ଭୁବନେଶ୍ୱର,୨୮/୦୭: ରାଜ୍ୟର ୬ ଜିଲ୍ଲାରେ ବନ୍ୟା ବିପତ୍ତି ଦେଖାଦେଇଛି । ମୋଟ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର ଓ ବାଲେଶ୍ୱର ଜିଲ୍ଲା । ଯାଜପୁରର ୧୯ ପଞ୍ଚାୟତ ଏବେ ବି ପାଣି ଘେରରେ ରହିଛି । ବନ୍ୟା ପାଣିରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱରର ଦୁଇ ବ୍ଲକ୍ରେ ସ୍ଥିତି ଜଟିଳ ଅଛି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ଅଛି । ସୁବର୍ଣ୍ଣରେଖା ନଦୀ ଆହୁରି ଫୁଲୁଛି । ଯାଜପୁର ଓ ବାଲେଶ୍ୱର ସମେତ ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।
ଯାଜପୁର ଜିଲ୍ଲାର ଯାଜପୁର ଓ ଦଶରଥପୁର ବ୍ଲକ୍ରେ ୧୯ ପଞ୍ଚାୟତ ପାଣି ଘେରରେ ରହିଛି । ଶହ ଶହ ପରିବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି । ମଲ୍ଲିକାପୁର-ପଲ୍ଲାସାହି ସେତୁ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲିଥିଲା । ବନ୍ୟା ଯୋଗୁ ୬ଟି ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିଲା ।
ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ସାମାନ୍ୟ ଜଟିଳ ରହିଛି । ଜିଲ୍ଲାରୁ ମିଳିଥିବା ସୂଚନା ଅନୁସାରେ ୩ଟି ବ୍ଲକରେ ଅଧିକ କ୍ଷୟକ୍ଷତି ହୋଇଛି । ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକ ପ୍ରଭାବିତ ହୋଇଛି । ଏହି ୩ଟି ବ୍ଲକର ୧୦ ପଞ୍ଚାୟତର ୩୯ଟି ଗାଁରୁ ପ୍ରାୟ ୧୧ ହଜାର ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି । ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି । ଜଳକା ନଦୀର ମଥାନି ଠାରେ ଜଳସ୍ତର ୬.୫୨ ମିଟର ରହିଛି । ଏଠାରେ ଜଳପ୍ରବାହ କ୍ରମଶଃ କମିବା ସତ୍ତେ୍ୱ ଜଳସ୍ତର ବିପଦ ସଙ୍କେତ ଉପରେ ଚାଲିଛି ।
ଭଦ୍ରକର ୨୧ ପଞ୍ଚାୟତର ୨୯ଟି ଗାଁ ବନ୍ୟାରେ ପ୍ରଭାବିତ ହୋଇଛି । ଧାମନଗରର ୧୧ ପଞ୍ଚାୟତ, ଭଣ୍ଡାରିପୋଖରୀର ୪ଟି, ତିହିଡ଼ିର ୫ଟି ଓ ଚାନ୍ଦବାଲିର ଗୋଟିଏ ପଞ୍ଚାୟତ ପ୍ରଭାବିତ ହୋଇଛି । ଜିଲ୍ଲାରେ ଥିବା ସୋହଡ଼ା, ପଧାନି, ଅର୍ଜୁନପୁର ଓ ହସନାବାଦ ଭଳି ୪ଟି ପଞ୍ଚାୟତ ଅଧିକ ପ୍ରଭାବିତ ହୋଇଛି । ଏହି ୪ଟି ପଞ୍ଚାୟତରେ ଥିବା ସବୁ ସ୍କୁଲକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ରବିବାର ରାତିରେ ଚାନ୍ଦବାଲିର କିଛି ସ୍ଥାନରେ ପାଣି ପଶିବାର ଆଶଙ୍କା କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାର ୧୭ ବ୍ଲକ୍ ମଧ୍ୟରୁ ବାଲିଶଙ୍କରା, କୁଆଁରମୁଣ୍ଡା, ହେମଗିରି, ବଣାଇଁ, କୋଇଡ଼ା, ଲହୁଣୀପଡ଼ା ଓ ରାଉରକେଲା ମହାନଗର ନିଗମ ପ୍ରଭାବିତ ହୋଇଛି । ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୬.୨୪ ମିଟର ଥିଲା । ଏଠାରେ ବିପଦ ସଙ୍କେତ ସ୍ତର ୩୮.୩୬ ମିଟର । ଆଖୁଆପଦା ଠାରେ ଜଳସ୍ତର ୧୭.୬୬ ମିଟର ରହିଛି ଓ ଏହା କମୁଛି । ସୁବର୍ଣ୍ଣରେଖା ନଦୀ ବିପଦ ସଙ୍କେତ ଉପରେ ଚାଲିଛି । ରାଜଘାଟରେ ଜଳ ସ୍ତର ୧୧.୧୭ ମିଟର ରହିଛି । ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୧୦.୩୬ ମିଟର ଥିବାବେଳେ ଜଳପ୍ରବାହ ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ଜାମଶୋଳା ଘାଟରେ ଜଳସ୍ତର ୪୮.୮୬ ମିଟର ଥିବାବେଳେ ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୪୯.୧୬ ମିଟର ।
