ଭୁବନେଶ୍ୱର, ୪।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୬ରେ ରାୟଗଡା ରେଳ ମଣ୍ଡଳ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏଥି ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନୂତନ ଜାମ୍ମୁ ରେଳ ରେଳ ମଣ୍ଡଳ ଏବଂ ଚର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଓଡିଶାର ରାୟଗଡା ରେଳ ମଣ୍ଡଳ ପାଇଁ ମଧ୍ୟ ଶିଳାନ୍ୟାସ କରିବେ । କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଜାମ୍ମୁ ଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ।
ରାୟାଗଡା ରେଳ ମଣ୍ଡଳ ମୁଖ୍ୟାଳୟ ଭବନର ନିର୍ମାଣ ପାଇଁ ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୭ କୋଟି ଟଙ୍କା । ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପରେ ସ୍ଥାନୀୟ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଅନେକ ପ୍ରମୁଖ ଉପାଦାନ ଅନ୍ତର୍ଭୂକ୍ତ ହେବ ।
ରାୟଗଡା ରେଳ ମଣ୍ଡଳ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ସମାରୋହ ଓଡ଼ିଶାର ରାୟାଗଡାଠାରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ଜାମ୍ମୁରୁ ଭିଡିଓ କନଫରେନସିଂ ମାଧ୍ୟମରେ ଅଂଶଗ୍ରହଣ କରିବେ । ରାୟଗଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର କମ୍ଭମପତି ହରି ବାବୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ଏବଂ ରେଳବାଇ ଓ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ ପ୍ରମୁଖ ଯୋଗଦେବେ ।