ଭୁବନେଶ୍ଵର,୨୭/୦୭: ରେଡ଼ିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍'ର ୧୨୪ତମ ସଂସ୍କରଣରେ ଦେଶାବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପିଲମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ୍ କି ବାତ୍' ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 'ମନ୍ କି ବାତ୍'ରେ ମୟୂରଭଞ୍ଜର ଆଦିବାସୀ ମହିଳାଙ୍କ ସାନ୍ତାଳୀ ଶାଢୀ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷା ଦିଗରେ କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କ ପ୍ରୟାସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀଙ୍କ 'ମନ୍ କି ବାତ୍' କାର୍ଯ୍ୟକ୍ରମର ଆଜି ଥିଲା ୧୨୪ତମ ଅଧ୍ୟାୟ । ମୁଖ୍ୟମନ୍ତ୍ରୀ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ପିଲାଙ୍କ ସହ ଏହି କାର୍ଯ୍ୟକ୍ରମ ଶୁଣିବା ସହ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରେରଣାଦାୟୀ ଦିଗ ସମ୍ପର୍କରେ ବୁଝାଇଥିଲେ । ଏଥି ସହିତ ପିଲାମାନଙ୍କୁ ଭଲ ପାଠପଢି, କଠିନ ପରିଶ୍ରମ କରି ସଫଳତାର ସହିତ ବଡ଼ ମଣିଷ ହେବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶ୍ରମ ପରିସରରେ ଏକ ନିମ୍ବ ବୃକ୍ଷ ଚାରା ମଧ୍ୟ ରୋପଣ କରିଥିଲେ ।
୧୨୪ ତମ ଅଧ୍ୟାୟରେ ଦେଶର ବିଭିନ୍ନ ପ୍ରାନ୍ତର ଜନସମୂହଙ୍କ ପ୍ରେରଣାଦାୟୀ ପଦକ୍ଷେପ ସହିତ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ମାନଙ୍କ ଦ୍ଵାରା ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ୬୫୦ଜଣ ଆଦିବାସୀ ମହିଳା ଏହି ଶାଢ଼ୀ ବୁଣି ଭଲ ରୋଜଗାର କରିବା ସହିତ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ବୋଲି ସେ କହିଛନ୍ତି । ଏହା ସହିତ କେନ୍ଦୁଝର ଜିଲ୍ଲାର ନାମ ନେଇଛନ୍ତି । କେନ୍ଦୁଝରର ପ୍ରମିଳା ପ୍ରଧାନଙ୍କ ପ୍ରୟାସରେ ସଂକୀର୍ତ୍ତନ ମଣ୍ଡଳୀ ଜରିଆରେ କିଭଳି ପରିବେଶ ଓ ଜଙ୍ଗଲର ସୁରକ୍ଷା ସହିତ ଜଙ୍ଗଲ ନିଆଁ ରୋକିବା ପାଇଁ ସଚେତନ କରାଯାଉଛି ତାକୁ ପ୍ରଶଂସା କରିଥିଲେ ।
ଅଧିକ ପଢନ୍ତୁ...କେନ୍ଦୁଝରର 'ରାଧା କୃଷ୍ଣ ସଂକୀର୍ତ୍ତନ' ଗୀତରେ କରୁଛି ସଚେତନ, ମନ୍ କି ବାତରେ କହିଲେ ମୋଦି
ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ସାଧାରଣ ଲୋକଙ୍କ ସଂଘର୍ଷ, ସଫଳତା ଓ ନବସୃଜନ ଉପରେ ଗୁରୁତ୍ଵଦେଇ ଅନ୍ୟ ମାନଙ୍କୁ ପ୍ରେରଣା ଓ ମାର୍ଗଦର୍ଶନ ଦେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ ।