ନୂଆଦିଲ୍ଲୀ,୧୬।୭: ୟେମେନରେ ଫାଶୀ ଦଣ୍ଡର ସାମ୍ନା କରୁଥିବା ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ କମୁନି ଅଡୁଆ। ଏବେ ମୃତ ୟେମେନି ନାଗରିକ ତଲାଲ ଆବଦୋ ମେହେଦିଙ୍କ ପରିବାର ସ୍ପଷ୍ଟ ଭାବରେ ମନା କରିଛନ୍ତି ସେମାନେ ‘ବ୍ଲଡ ମନି’ ନେବେ ନାହିଁ । ତଲାଲଙ୍କ ଭାଇ କହିଛନ୍ତି, ଆମ ପରିବାର କୌଣସି ଅଫର ଗ୍ରହଣ କରିବୁନି । ଆମେ ଚାହୁଁଛୁ ଆମ ଭାଇର ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ମିଳୁ। ଏହା ଖୁବ୍ ଗମ୍ଭୀର ଅପରାଧ। ଏଥିରେ କାହାକୁ କ୍ଷମା ଦିଆଯିବନି। ଏହି ମାମଲାରେ ‘ଦିୟତ’ ଅର୍ଥାତ୍ ବ୍ଲଡ ମନି ସ୍ବୀକାର କରିବେନି।
ୟେମେନ ଆଇନ ଅନୁସାରେ, ଯଦି ମୃତ ବ୍ୟକ୍ତିର ପରିବାର ଲୋକ କ୍ଷତିପୂରଣ ବାବଦରେ କ୍ଷମା ଦିଅନ୍ତି ତେବେ ଦୋଷୀର ସଜା ଶେଷ ହୋଇଯାଏ। ତଲାଲଙ୍କ ଭାଇ ଅବଦେଫତେହ ଫେସବୁକ୍ରେ ଲେଖିଛନ୍ତି ଆଜି କ’ଣ ହେଉଛି। ମଧ୍ୟସ୍ଥତା ଓ ସାମାଧାନର କଥା ହେଉଛି। ଏହା କୌଣସି ନୂଆ କଥା ନୁହେଁ ନା କି ଚକିତ ହେବା ଭଳି କୌଣସି ଜିନିଷ। ଚଳିତ ବର୍ଷ ପୁଣିଥରେ ବୁଝାମଣା ପାଇଁ ଚେଷ୍ଟା କରାଯାଉଛି। ଆମ ଉପରେ ଖୁବ୍ ଚାପ ପକାଯାଉଛି, କିନ୍ତୁ ଆମର ଦାବି ବଦଳିବ ନାହିଁ। ଆମେ କୌଣସି ପରିସ୍ଥିତିରେ ବ୍ଲଡ ମନି ଗ୍ରହଣ କରିବୁନି। କାରଣ ରକ୍ତକୁ କିଣାଯାଇ ପାରେନି।
ତଲାଲଙ୍କ ଉପରେ ଅଭିଯୋଗ ଥିଲା ସେ ନିମିଷାଙ୍କୁ ନିର୍ଯାତନା ଦେବା ସହ ତାଙ୍କର ପାସପୋର୍ଟ ରଖିଦେଇଥିଲେ। ତାକୁ ହାସଲ କରିବା ପାଇଁ ନିମିଷା ତାଙ୍କୁ ନିଶା ଇଞ୍ଜେକସନ୍ ଦେଇଥିଲେ। ଓଭରଡୋଜ୍ କାରଣରୁ ୟେମେନି ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ନିମିଷାଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରାଯାଇଥିଲା। ତାଙ୍କୁ ଆଜି ଅର୍ଥାତ ୧୬ ଜୁଲାଇରେ ଫାଶୀ ମିଳିବାର ଥିଲା, କିନ୍ତୁ କେରଳର ଗ୍ରାଣ୍ଡ ମୁଫତି ଅବୁ ବକର ମୁସାଲିୟାରଙ୍କ ହସ୍ତକ୍ଷେପ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।