ନୂଆଦିଲ୍ଲୀ,୧୯/୦୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ବୈଦେଶିକ ବ୍ୟାପାର ସ୍ଥାୟୀ ସଂସଦୀୟ କମିଟିକୁ ବିସ୍ତୃତ ସୂଚନା ଦେଇଛନ୍ତି। ସେ କହିଥିଲେ ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ପାରମ୍ପରିକ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ଥିଲା। ସେ କହିଛନ୍ତି ଯେ ପାକିସ୍ତାନ ପକ୍ଷରୁ କୌଣସି ପ୍ରକାରର ପରମାଣୁ ଆକ୍ରମଣର କୌଣସି ସୂଚନା ମିଳିନାହିଁ। ସୂଚନାଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ମେ' ୧୦ ତାରିଖରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲା। ନଅ ଦିନ ପରେ, ସ୍ଥାୟୀ ସଂସଦୀୟ କମିଟିକୁ ସୂଚନା ଦେବା ସମୟରେ, ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଥିଲେ ଯେ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାର ନିଷ୍ପତ୍ତି ଦ୍ୱିପାକ୍ଷିକ ସ୍ତରରେ ନିଆଯାଇଥିଲା ଏବଂ ଏଥିରେ କୌଣସି ଆମେରିକୀୟ ହସ୍ତକ୍ଷେପ ନଥିଲା।
ଆମେରିକା ନେଇଥିଲା ଅସ୍ତ୍ରବିରତି ଶ୍ରେୟ:
ଏହା ମଧ୍ୟ ଉଲ୍ଲେଖନୀୟ ଯେ ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ମଧ୍ୟସ୍ଥତାର ଶ୍ରେୟ ଆମେରିକା ନେଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ "ଆମେରିକା ମଧ୍ୟସ୍ଥତାରେ ଦୀର୍ଘ ରାତିର ଆଲୋଚନା ପରେ" ଦୁଇ ଦେଶ ଏକ ସମ୍ପୂର୍ଣ୍ଣ ଏବଂ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି। ଟ୍ରମ୍ପ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରିଥିଲେ, ଯାହାକୁ ନେଇ ଦେଶର ସରକାରଙ୍କ ଉପରେ ପ୍ରଶ୍ନ ଉଠିଥିଲା।
ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ କମିଟି ସଦସ୍ୟ ପଚାରିଥିଲେ ପ୍ରଶ୍ନ:
କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ଉପରେ ନିରନ୍ତର ପ୍ରଶ୍ନ ଉଠାଇଛନ୍ତି। ସୋମବାର ମଧ୍ୟ ବିରୋଧୀ ସଦସ୍ୟମାନେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀଙ୍କୁ ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ସମେତ ଅନେକ ପ୍ରଶ୍ନ ପଚାରିଥିଲେ। ସୋମବାର କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଦୁଇ ଘଣ୍ଟା ଧରି ଚାଲିଥିଲା।
ପୂର୍ବରୁ ପାକିସ୍ତାନ ପାଇନଥିଲା ଅପରେସନ ସିନ୍ଦୁରର ସୂଚନା:
ବିକ୍ରମ ମିଶ୍ରୀ କମିଟିକୁ କହିଥିଲେ ଯେ ଭାରତ ଅପରେସନ ସିନ୍ଦୂର ଆରମ୍ଭ କରିବା ପୂର୍ବରୁ ପାକିସ୍ତାନ ଏବିଷୟରେ କିଛି ଜାଣି ନଥିଲା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ନେତାମାନେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ମନ୍ତବ୍ୟ ଉପରେ ବାରମ୍ବାର ଟାର୍ଗେଟ କରିଛନ୍ତି ଯେ ଭାରତ ପାକିସ୍ତାନକୁ ତା'ର ମାଟିରେ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିବା ବିଷୟରେ ସୂଚନା ଦେଇଥିଲା। ରାହୁଲଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇ, ବୈଦେଶିକ ମନ୍ତ୍ରଣାଳୟ ଏହାକୁ ତଥ୍ୟର ଭୁଲ ଉପସ୍ଥାପନ ବୋଲି କହିଛି।