ନୂଆଦିଲ୍ଲୀ,୨୩/୦୮: ଦେଶରେ ଦିନକୁ ଦିନ ବଢ଼ିଚାଲିଛି ଅପରାଧ । ନିକଟରେ ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ ରେକର୍ଡ ଥିବା ରିପୋର୍ଟ ପ୍ରକାଶ ପାଇଛି । ୩୦ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୨ ମୁଖ୍ୟମନ୍ତ୍ରୀ ଅର୍ଥାତ୍ ୪୦ ପ୍ରତିଶତଙ୍କ ନାଁରେ ଅପରାଧିକ ମାମଲା ରହିଛି ।ସେଥିମଧ୍ୟରୁ ୧୦ ଜଣ ଅର୍ଥାତ ୩୩ ପ୍ରତିଶତଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଲାଞ୍ଚ ନେବା ଭଳି ମାମଲା ରହିଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନାଁରେ ସର୍ବାଧିକ ୮୯ଟି ଅପରାଧିକ ମାମଲା ରହିଛି । ତେବେ ସେମାନେ ଦାଖଲ କରିଥିବା ସତ୍ୟପାଠରୁ ଏହା ଜଣାପଡ଼ିଥିବା ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ ବା ଏଡିଆର୍ ରିପୋର୍ଟ ପ୍ରକାଶ ପାଇଛି।
ସର୍ବାଧିକ ମାମଲା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ନାଁରେ ଥିବା ବେଳେ ତାଙ୍କ ତଳକୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ରହିଛନ୍ତି । ଷ୍ଟାଲିନଙ୍କ ବିରୋଧରେ ୪୭ ମାମଲା ରହିଛି । ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନାଁରେ ୧୯, କର୍ଣ୍ଣାଟକର ସିଦ୍ଦରମୈୟାଙ୍କ ନାଁରେ ୧୩, ଝାଡ଼ଖଣ୍ଡର ହେମନ୍ତ ସୋରେନଙ୍କ ନାଁରେ ୫ ମାମଲା ରହିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ ଏବଂ ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂଙ୍କ ନାଁରେ ୪ଟି ଲେଖାଏଁ ମାମଲା ରହିଛି । ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନାଁରେ ୨ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ବିରୋଧରେ ଗୋଟିଏ ମାମଲା ଥିବା ସେମାନେ ଘୋଷଣା କରିଛନ୍ତି । ସଙ୍ଗିନ ଅପରାଧିକ ମାମଲାରେ ୩୦ ଦିନ ଜେଲରେ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନଙ୍କର ପଦ ଯିବା ଲାଗି କେନ୍ଦ୍ର ସରକାର ନିକଟରେ ବିଧେୟକ ଆଣିବା ପରେ ଏଡିଆର୍ ଏହି ରିପୋର୍ଟ ପ୍ରକାଶ କରିଛି । ଏବେ ମୁଖ୍ୟମନ୍ତ୍ରୀ ଥିବା ବିଭିନ୍ନ ଦଳର ନେତାଙ୍କ ସତ୍ୟପାଠ ବିଶ୍ଳେଷଣ କରି ଏଡିଆର୍ ତଥ୍ୟ ଜାରି କରିଛି।