ଭୁବନେଶ୍ୱର,୧୦/୧୧: ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ୱିତୀୟ ସର୍ବନିମ୍ନ । ପରିବାରର ମାସକୁ ହାରାହାରି ଆୟ ମାତ୍ର ୯,୨୯୦ ଟଙ୍କା । ବିହାର ସବୁଠୁ ତଳେ ପଡ଼ିଛି । ଓଡ଼ିଶା ଚାଷୀଙ୍କ ଆୟ ବିହାରଠୁ ମାତ୍ର ୩୮ ଟଙ୍କା ଅଧିକ ।
ସର୍ବଭାରତୀୟ ସ୍ତରରେ ଚାଷୀ ମାସକୁ ୧୩,୬୬୧ ଟଙ୍କା ରୋଜଗାର କରୁଛି । ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁୂ ପ୍ରକାଶ ପାଇଥିବା ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତିକରଣ ରିପୋର୍ଟରେ ଓଡ଼ିଶାର ଏହି ବିକଳ ଚିତ୍ର ପଦାକୁ ଆସିଛି । କେବଳ ସେତିକି ନୁହେଁ, ଗ୍ରାମୀଣ ଓଡ଼ିଶାରେ ମାସିକ ହାରାହାରି ପାରିବାରିକ ଆୟରେ ବି ଓଡ଼ିଶା ସ୍ଥିତି ଦୟନୀୟ । ୩୦ଟି ରାଜ୍ୟ ମଧ୍ୟରେ ତଳପଟୁ ଦୁଇ ନମ୍ବର । ଗାଁରେ ପରିବାର ପିଛା ଆୟ ମାତ୍ର ୮,୯୨୪ ଟଙ୍କା । ଯାହା ଜାତୀୟ ସ୍ତରରେ ୧୨,୬୯୮ ଟଙ୍କା ।
ଉପଭୋକ୍ତା ବ୍ୟୟ (କଂଜମ୍ପ୍ସନ୍ ଏକ୍ସପେଣ୍ଡିଚର୍) ରେ ଗ୍ରାମୀଣ ଓଡ଼ିଶା ସବୁଠୁ ପଛରେ । ସର୍ବଭାରତୀୟ ସ୍ତରରେ ଗ୍ରାମୀଣ ଅଞ୍ଚଳରେ ପରିବାର ମାସକୁ ୧୧,୨୬୨ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓଡ଼ିଶାରେ ଏହା ୭,୯୪୫ ଟଙ୍କା ବୋଲି ନାବାର୍ଡ ରିପୋର୍ଟରେ ଦର୍ଶାଯାଇଛି । ଗୋଆ ଏବଂ ଜମ୍ମୁ କାଶ୍ମୀର ଭଳି ରାଜ୍ୟରେ ଏହା ୧୭,୦୦୦ ଟଙ୍କାରୁ ଅଧିକ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଦେଶର ଚାଷୀ ପରିବାରଗୁଡ଼ିକର ହାରାହାରି ମାସିକ ଆୟରେ ଥିବା ବଡ଼ ଧରଣର ପ୍ରଭେଦକୁ ଏହି ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ପଞ୍ଜାବ ଓ ହରିୟାଣା ଚାଷୀଙ୍କ ଆୟ ଓଡ଼ିଶା ଓ ବିହାର ଚାଷୀଙ୍କ ତୁଳନାରେ ୩ ଗୁଣା ଅଧିକ । ୨୦୧୨-୧୩ରେ ପଞ୍ଜାବରେ ଚାଷୀ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ଥିଲା ୧୮,୦୫୯ ଟଙ୍କା, ଯାହାକି ୨୦୨୧-୨୨ରେ ୩୧,୪୩୩ ଟଙ୍କାକୁ ବୃଦ୍ଧି ପାଇଛି।
