ନୂଆଦିଲ୍ଲୀ, ୨୩।୮: ଆପଣ ନିଶ୍ଚୟ ଫୋନ ବ୍ୟବହାର କରୁଥିବେ । ଏଥିରେ ଇନଷ୍ଟାଗ୍ରାମ ଆଉ ୟୁଟ୍ୟୁବ ତ ନିଶ୍ଚୟ ଥିବ । ଆଜିକାଲି ରିଲ୍ସ ହେଉ କିମ୍ବା ୟୁଟ୍ୟୁବ ସର୍ଟସରେ ସ୍କ୍ରୋଲିଂରେ ସମୟ କାଟିବା ଏକ ସାଧାରଣ କଥା ପାଲଟିଗଲାଣି, କିନ୍ତୁ ନିକଟରେ ଜଣେ ନ୍ୟୁରୋସାଇନ୍ଟିଷ୍ଟ ଏକ ଏଭଳି ଚେତାବନୀ ଦେଇଛନ୍ତି, ଯାହାକୁ ଶୁଣିଲେ ଆପଣ ଏବେ ହିଁ ଇନଷ୍ଟା ଡିଲିଟ୍ ମାରିବେ । ଯଦି ଆପଣ ଇନଷ୍ଟାଗ୍ରାମ ସ୍କ୍ରୋଲିଂ କରୁଛନ୍ତି, ତେବେ ଏହା ମଦ ପିଇବା ସଙ୍ଗେ ସମାନ । ଆପଣ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ସହ ସମାନ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ଆପଣ କହିବେ ଏ କି ଅଜବ କଥା । ଇନଷ୍ଟାଗ୍ରାମ ସହିତ ମଦର କି ସମ୍ପର୍କ ? କିନ୍ତୁ, ଏଭଳି ରିପୋର୍ଟ ଦେଇଛନ୍ତି ତିଆନଜିନ ନର୍ମାଲ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର କିଆଙ୍ଗ ୱାଙ୍ଗ । କିଆଙ୍ଗଙ୍କ କହିବାନୁସାରେ, ଅତ୍ୟଧିକ ସର୍ଟ-ଫର୍ମ ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କ ମସ୍ତିଷ୍କରେ ରିୱାର୍ଡ ପାଥୱେରେ ଅଧିକ କାର୍ଯ୍ୟକଳାପ ଦେଖାଯାଏ, ଯାହା ମଦ କିମ୍ବା ଜୁଆ ଭଳି ନିଶା ସମୟରେ ହୁଏ । ଏପରିକି ଏହା ମସ୍ତିଷ୍କ ଉପରେ ମଦ ପିଇବା ସଦୃଶ କ୍ଷତିକାରକ ପ୍ରଭାବ ପକାଇପାରେ ।
ଆପଣ ଦୈନିକ କେତେ ସମୟ ରିଲ୍ସ ଆଉ ସର୍ଟ୍ସରେ ବିତାଉଛନ୍ତି ? ଏହି ରିପୋର୍ଟରୁ ଚେକ୍ କରିନିଅନ୍ତୁ । ଯଦି ଅତ୍ୟଧିକ ସମୟ ରିଲ୍ସ ଆଉ ସର୍ଟ୍ସରେ ଦେଖୁଛନ୍ତି ଏହାର କୁପ୍ରଭାବ ବିଷୟରେ ବି ଜାଣିନିଅନ୍ତୁ । ଚୀନରେ ୟୁଜର୍ସମାନେ ଦୈନିକ ହାରାହାରି ୧୫୧ ମିନିଟ ଅର୍ଥାତ୍ ଅଢ଼େଇ ଘଣ୍ଟା ଭିଡିଓ ଦେଖନ୍ତି, ଯାହା ନିଦ୍ରା ଓ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇ ଡିପ୍ରେସନ ଆଦି ବୃଦ୍ଧି କରେ । ଫରିଦାବାଦର ମାରେଙ୍ଗୋ ଏସିଆ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡ. କୁନାଲ ବାହରାନୀ କହିଛନ୍ତି, ସର୍ଟ ଭିଡିଓ ଦେଖିବା ମସ୍ତିଷ୍କରେ ଡୋପାମାଇନ ସ୍ତର ବୃଦ୍ଧି କରେ, ଯାହା ଆନନ୍ଦ ଓ ଅନୁଭବ କରାଏ । କିନ୍ତୁ, ଏହା ଅତ୍ୟଧିକ ହେଲେ ମସ୍ତିଷ୍କର ରିୱାର୍ଡ ସିଷ୍ଟମକୁ ‘ହାଇଜାକ’ କରି ନିଶାରେ ପରିଣତ ହୁଏ । ଏହା ପ୍ରିଫ୍ରଣ୍ଟାଲ କର୍ଟେକ୍ସକୁ ସଙ୍କୁଚିତ କରି ଧ୍ୟାନ, ଆତ୍ମନିୟନ୍ତ୍ରଣ ଓ ନିଷ୍ପତ୍ତି ଗ୍ରହଣ କ୍ଷମତାକୁ ଦୁର୍ବଳ କରେ । ରାତିରେ ଅତ୍ୟଧିକ ସ୍କ୍ରୋଲିଂ ହିପୋକାମ୍ପସକୁ ପ୍ରଭାବିତ କରି ସ୍ମୃତିଶକ୍ତି ଓ ଶିଖିବା କ୍ଷମତା ହ୍ରାସ କରେ ।
ଦୈନିକ ୨-୩ ଘଣ୍ଟାରୁ ଅଧିକ ସ୍କ୍ରିନ ଟାଇମ ମସ୍ତିଷ୍କ ପାଇଁ ‘ଡିଜିଟାଲ ଇଣ୍ଟକ୍ସିକେସନ’ ସୃଷ୍ଟି କରିପାରେ । ଯାହା ଦୀର୍ଘକାଳୀନ ଭାବେ ‘ଡିଜିଟାଲ ଡିମେନ୍ସିଆ’ରେ ପରିଣତ ହୋଇପାରେ । ତେଣୁ ସୀମିତ ବ୍ୟବହାର ଓ ମଧ୍ୟମ ପନ୍ଥା ଅବଲମ୍ବନ ଏହି ନିଶାରୁ ରକ୍ଷା ପାଇଁ ଜରୁରୀ । ଯଦି ଆପଣ ବାସ୍ତବରେ ନିଜ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବାକୁ ଚାହୁଁନାହାନ୍ତି ତେବେ ଏବେଠୁ ହିଁ ସତର୍କ ହୋଇଯାନ୍ତୁ । ନଚେତ ଆପଣ ବି ଏ ମାରାତ୍ମକ ମାନସିକ ରୋଗ ‘ଡିଜିଟାଲ ଡିମେନ୍ସିଆ’ରେ ଆକ୍ରାନ୍ତ ହୋଇପାରନ୍ତି ।