ଆଳି, ୨୪/୦୭: ମା’ଙ୍କ ବୟସ ୮୩ ବର୍ଷ । ତାଙ୍କୁ ମିଳୁଛି ୩୫୦୦ ଟଙ୍କା ଭତ୍ତା । ପୁଅଙ୍କ ବୟସ ୮୨ ବର୍ଷ । ତାଙ୍କୁ ମଧ୍ୟ ମିଳୁଛି ୩୫୦୦ ଟଙ୍କା ଭତ୍ତା । ମା’-ପୁଅ ଦୁହିଙ୍କ ବୟସରେ ମାତ୍ର ବର୍ଷେ ତଫାତ୍ ଥିବା ବେଳେ ଉଭୟଙ୍କୁ ମିଳୁଛି ସରକାରଙ୍କ ନୂତନ ବର୍ଦ୍ଧିତ ଭତ୍ତା । ଏଭଳି ଅଜବ ଘଟଣା ସମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଏକମାଣିଆ ପଞ୍ଚାୟତରେ । ଘଟଣା ପଦାକୁ ଆସିବା ପରେ ଆରମ୍ଭ ହୋଇଛି ବିଭାଗୀୟ ଖୋଳତାଡ଼ ।
ପ୍ରାପ୍ତ ବିବରଣୀରୁ ପ୍ରକାଶ, ରାଜ୍ୟରେ ନୂତନ ସରକାର ଆସିବା ପରେ ୮୦ ବର୍ଷରୁ ଅଧିକ ହିତାଧିକାରୀଙ୍କ ଭତ୍ତା ୩୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ତଦନୁଯାୟୀ ଏକମାଣିଆ ପଞ୍ଚାୟତର ବାଲି ଦେଈ (୮୩) ୩୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ତାଙ୍କ ପୁଅ ଭରତ ରାଉତ(୮୨)ଙ୍କୁ ମିଳୁଛି ୩୫୦୦ ଟଙ୍କା ଭତ୍ତା । ମା’ଙ୍କ ବୟସ ୮୩ ହୋଇଥିବା ବେଳେ ପୁଅଙ୍କ ବୟସ କିଭଳି ୮୨ ବର୍ଷ ହେଲା ବୋଲି ଏବେ ପ୍ରଶ୍ନ ଉଠିଛି । ପଞ୍ଚାୟତର ବହୁ ହିତାଧିକାରୀଙ୍କ ବୟସ ୮୦ ଅତିକ୍ରମ କରିଥିଲେ ମଧ୍ୟ ସେମାନଙ୍କୁ ଏଯାଏ ବର୍ଦ୍ଧିତ ଭତ୍ତା ମିଳୁନଥିବା ବେଳେ କିଭଳି ମା’ ଓ ପୁଅଙ୍କ ବୟସ ମାତ୍ର ଏକବର୍ଷ ବ୍ୟବଧାନ କରି ଭତ୍ତା ଦିଆଗଲା, ତାହା ତଦନ୍ତ ଅପେକ୍ଷାରେ ।
ଏହି ପଞ୍ଚାୟତର ହେମଲତା ବିଶ୍ୱାଳ ନାମକ ବୃଦ୍ଧାଙ୍କ ବୟସ ୮୫ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ତାଙ୍କୁ ବର୍ଦ୍ଧିତ ଭତ୍ତା ଏଯାଏ ଦିଆଯାଉନି । କିନ୍ତୁ ଭରତଙ୍କୁ ଗତ ଜାନୁଆରୀ ମାସରୁ ୩୫୦୦ ଟଙ୍କା ମିଳୁଛି । ଏଭଳି ଆହୁରି ଅନେକ ହିତାଧିକାରୀ ବୟସ ଜାଲିଆତି କରି ବର୍ଦ୍ଧିତ ଭତ୍ତା ହାତେଇଥିବା କୁହାଯାଉଛି । ଏ ନେଇ ସରପଞ୍ଚ ଅହଲ୍ୟା ବେହେରାଙ୍କ ପ୍ରତିନିଧି ତଥା ତାଙ୍କ ସ୍ୱାମୀ ପ୍ରମୋଦ ବିଶ୍ୱାଳ କହିଛନ୍ତି, ମା’ ଓ ପୁଅ ଦୁହିଙ୍କୁ ବର୍ଦ୍ଧିତ ଭତ୍ତା ମିଳୁଥିଲା । ପୁଅଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ବ୍ଲକ୍ ପକ୍ଷରୁ ଚଳିତ ମାସରୁ ଭତ୍ତା ବନ୍ଦ ହୋଇଛି । ପଞ୍ଚାୟତର ୮ଜଣ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କରାଯିବା ନିମନ୍ତେ ପ୍ରଶାସନକୁ ଅବଗତ କରାଯାଇଛି । ଏନେଇ ଆଳି ବିଡିଓ ଅବିନାଶ ବିଶ୍ୱଜିତ ସେଠୀ କହିଛନ୍ତି, ଅଭିଯୋଗ ପରେ ଭରତ ରାଉତଙ୍କ ଭତ୍ତା ବନ୍ଦ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।