ସେହିଭଳି ହରିୟାଣାରେ ଏହା ୧୪,୪୩୪ ଟଙ୍କାରୁ ୨୫,୬୬୫ ଟଙ୍କାକୁ ବଢ଼ିଛି । ସମାନ ଅବଧିରେ କେରଳରେ ଚାଷୀ ପରିବାରଗୁଡ଼ିକର ମାସିକ ହାରାହାରି ଆୟ ୧୧,୮୮୮ ଟଙ୍କାରୁ ୨୨,୭୫୭ ଟଙ୍କାକୁ ବୃଦ୍ଧି ପାଇଛି ।
ରିପୋର୍ଟ ଅନୁସାରେ,୧୩ ରାଜ୍ୟରେ ଚାଷୀ ପରିବାରଗୁଡ଼ିକର ହାରାହାରି ମାସିକ ଆୟ ଜାତୀୟ ହାରାହାରି ୧୩,୬୬୧ ଟଙ୍କାରୁ କମ୍ ରହିଛି । ଓଡ଼ିଶା ସମେତ ୪ଟି ରାଜ୍ୟରେ ଏହା ୧୦,୦୦୦ ଟଙ୍କାରୁ କମ୍ ରହିଥିବା ଜଣାପଡ଼ିଛି । ବିହାରରେ ଚାଷୀଙ୍କ ହାରାହାରି ଆୟ ୯୨୫୨ ଟଙ୍କା ରହିଥିବାବେଳେ ଓଡ଼ିଶାରେ ଏହା ମାତ୍ର ୯୨୯୦ ଟଙ୍କା । ସେହିଭଳି ତ୍ରିପୁରାରେ ଏହା ୯୬୪୨ ଟଙ୍କା ଏବଂ ଝାଡ଼ଖଣ୍ଡରେ ୯୭୮୭ ଟଙ୍କା ରହିଛି।
ଆଇଆଇଏମ୍ ଲକ୍ଷେ୍ନøରେ ଫୁଡ୍ ଆଣ୍ଡ୍ ଏଗ୍ରିବିଜ୍ନେସ୍ ମ୍ୟାନେଜ୍ମେଣ୍ଟ ପଢ଼ାଉଥିବା ମାୟାକାନ୍ତ ଅୱସ୍ଥି କୁହନ୍ତି, ଏସବୁ ରାଜ୍ୟଗୁଡ଼ିକରେ ଲ୍ୟାଣ୍ଡ୍-ହୋଲ୍ଡିଂ ପାଟର୍ଣ୍ଣରେ ଅନ୍ତର ସ୍ପଷ୍ଟ ଦେଖିବାକୁ ମିଳୁଛି । ଯାହା ପାଖରେ ଛୋଟ ଜମି ରହୁଛି ସେଗୁଡ଼ିକୁ କାର୍ଯ୍ୟରେ ଲଗାଯାଉନାହିଁ । ଫଳରେ କ୍ଷୁଦ୍ର ଜମିଧାରୀମାନଙ୍କ ଆୟ କମ୍ ରହୁଛି । ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାନ(ଏନ୍ଏସ୍ଏସ୍ଓ)ର ଏକ ରିପୋର୍ଟ ଅନୁସାରେ ଭାରତରେ ୧୮.୯ କୋଟି ଗ୍ରାମୀଣ ପରିବାର ମଧ୍ୟରୁ ୪୯% ହେଉଛନ୍ତି କୃଷି ପରିବାର ।
୨୦୧୬-୧୭ରେ ଉତ୍ତର ପ୍ରଦେଶରେ କୃଷି ପରିବାରର ହାରାହାରି ମାସିକ ଆୟ ୬,୬୬୮ ଟଙ୍କା ଥିଲା, ଯାହାକି ସମସ୍ତ ରାଜ୍ୟଙ୍କ ମଧ୍ୟରେ ସର୍ବନିମ୍ନ ଥିଲା । ୫ ବର୍ଷ ପରେ ଅର୍ଥାତ୍ ୨୦୨୧-୨୨ରେ ୟୁପିରେ ଏଥିରେ ୬୩%ରୁ ଅଧିକ ସୁଧାର ଦେଖିବାକୁ ମିଳିଛି ଏବଂ ଏହା ବଢ଼ି ୧୦,୮୪୭ ଟଙ୍କା ହୋଇଛି । ଅର୍ଥାତ୍ କୃଷକଙ୍କ ଆୟ ବୃଦ୍ଧିରେ ଏହି ରାଜ୍ୟ ଆଖିଦୃଶିଆ ଅଗ୍ରଗତି କରିଛି ।