ନୂଆଦିଲ୍ଲୀ,୦୧/୦୨: ବଜେଟରେ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଇନକମ ଟ୍ୟାକ୍ସକୁ ନେଇ ଆୟକରଦାତାଙ୍କୁ ବଡ ଉପହାର ମିଳିଛି । ୧୨ ଲକ୍ଷ ଯାଏଁ ଆୟକର ଛାଡ ହୋଇଛି । ଅର୍ଥାତ ୧୨ ଲକ୍ଷ ଯାଏ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ । ବଜେଟରେ ଏହି ଘୋଷଣା ପରେ ମଧ୍ୟବିତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଆଉ ଟ୍ୟାକ୍ସ ଭରିବା ନେଇ ସେମାନଙ୍କୁ ଚିନ୍ତା କରିବାକୁ ପଡିବ ନାହିଁ । ଏହା ସହିତ ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ୍ ଆସିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା ଦେବା ପରେ ମଧ୍ୟବିତ୍ତଙ୍କୁ ଆଶ୍ବସ୍ତି ମିଳିଛି ।
କିଏ ଦେବେ ଟ୍ୟାକ୍ସ- ସଂସଦରେ ବଜେଟ ଉପସ୍ଥାପନ ବେଳେ ଇନକମ ଟ୍ୟାକ୍ସକୁ ନେଇ କଣ ରହିଛି ତାହା ଉପରେ ନଜର ରହିଥିଲା । ଏଥିରେ ବଡ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ । ୧୨ ଲକ୍ଷ ଯାଏ ଟ୍ୟାକ୍ସ ଛାଡ ଘୋଷଣା କରିଥିଲେ ଯାହା ମଧ୍ୟବିତ୍ତଙ୍କ ପାଇଁ ଏକ ବଡ ଭେଟି ସାବ୍ୟସ୍ତ ହୋଇଛି । କ୍ୟାପିଟାଲ ଗେନ ଛଡା ଅନ୍ୟ ଆୟ ୧୨ ଲକ୍ଷ ପର୍ଯ୍ୟନ୍ତ ଟିକସ୍ ଛାଡ ଘୋଷଣା ହୋଇଛି । ନୂଆ ଟିକସ ବ୍ୟବସ୍ଥାରେ ୧୨ ଲକ୍ଷ ଯାଏଁ ଟ୍ୟାକ୍ସ ଚାଡ ହୋଇଛି । ୧୨ ରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟ ଥିବା ବ୍ୟକ୍ତି ୧୫ ପ୍ରତିଶତ, ୧୬ରୁ ୨୦ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ୨୦ ପ୍ରତିଶତ ଟ୍ୟାକ୍ସ ଦେବେ । ୨୦ରୁ ୨୪ ଲକ୍ଷ ଆୟ ଥିଲେ ୨୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ୨୪ ଲକ୍ଷରୁ ଅଧିକ ଆୟ ଥିଲେ ୩୦ ପ୍ରତିଶତ ଟ୍ୟାକ୍ସ ଦିଆଯିବ । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ଥିଲେ ବାର୍ଷିକ ୮୦ ହଜାର ଟଙ୍କା ବଞ୍ଚିବ ।
ଆସିବ ନୂଆ ଆୟକର ବିଲ୍- ବଜେଟରେ ଆୟକର ବିଲକୁ ନେଇ ବଡ ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ନୂଆ ଆୟକର ବିଲ ଆସିବ । ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ରଖିବା ସମୟରେ ଏହି ଘୋଷଣା କରିଛନ୍ତି । ନୂଆ ଆୟକର ଆଇନରେ ସରଳ ଭାଷାରେ ଲେଖାଯିବା ସହିତ ସାଧାରଣ ଲୋକମାନେ ଯେପରି ବୁଝିପାରିବେ ସେ ନେଇ ବ୍ୟବସ୍ଥା କରାଯିବ । ଅନାବଶ୍ୟକ ଏବଂ ଅପ୍ରଚଳିତ ନିୟମକୁ ହଟାଯିବ । ଏହା ସହିତ କର ବିବାଦକୁ କମ କରାଯିବ । ଏଥିପାଇଁ ୬୫୦୦ ମତାମତ ଗ୍ରହଣ କରାଯାଇଛି ।