ଚାନ୍ଦବାଲି,୧୧/୦୭: ଯାତାୟାତ ପାଇଁ ଗାଁକୁ ନାହିଁ ଭଲ ରାସ୍ତା । ଗାଁକୁ ଭଲ ରାସ୍ତା ନଥିବାରୁ ଶେଷରେ କାନ୍ଧରେ ବୁହା ହୋଇ ବାହା ହେବାକୁ ଗଲା ବର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଚଡଦିଆ ପଞ୍ଚାୟତ ଧୃବପଲ୍ଲୀପୁର ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଧୃବପଲ୍ଲୀପୁର ଗ୍ରାମର ସତ୍ରୁଘ୍ନ ନାମକ ଜଣେ ଯୁବକ ବାହା ହେବାପାଇଁ ଚାନ୍ଦବାଲି ସ୍ଥିତ ଶ୍ରୀକୃଷ୍ଣ ମନ୍ଦିରକୁ ଆସିଥିଲେ। ହେଲେ ଗାଁର ରାସ୍ତା କାଦୁଅ ପଚପଚ ଓ ଅଣ ଓସାରିଆ ଥିବାରୁ ଗାଁକୁ ଆସିପାରିଲା ନାହିଁ ଗାଡ଼ି । ତେଣୁ ବାଧ୍ୟ ହୋଇ ବରଯାତ୍ରୀଙ୍କ କାନ୍ଧରେ ବସି ରାସ୍ତା ପାର ହୋଇଥିଲା ବର । ପୁନଶ୍ଚ ବାହାଘର ପରେ ସେହି କାଦୁଅ ରାସ୍ତାରେ କନ୍ୟକୁ ଧରି ବରଯାତ୍ରୀଙ୍କ ସହ ଦୁଇ କିଲମିଟର ଚାଲି ଚାଲି ଘରକୁ ଫେରିଥିଲା ବର । ତେବେ ସ୍ଵାଧୀନତାର ୭୭ ବର୍ଷ ପରେ ବି ବନ୍ଦର ନଗରୀ ଚାନ୍ଦବାଲିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଗାଁକୁ ଭଲ ରାସ୍ତା ନଥିବାରୁ ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏପଟେ ସରକାରୀ ଜାଗା ନଥିବାରୁ ଓ ପାଖକୁ ପାଖ ଲାଗି ଘର ରହିଥିବାରୁ ଗାଁକୁ ରାସ୍ତା ହୋଇପାରୁନି ବୋଲି ସରପଞ୍ଚଙ୍କ ପ୍ରତିନିଧି ପ୍ରଶାନ୍ତ ମାଝୀ ନିଜର ମତ ପ୍ରକାଶ କରିଛନ୍ତି ।