ଭୁବନେଶ୍ୱର,୨୭/୦୭: ନାବାଳିକା ଦୁଷ୍କର୍ମ ମାମଲାରେ ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ତାଙ୍କୁ ବାଲେଶ୍ୱରରୁ ଗିରଫ କରାଯାଇଥିବାର ସୂଚନା ରହିଛି । ଶନିବାର ତାଙ୍କୁ ଫେରାର ହେବାରେ ସାହାଯ୍ୟ କରିଥିବା ୫ ସହଯୋଗୀଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଥିଲା। ଅଭିଯୁକ୍ତମାନେ ବଡ଼ଗଡ଼ ଗୌତମନଗରର ବିବେକ କୁମାର ସ୍ବାଇଁ(୨୯ ବର୍ଷ), ସନ୍ତୋଷୀବିହାର ଅଞ୍ଚଳର ବିକ୍ରମ ମହାନ୍ତି(୪୨ ବର୍ଷ), ଚିନ୍ତାମଣିଶ୍ୱର ଅଞ୍ଚଳର ଦେବେନ୍ଦ୍ର ଭୋଳ(୪୫ ବର୍ଷ) ଓ ସୁମନ କୁମାର ସାହୁ(୨୭ ବର୍ଷ) ଏବଂ ଲକ୍ଷ୍ମୀସାଗର ଶବରସାହିର ରାଜୀବ ଚମ୍ପତ୍ତି(୪୫ ବର୍ଷ)।
ସୂଚନା ମୁତାବକ, ଗତ ଗୁରୁବାର ଲକ୍ଷ୍ମୀସାଗର ଥାନାରେ ଜଣେ ଯୁବତୀ ଅମରେଶ ଜେନା ଓରଫ ବାୟାଁଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ତାଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି କରିଥିଲା। କିନ୍ତୁ ଅଭିଯୁକ୍ତ ଅମରେଶ ଜେନା ଫେରାର ହୋଇଯାଇଥିଲେ। ପୁଲିସ ତାଙ୍କ ମୋବାଇଲ ଟ୍ରାକିଂ କରିବା ସହିତ ସେ କେଉଁଠାରେ ଅଛନ୍ତି ତାହାର ତଦନ୍ତ ଆରମ୍ଭ କରିଥିଲା। ତାଙ୍କ ମୋବାଇଲ ଟ୍ରାକିଂ ବେଳେ କିଛି ସହଯୋଗୀଙ୍କ ସହିତ କଥା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ସେମାନଙ୍କୁ ଥାନାକୁ ଆଣି ପୁଲିସ ପଚରାଉଚରା କରିଥିଲା। ସେମାନେ ତାଙ୍କୁ ଫେରାର ହେବାରେ ସହଯୋଗ କରିଥିବା ସ୍ବୀକାର କରିଥିଲେ। ପରେ ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଥିଲା।
ସେପଟେ ଗିରଫ ହେବା ପରେ ବିଜେଡିରୁ ନିଲମ୍ବିତ ହୋଇଛନ୍ତି ଅମରେଶ ଜେନା । ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଦଳ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ତାଙ୍କୁ ସସ୍ପେଣ୍ଡ କରାଯାଇଥିବା ନେଇ ସୂଚନା ଜାରି ହୋଇଛି ।...