ନୂଆଦିଲ୍ଲୀ,୨୩/୦୮: ଅନ୍ଲାଇନ୍ ଜୁଆ ଖେଳ ଉପରେ ଏବେ ଲାଗିବ ବ୍ରେକ୍ । ବେଟିଂ ଗେମ୍ ଆପ୍ଗୁଡ଼ିକ ବ୍ୟାନ ହୋଇଯିବ । ମୋଟା ଲାଭା ଆଶା ଦେଖାଇ ଲୋକଙ୍କୁ ଫସାଉଥିବା ଫ୍ଲାଟଫର୍ମ ହେବେ ସାବାଡ । ନିୟମ ଉଲ୍ଲଂଘନ କଲେ ଜରିମାନା ସହ ଜେଲଦଣ୍ଡ ବି ହେବ । ସଂସଦର ଉଭୟ ଗୃହରେ ଅନ୍ଲାଇନ୍ ଗେମିଂ ବିଲ୍ ପାସ ହେବା ପରେ ତାକୁ ରାଷ୍ଟ୍ରପତି ମଞ୍ଜୁରୀ ମିଳିଛି । ଆଇନ୍ରେ ପରିଣତ ହୋଇଛି ଅନ୍ଲାଇନ୍ ଗେମିଂ ବିଲ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର 'ଅନଲାଇନ୍ ଗେମିଂ ବିଲ୍ ୨୦୨୫'କୁ ଅନୁମୋଦନ କରିଛନ୍ତି । ଆଜି (ଶନିବାର) ଏହାର ବିଜ୍ଞପ୍ତି ଜାରି ହୋଇପାରେ ।
ଗତ ଅଗଷ୍ଟ ୨୦ ତାରିଖରେ ସଂସଦର ଲୋକସଭାରେ ଅନ୍ଲାଇନ୍ ଗେମିଂ ବିଲ୍ ପାସ୍ ହୋଇଥିଲା । ପରେ ରାଜ୍ୟସଭାରେ ପାରିତ ହୋଇଥିଲା । ଏଣିକି ସମ୍ପୂର୍ଣ୍ଣ ବ୍ୟାନ ହୋଇଯିବ ମନି ଗେମ୍ ଆପ୍ । ଏହି ଆଇନର ଉଦ୍ଦେଶ୍ୟ ହେଉଛି ଇ-ଗେମିଂକୁ ପ୍ରୋତ୍ସାହିତ କରିବା, କିନ୍ତୁ ଅନଲାଇନ୍ ଟଙ୍କା ଖେଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା । ସରକାର କହିଛନ୍ତି ଯେ, ଏହି ପଦକ୍ଷେପ ନିଶା, ଆର୍ଥିକ କ୍ଷତି ଏବଂ ଆତ୍ମହତ୍ୟା ଭଳି ବିପଦକୁ ରୋକିବ । ଏହା ସହିତ, ଇ-କ୍ରୀଡାକୁ ଏବେ ଆଇନଗତ ସ୍ୱୀକୃତି ମିଳିବ ଏବଂ ଯୁବପିଢ଼ି ପାଇଁ କ୍ରୀଡାର ଏକ ନୂଆ କ୍ଷେତ୍ର ଖୋଲିବ ।
ଅଧିକ ପଢନ୍ତୁ...ଲୋକସଭାରେ ଅନ୍ଲାଇନ୍ ଗେମିଂ ବିଲ୍ ଆଗତ, ନିୟମ ନମାନିଲେ ହୋଇପାରେ ୩ ବର୍ଷ ଜେଲ
ନିୟନ ଉଲ୍ଲଘଂନ କଲେ କଣ ଦଣ୍ଡ ?
.ଏପରି ଗେମିଂ ଆପ୍ ଚଲାଉଥିବା ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
.ବିଜ୍ଞାପନ ଦେଉଥିବା ବ୍ୟକ୍ତିଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
.ଟଙ୍କା ସମ୍ବନ୍ଧୀୟ କାରବାର ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
.ବାରମ୍ବାର ଅପରାଧ କରୁଥିବା ବ୍ୟକ୍ତିଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ।
'ସମାଜକୁ ସୁରକ୍ଷତି ରଖିବା ଲକ୍ଷ୍ୟ'- ସରକାର ଅଧିକାରୀମାନଙ୍କୁ ଅନଲାଇନ୍ କିମ୍ବା ଅଫଲାଇନ୍ ସମ୍ପତ୍ତି ଜବତ କରିବା ଏବଂ ବିନା ୱାରେଣ୍ଟରେ ଗିରଫ କରିବାର କ୍ଷମତା ମଧ୍ୟ ଦେଇଛନ୍ତି । ସୂତ୍ର ଅନୁଯାୟୀ, ଏହି ଆଇନ ଯୋଗୁଁ ସରକାର ବାର୍ଷିକ ୧୫ ହଜାରରୁ ୨୦ ହଜାର କୋଟି ଟଙ୍କାର ଜିଏସ୍ଟି ହରାଇପାରନ୍ତି । କିନ୍ତୁ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ କହିଛି ଯେ, ରାଜସ୍ୱ କ୍ଷତି ଅପେକ୍ଷା ସମାଜକୁ ସୁରକ୍ଷିତ ରଖିବା ଅଧିକ ଗୁରୁତ୍ୱପୂର୍ଣ୍ଣ ।
ରିୟଲ ମନି ଗେମ କ'ଣ ? ଅନଲାଇନ୍ ରିୟଲ ମନି ଗେମ ସେହି ଡିଜିଟାଲ୍ ପ୍ଲାଟଫର୍ମକୁ ବୁଝାଏ ଯେଉଁଠାରେ ଖେଳାଳିମାନେ ଖେଳରେ ଅଂଶଗ୍ରହଣ କରିବା ପାଇଁ ଟଙ୍କା ଦିଅନ୍ତି । ନଗଦ ପୁରସ୍କାର ଜିତନ୍ତି । ଏଥିରେ ନଗଦ ବାଜି ଏବଂ ଟଙ୍କା ଜିତିବା ସହିତ ସମସ୍ତ ଅନଲାଇନ୍ ଖେଳ ଅନ୍ତର୍ଭୁକ୍ତ ରହିଛି ।