ଭୁବନେଶ୍ୱର,୨୬/୬ : ଘରୋଇ ବଜାରର ନୌବାଣିଜ୍ୟରେ ଏକ ପ୍ରମୁଖ ଅଂଶୀଦାର ହେବା ଦିଗରେ ଓଡ଼ିଶା ଦ୍ରୁତ ଗତିରେ ଅଗ୍ରସର ହେଉଛି । ଦେଶର ସାମୁଦ୍ରିକ ପଥରେ ହେଉଥିବା ମାଲ୍ ପରିବହନରେ ରାଜ୍ୟର ଅଂଶ ଏବେ ୧୩% ରହିଛି। ଏହାକୁ ୩୩%କୁ ବଢ଼ାଯିବ । ୨୦୪୭ ସୁଦ୍ଧା ବାର୍ଷିକ ୫୦୦ ନିୟୁତ ଟନ୍ କାର୍ଗୋ ପରିଚାଳନା ଲାଗି ପ୍ରମୁଖ ବନ୍ଦରର ସମ୍ପ୍ରସାରଣ ଏବଂ ୮ଟି ନୂତନ ଅଣ ପ୍ରମୁଖ ବନ୍ଦର ସ୍ଥାପନ ହେବ । ସେହିଭଳି ଜେଟି ସହ ଆନୁଷଙ୍ଗିକ ଭିତ୍ତିଭୂମି ଦୃଢ଼ୀକରଣ ମଧ୍ୟ କରାଯିବ ବୋଲି ଭିଜନ ଡକ୍ୟୁମେଣ୍ଟ ୨୦୩୬ ଏବଂ ୨୦୪୭ରେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏବେ ରାଜ୍ୟର ବନ୍ଦରଗୁଡ଼ିକ ମିଳିତ ଭାବେ ୧୯୦ ନିୟୁତ ଟନ୍ ମାଲ ପରିଚାଳନା କରିଛନ୍ତି । ଯାହା ୨୦୪୭ ବେଳକୁ ୫୦୦ରୁ ୬୦୦ ନିୟୁତ ଟନ୍କୁ ବଢ଼ିବ ।
ଏହି ଲକ୍ଷ୍ୟ ପୂରଣ ଲାଗି ସ୍ୱୟଂ ସମ୍ପୂର୍ଣ୍ଣ ବନ୍ଦର ଭିତ୍ତିଭୂମିରେ ନିବେଶ ସହ ସମ୍ପ୍ରସାରଣ, ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର, ତଥ୍ୟ ଭିତ୍ତିକ କାର୍ଯ୍ୟାନ୍ୱୟନକୁ ଦୃଢ଼ କରିବା, ବୈଷୟିକ ସହଯୋଗକୁ ପ୍ରୋତ୍ସାହନ, ବାଧାମୁକ୍ତ ତଥ୍ୟ ବିନିମୟ, ବିଶ୍ଳେଷଣ ସହଯୋଗିତା ଏବଂ ସାମଗ୍ରିକ ଭାବେ କାର୍ଯ୍ୟ ପରିଚାଳନାର ଉପାଦେୟତା ବୃଦ୍ଧି ଉପରେ ବିଶେଷ ଧ୍ୟାନ ରଖିବେ ରାଜ୍ୟ ସରକାର । ପାରାଦୀପ, ଧାମରା ଏବଂ ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ବାଦ୍ ଅସ୍ତରଙ୍ଗ, ସୁବର୍ଣ୍ଣରେଖା, ଇଞ୍ଚୁଡି, ବାହୁଦା ଭଳି ସ୍ଥାନଗୁଡ଼ିକରେ ନୂଆ ବନ୍ଦର ବିକଶିତ ହେଉଛି । ନୌପରିବହନ ଅଭିବୃଦ୍ଧି ଲାଗି ରାଜ୍ୟ ମଧ୍ୟରେ ଜଳପଥ ବିକାଶ ଦ୍ୱାରା ସାମଗ୍ରୀ ପରିବହନ ତ୍ୱରାନ୍ୱିତ ଲକ୍ଷ୍ୟ ରଖାଯାଇଛି । ଏହି କ୍ରମରେ ରାଜ୍ୟରେ ୬ ଜାତୀୟ ଜଳପଥ (ଏନ୍ଡବ୍ଲ୍ୟୁ) ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ଡେଭଲପର, ପରିବହନକାରୀ, ଏଣ୍ଡ ୟୁଜରଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରି ଏନ୍ଡବ୍ଳ୍ୟୁ-୫ ଏବଂ ଏନ୍ଡବ୍ଲ୍ୟୁ ୬୪ ବିକାଶ କରାଯିବ । ଟେକ୍ନୋଲୋଜି