ବାସୁଦେବପୁର,୧୧/୦୭: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଚାନ୍ଦିଆ ଗାଁରେ ଅଭାବନୀୟ ଘଟଣା । ଷଣ୍ଢ ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ସମେତ କିଛି ଗ୍ରାମବାସୀ ଆହତ ହୋଇଛନ୍ତି । ମୃତକ ନେପାଳୀ ଜେନା (୫୫ବର୍ଷ) ବୋଲି ଜଣାପଡିଛି।
ସୂଚନା ମୁତାବକ, ଶୁକ୍ରବାର ଭୋରୁ ନେପାଳୀଙ୍କ ଘର ଆଗରେ ଷେଣ୍ଢଟି ଶୋଇଥିଲା । ନେପାଳୀ ଉକ୍ତ ଷେଣ୍ଢକୁ ଘୋଉଡ଼ାଇବାକୁ ଚେଷ୍ଟା କରିଥିଲେ । ହେଲେ ଷଣ୍ଢଟି ନେପାଳୀଙ୍କୁ ମାରିବାକୁ ଦୌଡ଼ି ଆସି ଆକ୍ରମଣ କରିଥିଲା । ନେପାଳୀ ଷଣ୍ଢ ଆକ୍ରମଣରୁ ବର୍ତ୍ତିପାରିନଥିଲେ। ତାଙ୍କୁ ୨ରୁ ୩ ଥର ଉଠାଇ ପିଚୁ ରାସ୍ତାରେ କଚାଡି ଦେବାରୁ ସେ ସଂଜ୍ଞାହୀନ ହୋଇ ଯାଇଥିଲେ। ଷଣ୍ଢ ଆକ୍ରମଣ କରିଥିବା ଦେଖି ପୁଅ ମାନସ ସମେତ କେତେକ ଗ୍ରାମବାସୀ ଆସି ଷଣ୍ଢକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ଷଣ୍ଢ ଘଟଣାସ୍ଥଳରେ ଗ୍ରାମବାସୀଙ୍କୁ ଆକ୍ରମଣ କରି ଖସି ପଳାଇଥିଲା। ପରେ ଗ୍ରାମବାସୀ ନେପାଳୀଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ। ହେଲେ ଡାକ୍ତର ନେପାଳୀଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଆହତମାନେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଉକ୍ତ ମାରଣା ଷଣ୍ଢକୁ ଗ୍ରାମବାସୀମାନେ କାବୁ କରିଥିବା ଜଣାଯାଇଛି ।