ପ୍ରମୂଖ ଖବର

ଗୃହ ମନ୍ତ୍ରଣାଳୟର ନୂଆ ସର୍ଭେ: ୪୭୬ ନୁହେଁ, ଓଡ଼ିଶା ଉପକୂଳ ଲମ୍ବିଛି ୫୭୪ କିମି, ବଦଳିଲା ସରକାରୀ ରେକର୍ଡ ତଥ୍ୟ

Published By : Prameya | January 5, 2025 10:39 AM

ଭୁବନେଶ୍ୱର,୦୫/୦୧: ବଦଳିଲା ସରକାରୀ ରେକର୍ଡ ତଥ୍ୟ । ୪୭୬ କିଲୋମିଟର ନୁହେଁ, ଓଡ଼ିଶା ଉପକୂଳ ଲମ୍ବିଛି ୫୭୪ କିମି । ସମୁଦ୍ର ଉପକୂଳକୁ ନେଇ ଗୃହ ମନ୍ତ୍ରଣାଳୟ ଏଭଳି ନୂଆ ତଥ୍ୟ ସାମ୍ନାକୁ ଆଣିଛି । ପୂର୍ବରୁ ଓଡ଼ିଶାର ସମୁଦ୍ର ଉପକୂଳ ଯେତିକି ଦର୍ଶାଯାଇଥିଲା, ତାହାଠାରୁ ୯୮ କିଲୋମିଟର ଅଧିକ ଉପକୂଳ ଲମ୍ବିଛି । ସାଟେଲାଇଟ ସହାୟତାରେ କରାଯାଇଥିବା  ଅତ୍ୟାଧୁନିକ ସର୍ଭେରୁ ଏଭଳି ତଥ୍ୟ ଜଣାପଡ଼ିଛି ।  

୫୩ ବର୍ଷ ପୂର୍ବରୁ ୧୯୭୦ ମସିହାରେ ଭାରତର ସାମୁଦ୍ରିକ ଉପକୂଳ ସର୍ଭେ କରାଯାଇଥିଲା । ସେ ସମୟରେ  ନା ସାଟେଲାଇଟ ତଥ୍ୟ ଥିଲା, ନା ଅତ୍ୟାଧୁନିକ ଜ୍ଞାନ କୌଶଳ ଉପଲବ୍ଧ ଥିଲା । ସମୁଦ୍ର କୂଳେ କୂଳେ ଉପକୂଳକୁ ମାପଚୁପ କରି ହିସାବ କରାଯାଇଥିଲା ।  ସେଇ ପୁରୁଣା ସର୍ଭେ ଅନୁସାରେ ଓଡ଼ିଶାର ସମୁଦ୍ର ଉପକୂଳ ୪୭୬.୪୦ କିଲୋମିଟର ଥିବା କୁହାଯାଇଥିଲା ।  ସେବେଠାରୁ ଓଡ଼ିଶାର ସମୁଦ୍ର ଉପକୂଳ ୪୮୦ କିମି ଥିବା କୁହାଯାଉଛି । ମାତ୍ର ଏବେ ଗୃହ ମନ୍ତ୍ରଣାଳୟର ସାନି ସର୍ଭେ ପରେ ସରକାରୀ ସ୍ତରରେ ଏ ରେକର୍ଡ ବଦଳିଛି ।  

୫୩ ବର୍ଷ ପରେ ଗୃହ ମନ୍ତ୍ରଣାଳୟ କରିଥିବା ସର୍ଭେର ସଂଶୋଧିତ ତଥ୍ୟ ଅନୁସାରେ ଭାରତର ସମୁଦ୍ର ଉପକୂଳ ୧୧ ହଜାର ୯୮ କିମି । ୧୯୭୦ ସର୍ଭେରେ  ଦର୍ଶାଯାଇଥିଲା ୭୫୧୬ କିମି । ଓଡ଼ିଶା ସମେତ ପଶ୍ଚିମବଙ୍ଗ ଗୁଜରାଟ, ମହାରାଷ୍ଟ, ଗୋଆ, କର୍ଣ୍ଣାଟକ,  ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶର ସମୁଦ୍ର ଉପକୂଳ ଲମ୍ବ ପୂର୍ବ ରେକର୍ଡଠାରୁ ଢେର ଅଧିକ ଥିବା ଜଣାପଡ଼ିଛି । 

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ  ବିଭାଗ ମୁଖ୍ୟ ପ୍ରଫେସର ତମୋଘ୍ନ ଆଚାର୍ଯ୍ୟ କହିଛନ୍ତି,  ନୂଆ ସର୍ଭେରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିଛି । ନୂଆ  ସର୍ଭେ ଅତ୍ୟାଧୁନିକ ଜ୍ଞାନ, କୌଶଳ ଉପଯୋଗ କରି  ଉପକୂଳର ତଥ୍ୟ ସଂଗ୍ରହ କରାଯାଇଛି । ସାଟେଲାଇଟ,  ଜିଆଇଏସ ସହ ରିମୋଟ ସେନସିଂ ଫଟୋ ଚିତ୍ର  ପୂରା ଟିକିନିଖି ତଥ୍ୟ ପ୍ରଦାନ କରିଛି । ତେଣୁ ୧୯୭୦  ମସିହା ତଥ୍ୟଠାରୁ ସଂଶୋଧିତ ତଥ୍ୟରେ ଏତେ  ଫରକ ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ପୂର୍ବରୁ  କେବଳ ସମୁଦ୍ର ସଂଲଗ୍ନ ସ୍ଥଳଭାଗକୁ ନେଇ ଉପକୂଳର  ହିସାବ କରାଯାଉଥିଲା । ଏବେ ଏଥିରେ ମୁହାଣକୁ  ବି ସାମିଲ କରାଯାଇଛି । ଗତ ୫ ଦଶନ୍ଧି ଭିତରେ  ଅନେକ ନୂଆ ମୁହାଁଣ ସୃଷ୍ଟି ହୋଇଛି । ବିଭିନ୍ନ ସ୍ଥାନରେ  ସମୁଦ୍ର କୂଳ ଲଘିଂ ଯେଉଁଭଳି ଭାବେ ଉପକୂଳକୁ ମାଡ଼ି  ଆସୁଛି, ତେଣୁ ଉପକୂଳ ଲମ୍ବ ବି ବଢ଼ୁଛି । ଗଞ୍ଜାମ  ଓ ଭିତରକନିକା ଅଞ୍ଚଳରେ ସମୁଦ୍ର ଉପକୂଳ ପୂର୍ବ  ରେକର୍ଡଠାରୁ ଅଧିକ ବଢ଼ିଥିବା ଅନୁମାନ କରାଯାଉଛି ।  

ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭୂଗୋଳ  ପ୍ରଫେସର ମନୋରଞ୍ଜନ ମିଶ୍ର କହିଛନ୍ତି, ପୂର୍ବ  ହିସାବର ଆଧାର ଭିନ୍ନ ଥିଲା । ସେତେବେଳେ ମୁହାଣ  ଆଦିକୁ ହିସାବକୁ ନିଆଯାଇନଥିଲା । ସମସ୍ତ ଦିଗକୁ  ହିସାବ କରିବା ପରେ ନୂଆ ରିପୋର୍ଟ ଜାରି ହୋଇଛି ।

  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.