ନୂଆଦିଲ୍ଲୀ,୧୨।୧୨: ସଂସଦର ଶୀତକାଳୀନ ଅଧିବେଶନ ବେଳେ ଗୁରୁବାର ସଂସଦ ଭବନ ବାହାରେ ହୋଇଥିବା ହଙ୍ଗାମା ପରେ ଲୋକସଭାର କାର୍ଯ୍ୟ ଆରମ୍ଭ ହୋଇଛି। ଏହା ଭିତରେ ପ୍ରଶ୍ନକାଳ ବେଳେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ଏକ ପ୍ରଶ୍ନର ଉତ୍ତରରେ ରୋଡ୍ ଦୁର୍ଘଟଣା ବଢୁଥିବା ମାମଲାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଗଡକରୀ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ଏହା ଚିନ୍ତାର ବିଷୟ ଯେ, ବହୁ ଦେଶରେ ଦୁର୍ଘଟଣା ସଂଖ୍ୟା ଶୂନରେ ପହଁଞ୍ଚିଛି। କିନ୍ତୁ ଭାରତ ଏବେ ଏହି ମାମଲାରେ ଖୁବ୍ ପଛରେ ରହିଛି। ଏହି ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ମାମଲାକୁ ଦେଖି ସରକାର ଖୁବ୍ ଗମ୍ଭୀର ଅଛନ୍ତି। ତେବେ ବହୁ ଚେଷ୍ଟା କରିବା ପରେ ମଧ୍ୟ ସଡକ ଦୁର୍ଘଟଣା ସଂଖ୍ୟା କମ୍ ଆସିବା ତୁଳନାରେ ବଢିଯାଇଛି। ଗଡକରୀ କହିଛନ୍ତି, ଏହି କାରଣରୁ ସେ ଯେତେବେଳେ ବିଦେଶ ଯାଉଛନ୍ତି ତାଙ୍କୁ ଲଜ୍ଜିତ ହେବାକୁ ପଡୁଛି।
ଗୁରୁବାର ଲୋକସଭାରେ ଆମ୍ ଆଦମୀ ପାର୍ଟିର ସାଂସଦ ଗୁରମିତ୍ ସିଂହ ସଡକ ଦୁର୍ଘଟଣା ସଂଖ୍ୟାକୁ କମ୍ କରିବା ନେଇ ଭାରତର ଲକ୍ଷ୍ୟକୁ ନେଇ ପଚାରିଥିଲେ। ଉତ୍ତରରେ ଗଡକରୀ କହିଛନ୍ତି, ମୁଁ ୧୧ ବର୍ଷ ହେବ ଏହି ମନ୍ତ୍ରଣାଳୟରେ ରହିଛି। ଏହା ସତ ଯେ, ସ୍ବିଡେନ୍ ଭଳି ଦେଶ ଜିରୋ ଆକ୍ସିଡେଣ୍ଟ ମାମଲା ମଧ୍ୟ ରେକର୍ଡ କରିଛି। ତେଣୁ ଯେତେବେଳେ ମୁଁ ବିଦେଶ ଯାଉଛି ମୁହଁ ଲୁଚେଇ ଦେଉଛି। କାରଣ ଦୁନିଆରେ ସବୁଠାରୁ ଖରାପ ରେକର୍ଡ ଆମ ଦେଶରେ ରହିଛି।’ ସେ ଆହୁରି କହିଛନ୍ତି ମୁଁ ଏହା କହିଥିଲି ଯେ, ୨୦୨୪ ଶେଷ ହେବ ସୁଦ୍ଧା ଆମେ ସଡକ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟାକୁ ୫୦% ପର୍ଯ୍ୟନ୍ତ କମ୍ କରିବୁ। କିନ୍ତୁ କମ୍ ହେବା ବଦଳରେ ଦୁର୍ଘଟଣା ବଢି ଯାଉଛି। ଏହା ଏକ ଏଭଳି ବିଷୟ ଯେଉଁଥିରେ ଆମେ ସଫଳ ହୋଇପାରିନୁ। ’
ଗଡକରୀ କହିଛନ୍ତି, କେବଳ ନିୟମ ତିଆରି କରିଦେଲେ ସଡକ ଦୁର୍ଘଟଣା କମିଯିବନି। ଏଥିପାଇଁ ସମାଜର ସାଥ୍ ଦରକାର। ଜନସାଧାରଣଙ୍କ ଚିନ୍ତାଧାରା ଓ ଆଇନ୍ ପ୍ରତି ସମ୍ମାନ ଯେତେବେଳେ ସୃଷ୍ଟି ନହୋଇଛି ସେ ପର୍ଯ୍ୟନ୍ତ ଏହା କଷ୍ଟକର ଲୋକଙ୍କ ସହଯୋଗରୁ ସେ ନିଶ୍ଚିତ ଭାବରେ ଦୁର୍ଘଟଣାକୁ କମ୍ କରିବାର ଚେଷ୍ଟା କରିବେ। ଏହି ସମୟରେ ଗଡକାରୀ ନିଜ ଓ ନିଜ ପରିବାର ସହ ମହାରାଷ୍ଟ୍ରରେ ହୋଇଥିବା ସଡକ ଦୁର୍ଘଟଣାର ମଧ୍ୟ ଆଲୋଚନା କରିଥିଲେ। ଯେଉଁଥିରେ ତାଙ୍କ ପରିବାର ଅଳ୍ପକେ ବର୍ତ୍ତି ଯାଇଥିଲ। ସେ କହିଛନ୍ତି, ମୁଁ ଏଥିପାଇଁ ସମ୍ବେଦନଶୀଳ, କାରଣ ମୁଁ ନିଜେ ଏହାର ଭୁକ୍ତଭୋଗୀ ରହିସାରିଛି।’