ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ବଢ଼ିଲାଣି ତୈଳ ଚିନ୍ତା: ୮୦ ଡଲାର ମୁହାଁ ଅଶୋଧିତ ତେଲ ଦର, ଯୁଦ୍ଧ ତେଜିଲେ ସ୍ଥିତି ଭୟଙ୍କର ହେବ

ନୂଆଦିଲ୍ଲୀ,୦୮/୧୦: ଇରାନ ଏବଂ ଇସ୍ରାଏଲ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ସମଗ୍ର ବିଶ୍ୱର ଚିନ୍ତା ବଢ଼ାଇଲାଣି । ପ୍ରଥମେ ରୁଷ-ୟୁକ୍ରେନ ଏବଂ ପରେ  ଇସ୍ରାଏଲ୍‌-ହମାସ ଯୁଦ୍ଧ । ବର୍ଦ୍ଧିତ ଭୁ-ରାଜନୈତିକ ସମସ୍ୟା ଯୋଗୁ ବିଭିନ୍ନ  ଦେଶର ସେୟାର ବଜାର ନିମ୍ନମୁଖୀ । 

ଅନ୍ୟପକ୍ଷରେ, ଅଶୋଧିତ ତୈଳ ଦର ବୃଦ୍ଧି  ଚିନ୍ତା ବଢ଼ାଇଲାଣି । ବର୍ତ୍ତମାନ ଅନ୍ତର୍ଜାତୀୟ  ବଜାରରେ ବ୍ୟାରେଲ୍‌ ପିଛା ବ୍ରେଣ୍ଟ କ୍ରୁଡ୍‌  ଦର ୭୮ ଡଲାର ଛୁଇଁଲାଣି । ଖୁବ୍‌ଶୀଘ୍ର  ଏହା ୮୦ ଡଲାରରେ ପହଞ୍ଚିବାକୁ ଯାଉଛି ।  ତେବେ ବର୍ଷ ଶେଷ ସୁଦ୍ଧା ଏହା ୧୦୦  ଡଲାର ପର୍ଯ୍ୟନ୍ତ ଯାଇପାରେ ବୋଲି ଆଶଙ୍କା  କରାଯାଉଛି ।

ଇରାନ ଏବଂ ଇସ୍ରାଏଲ ମଧ୍ୟରେ  ଯୁଦ୍ଧ ବଢ଼ିଲେ ଭାରତର ଆମଦାନି ଏବଂ  ଅର୍ଥନୀତି ଉପରେ ପ୍ରଭାବ ଦେଖିବାକୁ  ମିଳିବ । ଅଶୋଧିତ ତୈଳ ଯୋଗାଣ  ପ୍ରଭାବିତ ହେବ ଏବଂ ଦର କ୍ଷୀପ୍ର  ବେଗରେ ବଢ଼ିଚାଲିବ । ଏହା ଫଳରେ  ଘରୋଇ ବଜାରରେ ପେଟ୍ରୋଲ ଏବଂ  ଡିଜେଲ ମହଙ୍ଗା ହୋଇଯାଇପାରେ । ଦେଶର ବୈଦେଶିକ ମୁଦ୍ରା ଭଣ୍ଡାରକୁ ବି  ଏହା ପ୍ରଭାବିତ କରିବ । ଆଶଙ୍କା ବଢୁଛି  ଯେ, ଯଦି ଇରାନ୍‌-ଇସ୍ରାଏଲ ମଧ୍ୟରେ ଅଶାନ୍ତି ଲମ୍ବା ସମୟ ଧରି ରୁହେ ତେବେ  ବିଶ୍ୱ ଯୋଗାଣ ଶୃଙ୍ଖଳ ବଡ଼ ଆକାରରେ ପ୍ରଭାବିତ ହେବ । ଏହା ଫଳରେ ଦରଦାମ ବୃଦ୍ଧି ସମସ୍ୟା ଅଧିକ ଉତ୍କଟ ହେବ ।  

ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଭାରତ  ଭଳି ତୈଳ ଆମଦାନିକାରୀ ରାଷ୍ଟ୍ର ପାଇଁ  ଚିନ୍ତାର ବିଷୟ । କାରଣ ଭାରତ ଏହାର  ତୈଳ ଆବଶ୍ୟକତାର ପ୍ରାୟ ୮୫%  ଆମଦାନି ମାଧ୍ୟମରେ ପୂରଣ କରିଥାଏ ।  ଭାରତ ଏହାର ଆବଶ୍ୟକତାର ବଡ଼ ଭାଗ  ଅଶୋଧିତ ତୈଳ ଇରାନ୍‌ଠାରୁ ବି ଆମଦାନି  କରିଥାଏ । ଯଦି ଯୋଗାଣ କମେ ତେବେ  ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର  ପ୍ରଭାବିତ ହୋଇପାରେ ।  

ପୁରୁଣା ତଥ୍ୟ ମୁତାବକ୨୦୧୪- ୧୫ରେ ଭାରତ-ଇରାନ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ପରିମାଣ ଥିଲା ୧୩୧୩ କୋଟି  ଡଲାର, ଯେଉଁଥିରେ ଭାରତର ଆମଦାନି  ମାତ୍ରା ଥିଲା ୮୯୫ କୋଟି ଡଲାର ଏବଂ  ୪୦୦ କୋଟି ଡଲାରରୁ ଅଧିକ ଅଶୋଧିତ  ତୈଳ ଆମଦାନି ହୋଇଥିଲା ।  କେବଳ ଅଶୋଧିତ ତୈଳ ନୁହେଁ  ଭାରତ ଇରାନରୁ ଅନ୍ୟ ସାମଗ୍ରୀ ବି  ଆମଦାନି କରିଥାଏ । ଯୁଦ୍ଧ ସ୍ଥିତିରେ  ଜରୁରୀ ସାମଗ୍ରୀର କାରବାରକୁ ନେଇ ମଧ୍ୟ  ଚିନ୍ତା ବୃଦ୍ଧି ପାଇଛି । 

ଇରାନ୍‌ରୁ ଅଶୋଧିତ  ତୈଳ ବ୍ୟତୀତ ଡ୍ରାଏଫ୍ରୁଟ୍‌ସ,କେମିକାଲ  ଏବଂ କାଚ ବାସନ ଭାରତ ଆସିଥାଏ ।  ସେହିଭଳି ଭାରତୀୟ ବାସୁମତି ଚାଉଳର  ବଡ଼ ଆମଦାନିକାରୀ ହେଉଛି ଇରାନ ।  ବାସୁମତି ଚାଉଳ ସହିତ ଭାରତ ଇରାନକୁ  ଚା’, କଫି ଏବଂ ଚିନି ବି ରପ୍ତାନି କରିଥାଏ ।  ପ୍ରତିବର୍ଷ ଭାରତରୁ ଇରାନ୍‌କୁ ପ୍ରାୟ ୪  କୋଟି କିଲୋ ଚା’ ଯାଇଥାଏ । କେବଳ ଇରାନ ନୁହେଁ, ଇସ୍ରାଏଲ୍‌  ସହ ମଧ୍ୟ ଭାରତର ବଡ଼ କାରବାର  ରହିଛି । 

୨୦୨୩ରେ ଭାରତ ଇସ୍ରାଏଲ  ସହ ୮୯,୦୦୦ କୋଟି ଟଙ୍କାର କାରବାର  କରିଥିଲା । ଭାରତ ଇସ୍ରାଏଲକୁ ହୀରା,  ଗହଣା, କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍ସ ଏବଂ  ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି କରିଥାଏ ।  ସେହିଭଳି ଇସ୍ରାଏଲ୍‌ ଭାରତକୁ ବଡ଼  ମାତ୍ରାରେ ଅସ୍ତ୍ରଶସ୍ତ୍ର ଯୋଗାଇଥାଏ । ଏଭଳି  କ୍ଷେତ୍ରରେ ଯୁଦ୍ଧ ତେଜିଲେ ଭାରତର  ବ୍ୟାପାର କ୍ଷେତ୍ରରେ ବଡ଼ ପ୍ରଭାବ ପଡ଼ିବ  ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.