ଧାମରା, ୨୬/୬ : ରାଜ୍ୟ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂ ଦୁଇ ଦିନିଆ ଭଦ୍ରକ ଜିଲ୍ଲା ଗସ୍ତରେ ଯାଇଥିଲେ। ଗତ ମଙ୍ଗଳବାର ସଚିବ ବଲୱନ୍ତ ସିଂ ସହ ଜିଲ୍ଲାପାଳ ଧାମରା ଓ ଚନ୍ଦନିପାଳରେ କ୍ଷେତ୍ରୀୟ ଅନୁଧ୍ୟାନ କରିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଉପରେ ତର୍ଜମା କରିଥିଲେ। ଏହି ସମୟରେ ସେ ଚନ୍ଦନିପାଳ ବେଳାଭୂମି ପ୍ରକଳ୍ପ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ପର୍ଯ୍ୟଟକଙ୍କୁ ଖୁସି କରିବା ପାଇଁ ଧାମରା ବସ୍ଷ୍ଟାଣ୍ଡରୁ ଚନ୍ଦନିପାଳ ମୁହାଣ ମୁହଁଯାଏ ଦୁଇପାର୍ଶ୍ୱ ରାସ୍ତାକୁ ଦୁଇଥାକିଆ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି।
ଏହି ରାସ୍ତାରେ ଚନ୍ଦନିପାଳ ଓ କାଳିନାଳି ମାଛଧରା ଜେଟିରୁ ଅନବରତ ମାଛଗାଡ଼ି ଚାଲୁଛି। ଦୁଇପାର୍ଶ୍ୱ ରାସ୍ତା ଅଣଓସାରିଆ ହୋଇଥିବାରୁ ସଚିବ ଏହା ଉପରେ ଗୁରୁତ୍ୱ ଦେଇ ରାସ୍ତାକୁ ଓସାରିଆ କରିବାକୁ ପ୍ରସ୍ତାବ ଦେଇଛନ୍ତି । ସେହିପରି କାଳିନାଳିଠାରୁ ଧାମରା ବନ୍ଦର ପଛପାର୍ଶ୍ୱ ଯାହାକି ଚନ୍ଦନିପାଳ ଶେଷ ମୁଣ୍ଡ ଯାଏ ଉପକୂଳକୁ ଦୁଇଥାକିଆ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପର୍ଯ୍ୟଟକମାନେ ବେଳାଭୂମିକୁ ଓହ୍ଲାଇବା ପୂର୍ବରୁ ପାଖାପାଖି ଗୋଟିଏ କିମି ରାସ୍ତା ପାର୍ଶ୍ୱରେ ଦୁଇଥାକିଆ ପାହାଚ ଯାହାକି ମୁମ୍ବାଇ ସି-ବିଚ୍ ଭଳି ଅନୁଭବ କରିବେ ତାହା ନିର୍ମାଣ ହେବ । ଏଥିପାଇଁ ପାଖାପାଖି ୧୦୦ରୁ ଅଧିକ ଜବରଦଖଲକାରୀଙ୍କୁ ହଟାଇବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ଚନ୍ଦନିପାଳରେ ଥିବା ମାଛଅଡ଼ତ ଏବଂ ଶୁଖୁଆଖଳାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପ୍ରସ୍ତାବ ରହିଛି । ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଏବଂ ଭୂ-ଅର୍ଜନ ଅଧିକାରୀ କାର୍ତ୍ତିକ ମଣ୍ଡଳ ଏଥିପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି।