ନୂଆଦିଲ୍ଲୀ,୫।୧୨: ହମାସ ଉପରେ ଚାରିଆଡୁ ଆକ୍ରମଣ କରିବାର ଯୋଜନା କରିଛି ଇସ୍ରାଏଲ। ଏବେ ଆକ୍ରମଣ କରିବାର ନୂଆ ବାଟ ମଧ୍ୟ ବାହାର କରିଛି। ଇସ୍ରାଏଲୀ ସେନା ପମ୍ପ ମଗାଇଛି ଓ ଏହା ଜରିଆରେ ହମାସ ଦ୍ବାରା ତିଆରି କରାଯାଇଥିବା ବଙ୍କର ଓ ସୁଡଙ୍ଗରେ ପାଣି ଭର୍ତ୍ତି କରୁଛି। ଇସ୍ରାଏଲ ସେନାର କହିବା ଅନୁସାରେ, ଏଭଳି ଆକ୍ସନ ଉପରେ ହମାସର ଯୋଦ୍ଧା ସୁଡଙ୍ଗରୁ ବାହାରକୁ କରିବ କିମ୍ବା ଭିତରେ ହିଁ ମାରିଦେବ। ଓ୍ବାଲଷ୍ଟ୍ରୀଟ୍ର ରିପୋର୍ଟ ଅନୁସାରେ, ନଭମ୍ବେର ମଧ୍ୟରେ ଉତ୍ତର ଗାଜାରେ ଇସ୍ରାଏଲ ସେନା ୫ଟି ପମ୍ପ ମଗାଇଥିଲା। ଏହା ଜରିଆରେ କିଛି ସୁଡଙ୍ଗ ଭିତରେ ଅଳ୍ପ କିଛି ଘଣ୍ଟା ଭିତରେ ହଜାର କ୍ୟୁବିକ୍ ମିଟର ପାଣି ଭର୍ତ୍ତି କରି ଦିଆଯାଇଛି।
ଏବେ ଇସ୍ରାଏଲର ଏହି ଆକ୍ସନକୁ ଆହୁରି ବଢାଇବାର ନିଷ୍ପତ୍ତି ନେଇଛି। ତେବେ ଏହା ସ୍ପଷ୍ଟ ହୋଇପାରିନି ଯେ, ଇସ୍ରାଏଲ ସବୁ ବନ୍ଧକକୁ ମୁକ୍ତ କରିବା ପୂର୍ବରୁ ପୁରା ଗାଜାରେ ଏହି ଆକ୍ସନ ନେବ କି ନାହିଁ ? ଇସ୍ରାଏଲର କହିବା ଅନୁସାରେ, ହମାସ ବନ୍ଧକଙ୍କୁ ସୁରକ୍ଷିତ ସ୍ଥାନ ଓ ସୁଡଙ୍ଗରେ ଲୁଚାଇ ରଖିଛି। ଏଭଳି ସ୍ଥିତିରେ ଟନେଲରେ ପାଣି ଭରାଯିବା କିମ୍ବା ବନ୍ଧକଙ୍କ ମୁକ୍ତି ପର୍ଯ୍ୟନ୍ତ ଅପେକ୍ଷା ରହିବ। ଏହାକୁ ନେଇ ମନ୍ଥନ ଚାଲିଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଏହି ରଣନୀତି ଠିକ୍। ହମାସକୁ ଦୁର୍ବଳ କରିବା ଜରୁରୀ ଓ ଏଥିପାଇଁ ସବୁ ପ୍ରଣାଳୀ ଗ୍ରହଣ କରିବାକୁ ହେବ।
ତେବେ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାକୁ ନେଇ କିଛି ସୂଚନା ଦେଇ ନାହିଁ। ଏ ବିଷୟରେ ପଚରା ଯିବା ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସେଜ ସୁଡଙ୍ଗରେ ପାଣି ଭରିବା ଉପରେ କିଛି ସୂଚନା ଦେଇ ନାହାନ୍ତି। ତେବେ ଏହା କହିଛନ୍ତି ଯେ, ଆମେ ହମାସକୁ ଶେଷ କରିବାରେ ଲାଗି ରହିଛୁ। ଏଥିପାଇଁ ଅଲଗା ଅଲଗା ବାଟ ଗ୍ରହଣ କରାଯିବ।