। ଚିନ୍ମୟ କୃଷ୍ଣ ଦାସଙ୍କ ଗିରଫଦାରୀ ପରେ,ତାଙ୍କ ଅନୁଗାମୀ ମାନେ ରାସ୍ତାକୁ ଓହ୍ଲାଇଥିଲେ। ଭାରତ ମଧ୍ୟ ଏହି ପ୍ରସଙ୍ଗରେ ବାଂଲାଦେଶର ସଂଖ୍ୟାଲଘୁଙ୍କ ପାଇଁ ଚିନ୍ତା ପ୍ରକାଶ କରିଥିଲା।
ଚିନ୍ମୟ କୃଷ୍ଣ ଦାସ ସନାତନ ଜାଗରଣ ମଞ୍ଚର ମୁଖପାତ୍ର ଏବଂ ଚିଟାଗଙ୍ଗ ଇସ୍କନର ନେତା । ଇସ୍କନ୍ ଚିଟ୍ଟାଗଙ୍ଗ ପ୍ରକାଶ କରିଛି ଯେ ୩୭ ବର୍ଷୀୟ ଚିନ୍ମୟ କୃଷ୍ଣ ଚିଟ୍ଟାଗଙ୍ଗର ସାତକାନିଆ ଉପ-ଜିଲ୍ଲାର। ସେ ତାଙ୍କର ଧାର୍ମିକ ଭାଷଣ ପାଇଁ ଜଣାଶୁଣା । ଏହି ଭାଷଣ ଗୁଡ଼ିକ ଯୋଗୁଁ, ସେ କମ୍ ବୟସରେ ଜଣେ ଧାର୍ମିକ ପ୍ରଚାରକ ଭାବରେ ପରିଚିତ ହୋଇଛନ୍ତି । ଚିନ୍ମୟ କୃଷ୍ଣ ଦାସ ୨୦୧୬ ରୁ ୨୦୨୨ ପର୍ଯ୍ୟନ୍ତ ଇସ୍କନର ଚିଟ୍ଟାଗଙ୍ଗ ମଣ୍ଡଳ ସଚିବ ଥିଲେ। ସେ ୨୦୦୭ ମସିହାରୁ ଚିଟ୍ଟାଗଙ୍ଗର ହାଟହାଜାରୀରେ ଥିବା ପୁଣ୍ଡରୀକ ଧାମର ପ୍ରଧାନଶିକ୍ଷକ ମଧ୍ୟ ଅଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଚିନ୍ମୟଙ୍କୁ ଇସ୍କନରେ ତାଙ୍କ ପଦବୀରୁ ନିଲମ୍ବିତ କରାଯାଇଥିଲା।
ବାଂଲାଦେଶରେ ଚାଲିଥିବା ହିଂସା ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଅଗଷ୍ଟ ୫, ୨୦୨୪ରେ ଦେଶ ଛାଡି ଚାଲିଯାଇଥିଲେ। ଦେଶରେ କ୍ଷମତା ପରିବର୍ତ୍ତନ ହେବା ସହିତ, ହିନ୍ଦୁ ଘର ଏବଂ ମନ୍ଦିର ଗୁଡ଼ିକୁ ବଡ଼ ପରିମାଣରେ ଭଙ୍ଗାରୁଜା କରାଯାଇଥିଲା। ଏହାର ପ୍ରତିକ୍ରିୟାରେ, ଏହି ମଞ୍ଚ ଆରମ୍ଭ ହୋଇଥିଲା ଏବଂ ଚିନ୍ମୟ ଦାସଙ୍କୁ ଏହାର ମୁଖପାତ୍ର ନିଯୁକ୍ତ କରାଯାଇଥିଲା। ବାଂଲାଦେଶରେ ଅଶାନ୍ତି ମଧ୍ୟରେ ହିନ୍ଦୁ ମାନଙ୍କ ଉପରେ ହେଉଥିବା ହିଂସା ସମ୍ପର୍କରେ ଏହି ମଞ୍ଚ ମାଧ୍ୟମରେ ହିନ୍ଦୁମାନଙ୍କ ସ୍ୱର ଉଠାଇଛି। ଏହି ମଞ୍ଚ ମାଧ୍ୟମରେ ସନାତନ ଜାଗରଣ ମଞ୍ଚ ନାମକ ଆନ୍ଦୋଳନ ମାଧ୍ୟମରେ ଚିନ୍ମୟ ଚିଟ୍ଟାଗଙ୍ଗ ଏବଂ ରଙ୍ଗପୁରରେ ବିଶାଳ ରାଲିର ଆୟୋଜନ କରିଥିଲେ। ଚିନ୍ମୟ ରାଲି ଗୁଡ଼ିକରେ ହିନ୍ଦୁ ସମ୍ପ୍ରଦାୟର ଅଧିକାର ବିଷୟରେ ଅନେକ ଭାଷଣ ଦେଇଥିଲେ।