ମୁମ୍ବାଇ: ମହାରାଷ୍ଟ୍ର ସରକାର ଆଜି (ଫେବୃଆରୀ ୩) ରାଜ୍ୟରେ 'ମରାଠୀ' ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରରେ, ଦେବେନ୍ଦ୍ର ଫଡନବିସଙ୍କ ସରକାର ଦ୍ୱାରା ସମସ୍ତ ସରକାରୀ, ଅର୍ଦ୍ଧ-ସରକାରୀ ଏବଂ ନଗର ନିଗମ କାର୍ଯ୍ୟାଳୟରେ ମରାଠୀ କହିବାକୁ ବାଧ୍ୟତାମୂଳକ କରାଯାଇଛି । ଏବେ ମରାଠୀରେ କଥାବାର୍ତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟାଳୟଗୁଡ଼ିକରେ ସାଇନ୍ ବୋର୍ଡ ଲଗାଯିବ । ସରକାରୀ କାର୍ଯ୍ୟାଳୟ କମ୍ପ୍ୟୁଟରଗୁଡ଼ିକରେ ମଧ୍ୟ ମରାଠୀ ଭାଷାର କି-ବୋର୍ଡ ରହିବ ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ପୂର୍ବରୁ ମରାଠୀ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଏବଂ ଭବିଷ୍ୟତ ପିଢ଼ି ଯେଉଁଭଳି ମହାନ ମରାଠୀ ଲେଖକମାନଙ୍କ ଦ୍ୱାରା ସୃଷ୍ଟିକୁ ପାଇପାରିବେ ସେଥିପାଇଁ କୃତ୍ରିମ ବୁଦ୍ଧିମତା (AI)କୁ ପୁଞ୍ଜି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପୁଣେର ଫର୍ଗୁସନ୍ କଲେଜରେ ତୃତୀୟ 'ବିଶ୍ୱ ମରାଠୀ ସମ୍ମିଳନୀ'ରେ ଫଡନାଭିସ୍, ରାଜ୍ୟର ମରାଠୀ ଭାଷା ବିଭାଗକୁ ମରାଠୀ ଭାଷା ଏବଂ ସାହିତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ AI ବ୍ୟବହାର କରି ଏକ କ୍ଷୁଦ୍ର ଭାଷା ମଡେଲ୍ ବିକଶିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଗତ ବର୍ଷ କେନ୍ଦ୍ର ସରକାର ମରାଠୀକୁ "ଶାସ୍ତ୍ରୀୟ ଭାଷା" ମାନ୍ୟତା ପ୍ରଦାନ କରିଥିଲେ। କିଛି ଲୋକ ମରାଠୀ ଭାଷା ବିଭାଗ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଉପରେ ପ୍ରଶ୍ନ ଉଠାଇଛନ୍ତି ବୋଲି ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ କହିଥିଲେ । ଏହା ଉପରେ ଫଡନବିସ୍ କହିଛନ୍ତି ଯେ, ବିତର୍କ ହେଉଛି ସାହିତ୍ୟିକ ସମ୍ମିଳନୀ କିମ୍ବା ନାଟ୍ୟ ମହୋତ୍ସବର ଏକ ଅବିଚ୍ଛେଦ୍ୟ ଅଂଶ । ଆଲୋଚନା ଏବଂ ମତ ପାର୍ଥକ୍ୟ ବିନା ଏପରି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ । ପ୍ରକୃତରେ, ବିତର୍କ କରିବା ଆମର ମୂଳ ସ୍ୱଭାବର ଏକ ଅଂଶ, କାରଣ ଆମେ ଭାବପ୍ରବଣ ଏବଂ ସମ୍ବେଦନଶୀଳ ମଣିଷ । ଆଲୋଚନା ଓ ପର୍ଯ୍ୟାଲୋଚନା ହେବା ଆବଶ୍ୟକ। ସେତେବେଳେ ହିଁ ପ୍ରକୃତ ବୌଦ୍ଧିକ ମନ୍ଥନ ଘଟିବ ବୋଲି ସେ କହିଛନ୍ତି । ଶାସ୍ତ୍ରୀୟ ଭାଷା ଭାବରେ ମାନ୍ୟତା ପାଇବା ଦ୍ବାରା ମରାଠୀକୁ ଉଚିତ ସମ୍ମାନ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ଫଡ଼ନବିସ୍ କହିଛନ୍ତି।