ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ଏହି ସମୟରେ ସିନ୍ଧୁରେ ରକ୍ତପାତ କରିବାକୁ ଧମକ ଦେଇଥିବା ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସ୍ୱର ମଧ୍ୟ ବଦଳି ଯାଇଛି। ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱଲ ଭୁଟ୍ଟୋ ଶିମଲା ଚୁକ୍ତିନାମା ବାତିଲ କରିବା ନେଇ ଶେହବାଜ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ଭାରତ ସହିତ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ।
ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲରେ ବିଲାୱଲ ଭୁଟ୍ଟୋ କହିଛନ୍ତି ଯେ, ଶେହବାଜ ସରିଫ ସରକାର ଶିମଲା ଚୁକ୍ତିନାମାରୁ ଓହରି ଯିବା ଉଚିତ୍ ନୁହେଁ। ଦ୍ୱିପାକ୍ଷିକ ଏବଂ ଅନ୍ତର୍ଜାତୀୟ ଚୁକ୍ତିଗୁଡ଼ିକ କୂଟନୀତିର ମୂଳଦୁଆ ଏବଂ ସେଗୁଡ଼ିକ ବାତିଲ କରିବା ସପକ୍ଷରେ ମୁଁ ନାହିଁ । ଯଦି ଭାରତ ନିଜ ଜିଦ୍ ନଛାଡ଼େ, ତେବେ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାଗୁଡ଼ିକର ସମୀକ୍ଷା କରାଯାଇପାରିବ। ବିଲାୱାଲ ଭୁଟ୍ଟୋ କହିଛନ୍ତି ଯେ, ଯଦି ଭାରତ ପ୍ରକୃତରେ ଆତଙ୍କବାଦକୁ ସମାପ୍ତ କରିବାକୁ ଚାହୁଁଛି ତେବେ ଏହାକୁ ଗଠନମୂଳକ ଭାବରେ ଆଲୋଚନା କରିବାକୁ ପଡିବ।
ପହଲଗାମ ଆକ୍ରମଣର ନିରପେକ୍ଷ ତଦନ୍ତ ଦାବି କରି ସେ କହିଛନ୍ତି ଯେ, ଯଦି ଭାରତ ଏହାକୁ ଅସ୍ୱୀକାର କରେ, ତେବେ ଏହାର ଅନ୍ତର୍ଜାତୀୟ ବିଶ୍ୱସନୀୟତା ପ୍ରଭାବିତ ହେବ । ଶିମଲା ଚୁକ୍ତିନାମା ଉପରେ ବିଲାୱଲ ଭୁଟ୍ଟୋଙ୍କ ମନ୍ତବ୍ୟ ମଧ୍ୟ ସ୍ୱତନ୍ତ୍ର କାରଣ ତାଙ୍କ ଜେଜେବାପା ଜୁଲଫିକର ଅଲି ଭୁଟ୍ଟୋ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହିତ ପାକିସ୍ତାନ ପକ୍ଷରୁ ଏହି ଚୁକ୍ତିନାମା କରିଥିଲେ। ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ମଧ୍ୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଆଲୋଚନାକୁ ସମର୍ଥନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ସ୍ୱାଗତ କରିଛନ୍ତି ।
ସେ କହିଛନ୍ତି, ଏହା ପାକିସ୍ତାନର ଦୂରଦୃଷ୍ଟିପୂର୍ଣ୍ଣ କୂଟନୈତିକ ମନୋଭାବକୁ ସମର୍ଥନ କରୁଛି। ଯଦି ଭାରତ ପାଖରେ ପ୍ରମାଣ ଅଛି ତେବେ ଏହାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବା ଉଚିତ। ବିଲାୱଲ ଭୁଟ୍ଟୋ ପୁଣି ଥରେ କହିଛନ୍ତି ଯେ, ପାକିସ୍ତାନ ଭାରତ ଅପେକ୍ଷା ଅଧିକ ଆତଙ୍କବାଦର ସମ୍ମୁଖୀନ ହେଉଛି।