ବ୍ୟବହାର ଦ୍ୱାରା ଜଳପଥର ସମ୍ପୂର୍ଣ୍ଣ ସମ୍ଭାବନାକୁ ପରଖିବେ ରାଜ୍ୟ ସରକାର । ୨୦୪୭ ସୁଦ୍ଧା ଏକ ତୃତୀୟାଂଶ ମାଲ୍ ପରିବହନ ଲକ୍ଷ୍ୟ ନେଇ ଉପକୂଳବର୍ତ୍ତୀ ଆର୍ଥିକ କ୍ଷେତ୍ର (ସିଇଜେଡ୍) ପାଇଁ ନୌବାଣିଜ୍ୟ ଉପକୂଳ ଆଞ୍ଚଳିକ ଯୋଜନା (ଏମ୍ସିଆର୍ପି) ମାଧ୍ୟମରେ ବନ୍ଦର ଆଧାରିତ ବିକାଶକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିଭଳି ଅଣ ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ୨ ନିୟୁତ ଟନ୍କୁ ବଢ଼ାଯିବ । ୨୦୪୭ ସୁଦ୍ଧା ୫ ଲକ୍ଷ କୋଟିର ଜାହାଜ ନିର୍ମାଣ ଏବଂ ମରାମତି ଶିଳ୍ପକୁ ପ୍ରୋତ୍ସାହନ ଦିଆଯିବ । ବିଶ୍ୱବିଦ୍ୟାଳୟରେ ଉତ୍ସର୍ଗୀକୃତ ସାମୁଦ୍ରିକ ଅଧ୍ୟୟନ ବିଭାଗ ଗବେଷଣା, ନବସୃଜନ ଏବଂ ସହଭାଗିତା ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏବେ ସୁବର୍ଣ୍ଣରେଖା ଏବଂ ଅସ୍ତରଙ୍ଗ ବନ୍ଦରର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି ।
ସୂଚନା ମୁତାବକ, ପାରାଦୀପ ବନ୍ଦର ଏବେ ୧୫୦ ନିୟୁତ ଟନ୍ରୁ ଊର୍ଦ୍ଧ୍ୱ ମାଲ୍ ପରିବହନ କରିବାକୁ ସକ୍ଷମ ହୋଇଛି । ସେହିଭଳି ଧାମରା ୪୩ ନିୟୁତ ଟନ୍ ମାଲ ପରିଚାଳନା କରିଛି । ୨୦୨୩-୨୪ରେ ରାଜ୍ୟର ବନ୍ଦରଗୁଡ଼ିକ ମିଳିତ ଭାବେ ୧୯୦ ନିୟୁତ ଟନ୍ ମାଲ ପରିଚାଳନା କରିଥିଲେ । ଓଡ଼ିଶା ଦେଶର ପୂର୍ବଭାଗ, ଆସିଆନ ଏବଂ ଇଣ୍ଡୋ-ପାସିଫିକ ଟ୍ରେଡ ରୁଟରେ ଥିବାରୁ ସାମୁଦ୍ରିକ ପରିବହନ କ୍ଷେତ୍ର ଅଭିବୃଦ୍ଧି ରାଜ୍ୟ ଲାଗି ନୂଆ ସୁଯୋଗ ସୃଷ୍ଟି କରିବ । ପାରାଦୀପ ବନ୍ଦର ଏବେ ଏ କ୍ଷେତ୍ରରେ ଏକ ପ୍ରମୁଖ ବନ୍ଦର ଭାବେ ବିକଶିତ ହୋଇସାରିଛି । ପାରାଦୀପ-ହରିଦାସପୁର, ତାଳଚେର-ଅନୁଗୋଳ-କଳିଙ୍ଗନଗର ଶିଳ୍ପାଞ୍ଚଳର ବିକାଶ ବନ୍ଦର ଭିତ୍ତିକ ମାଲ୍ ପରିବହନକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି । ଆଦାନି ଭଳି ପ୍ରମୁଖ ବନ୍ଦର କମ୍ପାନିଗୁଡ଼ିକ ରାଜ୍ୟରେ ନିବେଶ କରିଥିବାରୁ ଅଟୋମେଶନ ଏବଂ ଏଲ୍ଏନ୍ଜି କ୍ଷେତ୍ର ତ୍ୱରାନ୍ୱିତ ହୋଇଛି । ରାଜ୍ୟ ସରକାରଙ୍କ ଯୋଜନା ରାଜ୍ୟ ନୌବାଣିଜ୍ୟ ଦୃଢ଼ୀକରଣରେ ସହାୟକ ହେବ ବୋଲି ଆଶା କରାଯାଉଛି।