କାଶୀପୁର, ୧୧।୩ : ଚାଷୀ ମାନେ ମଙ୍ଗଳବାର ଟିକିରି ମୁଖ୍ୟରାସ୍ତା ଉପରେ ଧାନ ବସ୍ତା ରଖି ଆନ୍ଦୋଳନ କରିବା ପରେ ମଣ୍ଡିରେ ଧାନ କିଣା ସ୍ୱାଭାବିକ ହୋଇଛି । ଆବଶ୍ୟକ ଟାର୍ଗେଟ ଆସି ନ ଥିବାରୁ ଗତ ବୁଧବାର ଟିକିରି ମଣ୍ଡିରେ ଚାଷୀଙ୍କ ଧାନ କିଣା ଯାଇ ପାରି ନ ଥିଲା । ଚାଷୀମାନେ ବିକ୍ରି କରିବାକୁ ଆଣିଥିବା ୧୫ଶହ କୁଇଣ୍ଟାଲ ଧାନକୁ ମଣ୍ଡି ଆଗରେ ରଖି ଟାର୍ଗେଟ ଅପେକ୍ଷାରେ ରହିଥିଲେ ।କିନ୍ତୁ ମଙ୍ଗଳବାର ସକାଳ ଏଗାର ସୁଦ୍ଧା ଟାର୍ଗେଟ ପହଞ୍ଚି ନ ଥିବାରୁ ସ୍ଥାନୀୟକଂଗ୍ରେସ ନେତୃବୃନ୍ଦଙ୍କ ସହ ଚାଷୀମାନେ ରାସ୍ତା ଉପରେ ଧାନ ବସ୍ତା ରଖି ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ଟିକିରି ଥାନା ଅଧିକାରୀ ବିଶ୍ୱ ବନ୍ଦିନୀ ବାଗସହିତ ବିଭାଗୀୟ ଅଧିକାରୀ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ । ଧାନ କିଣା ନେଇ ଆଲୋଚନା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଥିଲା ।
ସୂଚନାଯୋଗ୍ୟ, ଗତ ବୁଧବାର କେବଳ ଛଅ ଶହ କୁଇଣ୍ଟାଲ କିଣିବା ପାଇଁ ଟିକିରି ଲ୍ୟାମ୍ପସକୁ ଟାର୍ଗେଟ ଦିଆ ଯାଇଥିଲା । କିନ୍ତୁ ଚାଷୀ ମାନେ ମଣ୍ଡିକୁ ଆଣିଥିବା ସମସ୍ତ ୧୫ଶହ କୁଇଣ୍ଟାଲ ଧାନ କିଣିବା ପାଇଁ ଦାବି କରି ମଣ୍ଡି ଆଗରେ ଗଦା କରିଥିଲେ।ସେହିପରି ଶନିବାରସୁଦ୍ଧା ଚାଷୀଙ୍କ ସମସ୍ତ ଧାନ କିଣିବା ପାଇଁ ବ୍ୟବସ୍ଥା କରା ନ ଗଲେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇ ଥିଲେ। କିନ୍ତୁ ଚାଷୀଙ୍କ ଆନ୍ଦୋଳନ ଚେତାବନୀକୁ ପ୍ରଶାସନ ଗୁରୁତ୍ୱ ଦେଇ ନ ଥିବାରୁ ଶେଷରେ ଚାଷୀମାନେ ମଙ୍ଗଳବାର ରାସ୍ତାରେ ଧାନ ବସ୍ତା ରଖିପ୍ରାୟ ଦୁଇ ଘଣ୍ଟାଧରି ରାସ୍ତା ଅବରୋଧ କରିବା ପରେ ପ୍ରଶାସନର ଚେତା ପଶିଥିଲା।