ରାଜ୍ୟର ବନ୍ୟା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ସେ ସୂଚନା ଦେଇ କହିଛନ୍ତି, ମୟୂରଭଞ୍ଜ ଓ କେନ୍ଦୁଝରରେ କ୍ଷୟକ୍ଷତି ଅଧିକ ହେବ ବୋଲି ଆକଳନ ଥିଲା । ଏହି ୨ ଜିଲ୍ଲାର ସ୍ଥିତିରେ ସୁଧାର ଆସିଛି । ଗତକାଲି ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଭାବିତ ହୋଇଥିଲା । ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କମିଛି । ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ ଦିଆଯିବ । ବନ୍ୟା ସ୍ଥିତିରେ ସୁଧାର ପରେ ଲୋକଙ୍କୁ କ୍ଷତିପୂରଣ ମିଳିବ । ଫସଲ, ଘର ଏବଂ ଅନ୍ୟ କ୍ଷୟକ୍ଷତି ଆକଳନ କରି ସମସ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ । ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ଶୀଘ୍ର ଇନପୁଟ୍ ସବ୍ସିଡି ଦେବାକୁ ପଦକ୍ଷେପ ନେବୁ ।
ରାଜସ୍ୱ ମନ୍ତ୍ରୀ ମନ୍ତ୍ରୀ ଶ୍ରୀ ପୂଜାରୀ ସ୍ୱତନ୍ତ୍ର ରିଲିଫ କମିଶନର, ବନ୍ୟା ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ ଓ ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଭିଡିଓ କନଫରେନ୍ସିଂରେ ବନ୍ୟା ସ୍ଥିତିର ସମୀକ୍ଷା କରିଥିଲେ । ସମୀକ୍ଷା ପରେ ସେ କହିଛନ୍ତି, ବାଲେଶ୍ୱରରେ ଜଳପତ୍ତନ ବଢ଼ିବାର ଆଶଙ୍କା ରହିଛି । ବିପଦ ସଙ୍କେତଠାରୁ ଗୋଟିଏ ମିଟର୍ ଜଳସ୍ତର ବଢ଼ିପାରେ । ସବୁ କ୍ଷତିଗ୍ରସ୍ତଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ ରିଲିଫ୍ ସେଣ୍ଟରକୁ ଆଣିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କ ପାଇଁ ଡାକ୍ତରୀ ଟିମ୍ଠାରୁ ନେଇ ସୁରକ୍ଷା ପାଇଁ ସବୁ ବ୍ୟବସ୍ଥା ହୋଇଛି ।
ବନ୍ୟାରେ ରାଜ୍ୟର ମୋଟ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି । ବାଲେଶ୍ୱରରେ ୫ଟି ଓଡ୍ରାଫ୍ ଟିମ୍ ସହ ଗୋଟିଏ ଏନଡିଆରଏଫ୍, ୨୬ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବାହିନୀ ନିୟୋଜିତ ହୋଇଛି ।ମୟୂରଭଞ୍ଜରେ ୧ଟି ଓଡ୍ରାଫ୍ ଟିମ୍ ଓ ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକରେ ୧ଟି ଓଡ୍ରାଫ୍, ୧ଟି ଏନ୍ଡିଆର୍ଏଫ୍ ଓ ୧୩ଟି ଅଗ୍ନିଶମ ବାହିନୀ, ଯାଜପୁରରେ ୧ଟି ଓଡ୍ରାଫ୍ ଟିମ୍ ସହ ୧୪ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । ୬ ଜିଲ୍ଲାରେ ୧୦୬ଟି ବୋଟ୍ ଜରିଆରେ ଉଦ୍ଧାର ଓ ରିଲିଫ୍ ବଣ୍ଟନ ଚାଲିଛି । ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବନ୍ୟାଞ୍ଚଳରେ ପୁନରୁଦ୍ଧାର ଓ ରିଲିଫ୍ କାମର ତଦାରଖ ପାଇଁ ଅତିରିକ୍ତ ରିଲିଫ୍ କମିଶନର ମନୀଷ ଅଗ୍ରୱାଲଙ୍କୁ ପଠାଯାଇଛି । ଜଳସମ୍ପଦ ବିଭାଗ ପକ୍ଷରୁ ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାମ କରୁଛି । ସର୍ବୋଚ୍ଚ ଯନ୍ତ୍ରୀ ବାଲେଶ୍ୱରରେ ଉପସ୍ଥିତ ରହି ସ୍ଥିତି ତଦାରଖ କରୁଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।