ନୂଆଦିଲ୍ଲୀ, ୨୩/୦୮ : କର୍ଣ୍ଣାଟକର ଧାର୍ମିକସ୍ଥଳୀରେ ୭୦ ରୁ ୮୦ ଶବ ପୋତା ହୋଇଥିବା ମାମଲାରେ ବଡ଼ ଟ୍ଵିଷ୍ଟ୍। ଗିରଫ ହେଲେ ଅଭିଯୋଗ ଆଣିଥିବା ସଫେଇ କର୍ମୀ। ମିଥ୍ୟା ଦାବି ଅଭିଯୋଗରେ ଏସଆଇଟି ଟିମ୍ ଅଭିଯୋଗକାରୀଙ୍କୁ ଗିରଫ କରିଛି। ପ୍ରଥମିକ ତଦନ୍ତରୁ ଯେଉଁ ଖପୁରୀ ଜବତ ହୋଇଥିଲା ତାହା ନକଲି ବୋଲି ଜଣାପଡ଼ିଛି। ଅଭିଯୋଗକାରୀଙ୍କ ବୟାନରେ ତାଳମେଳ ରହୁନଥିବା ଓ ମିଛ ପ୍ରମାଣ ଯୋଗୁଁ ତାଙ୍କୁ ଗିରଫ କରାଯାଇଥିବା ତଦନ୍ତ କରୁଥିବା ଅଧିକାରୀ କହିଛନ୍ତି।
ସଫେଇ କର୍ମଚାରୀ ଜଣଙ୍କ ଦାବି କରିଥିଲେ ଯେ, ୧୯୯୫ ରୁ ୨୦୧୪ ମଧ୍ୟରେ ସେ ଉକ୍ତ ଧାର୍ମିକସ୍ଥଳୀରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ବହୁ ମହିଳା ଓ ନାବାଳିକାଙ୍କ ଶବ ପୋତିବାକୁ ବାଧ୍ୟ କରାଯାଇଥିଲା। ଯୌନ ଶୋଷଣ ପରେ ମହିଳା ଓ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଶବ ଗୁଡ଼ିକରୁ ଜଣାପଡ଼ୁଥିଲା। ଏହାପରେ ନେତ୍ରବତୀ ନଦୀ କୂଳରେ ଅଭିଯୋଗକାରୀ ଚିହ୍ନଟ କରିଥିବା ସ୍ଥାନରେ ଏସଆଇଟି ଖୋଳାଖୋଳି କରିଥିଲା। ପ୍ରାୟ ୧୫ଟି ସ୍ଥାନରେ ଖୋଳାଯାଇଥିଲା। ହେଲେ ଦୁଇଟି ସ୍ଥାନରୁ କିଛି କଙ୍କାଳ ମିଳିଥିଲା। ଏହି ଘଟଣା ପରେ କର୍ଣ୍ଣାଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା।
ସଫେଇ କର୍ମଚାରୀ ଜଣଙ୍କ ୧୦ ବର୍ଷ ପରେ କାହିଁକି ଏହି ଘଟଣା ପ୍ରକାଶ କଲେ ପଚରାଯିବାରୁ, ସେ କହିଥିଲେ ଯେ ଏହି କାର୍ଯ୍ୟ ପାଇଁ ସେ ପଶ୍ଚାତାପ କରିବା ସହ ନିଜକୁ ଦୋଷୀ ଅନୁଭବ କରୁଥିଲେ। ସ୍ଵପ୍ନରେ କଙ୍କାଳ ଦେଖୁଥିଲେ। ତାଙ୍କ ଜୀବନ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ବିପଦ ଥିବାରୁ ଦୀର୍ଘ ଦିନ ଧରି ସେ ଚୁପ୍ ଥିଲେ।