ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରିବା ଅଭିଯୋଗରେ ରାଜସ୍ଥାନର ଜଣେ ସରକାରି କର୍ମଚାରୀଙ୍କୁ ଗୁରୁବାର ଜୟସଲମେରରୁ ଗିରଫ କରାଯାଇଛି। ଏନେଇ ସ୍ଥାନୀୟ ପୋଲିସ ଆଧିକାରିକ ସ୍ତରରେ ଘୋଷଣା କରିଛି।
ମିଳିଥିବା ସୂଚନା ମୁତାବକ, ଗିରଫ ହୋଇଥିବା ସରକାରୀ କର୍ମଚାରୀ ଜଣଙ୍କର ନାମ ଶାହରୁଖ ଖାନ ବୋଲି ଜଣାପଡିଛି। ସେ ଭାରତ ସମ୍ୱଦ୍ଧରେ ଅନେକ ସମ୍ୱେଦନଶୀଳ ତଥ୍ୟ ପାକସ୍ତାନକୁ ପଠାଉଥିବା ଅଭିଯୋଗରେ ଗୁଇନ୍ଦା ବିଭାଗ ତାଙ୍କୁ ନିଜ ହେପାଜତକୁ ନେଇଛି। ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ ଅଭିଯୁକ୍ତ ଶାହାରୁଖ ଜଣେ ପୂର୍ବତନ କଂଗ୍ରେସ ମନ୍ତ୍ରୀଙ୍କ ପୂର୍ବତନ ସହଯୋଗୀ ଭାବେ ମଧ୍ୟ କାମ କରୁଥିଲେ।
ଅଭିଯୁକ୍ତ ଶାହରୁଖ ଜିଲ୍ଲା ରୋଜଗାର କାର୍ଯ୍ୟାଳୟ(ଡିଷ୍ଟ୍ରିକ୍ଟ ଏମ୍ପଲୟମେଣ୍ଟ ଅଫିସ)ରେ କାର୍ଯ୍ୟ କରନ୍ତି। ତେବେ ତାଙ୍କ ଫୋନରେ କେତେକ ପାକସ୍ତାନ ଅଧିକାରୀଙ୍କ ନମ୍ୱର ରହିବା ସହ ସେ ତାଙ୍କ ସହ ବରାବର ଯୋଗାଯୋଗରେ ରହିଥିଲେ। ଯେଉଁଥିପାଇଁ ସେ ଗୁଇନ୍ଦା ବିଭାଗର ରାଡରକୁ ଚାଲି ଆସିଥିଲେ। ଏନେଇ ଜଣେ ଅଧିକରୀ ସୂଚନା ଦେଇ କହିଛନ୍ତି ଯେ “ଶାହରୁଖ ଖାନ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ନେଇ ଆମ ପାଖରେ ଟିପ୍ ପହଞ୍ଚି ଥିଲା। ଆଉ ଏହାପରେ ଆମେ ତାଙ୍କ ଉପରେ କଡା ନଜର ରଖିଥିଲୁ। ତେବେ ଗତକାଲି ରାତିରେ ତାଙ୍କ ବିରୁଦ୍ଧରେ ବଳିଷ୍ଠ ପ୍ରମାଣ ମିଳିବାପରେ ଆମେ ତାଙ୍କୁ ନିଜ ହେପାଜତକୁ ନେଇଛୁ।”
ଶାହରୁଖଙ୍କୁ ଗିରଫ କରାଯିବା ପରେ ଜୟସଲମେରଠାରେ ଏକ ମିଳିତ ଟିମ ସହାୟତାରେ ତାଙ୍କୁ ଜେରା କରାଯାଇଥିଲା। ଆଉ ଏହା ପରେ ଅଧିକ ଯାଞ୍ଚ ପାଇଁ ତାଙ୍କୁ ଜୟପୁରକୁ ପଠାଇ ଦିଆଯାଇଥିଲା। ସେ ଜୟପୁରରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଥିବା ବିଭିନ୍ନ କେନ୍ଦ୍ରିୟ ଅନୁସନ୍ଧାନ ବିଭାଗ ତାଙ୍କୁ ପଚରା ଉଚରା ଜାରି ରଖିଛନ୍ତି ବୋଲି ସୂଚନା ମିଳିଛି।