ଚନ୍ଦନେଶ୍ଵର,୮/୬ : ବାଲେଶ୍ଵର ଜିଲ୍ଲା ଭୋଗରାଇର କାନ୍ଧିଭଉଁରୀ ପଂଚାୟତରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସୂନାର ହେଉଥିବା ମରାମତି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି । ଏ ନେଇ ଗାଁ ଲୋକେ ମରାମତି ହେଉଥିବା କାର୍ଯ୍ୟକୁ ବନ୍ଦ ରଖିଛନ୍ତି। ବାଲେଶ୍ଵର ଜିଲ୍ଲାପାଳ ଭୋଗରାଇ ବିଡିଓ ଏବଂ ତହସିଲଦାର କ୍ଷେତ୍ର ପରିଦର୍ଶନ କରି ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ପ୍ରକାଶ ଯେ, ଭୋଗରାଇର କାନ୍ତିଭଉଁରୀ ଗାଁରେ ନିର୍ମିତ ହୋଇଥିବା ବହୁମୁଖୀ ବାତ୍ୟା ଆଶ୍ରୟସୂଚନାକୁ ୨୦୧୬ ଜନୁଆରୀ ୧୧ତାରିଖରେ ତତ୍କାଳୀନ ଭୋଗରାଇ ବିଧାୟକ ତଥା ସରକରୀ ମୁଖ୍ୟ ସେଚେତକ ଅନନ୍ତ ଦାସ ଉଦଘାଟନ କରିଥିଲେ । ଆଶ୍ରୟସ୍ଥଳିଟି ବହୁ ଲୋକଙ୍କ ଉପକାରରେ ଆସିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଅନାଦି ଏକାଡେମୀର ଛାତ୍ରଛାତ୍ରୀମାନେ ପାଠ ପଢାରେ ମଧ୍ୟ ବ୍ୟବହାର ହୋଇଥିଲା । ଏବେ ଆଶ୍ରୟସ୍ଥଳୀରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହେବା ସହ ବିଦ୍ୟୁତ ସରଞ୍ଜାମ, ରଙ୍ଗ ଦେବା, ଶୌଚାଳୟ ଓ ପାଇପ ଲାଇନ ଆଦିର ମରାମତି ପାଇଁ ୬ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପଂଚାୟତର କନିଷ୍ଠ ଯନ୍ତ୍ରୀ ବିଜୟ ରାଉଳଙ୍କ ନାମରେ କାର୍ଯ୍ୟାଦେଶ ଆସିଥିଲା । ମାତ୍ର ସେ ନିଜର ପିସି ନେଇ ଆଶ୍ରୟସ୍ଥଳୀର କମିଟିକୁ ଏହାର କାର୍ଯ୍ୟଭାର ଦେଇ ଥିବା ଗାଁ ଲୋକେ ଅଭିଯୋଗ ଆଣିଛନ୍ତି । ଫଳରେ କମିଟି ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଛନ୍ତି ଆଶ୍ରୟସ୍ଥଳୀର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟକୁ ମରାମତି ନ କରି କମ୍ ଦାମର ରଙ୍ଗ ଦିଆ ଯାଇଛି ।
ଏହାଛଡ଼ା ବ୍ୟବହାର ହେଉଥିବା ବିଦ୍ୟୁତ ଉପକରଣ ସବୁ ମଧ୍ୟ ବହୁ ଶସ୍ତା ଦାମର । ଗାଁ ଲୋକଙ୍କ ଅଭିଯୋଗ ପରେ କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରି କମିଟିକୁ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେମାନେ ମନ ଇଚ୍ଛା ଏହି କାର୍ଯ୍ୟ କରୁଛନ୍ତି । ଏ ନେଇ ଗାଁ ଲୋକେ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେମାନେ ଜବରଦସ୍ତ କାର୍ଯ୍ୟ କରୁଥିବା ନେଇ ସଫେଇ ଦେଇଛନ୍ତି । ତେବେ ସରକାର ଆବଶ୍ୟକ ପରିମାଣର ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ଏଭଳି ନିମ୍ନ ମାନର କାର୍ଯ୍ୟକୁ କେହି ସହଜରେ ଗ୍ରହଣ କରି ପାରୁ ନାହାନ୍ତି । କାର୍ଯ୍ୟ ସମ୍ପର୍କରେ ଫଳକ ଲାଗିବାର ନିୟମ ଥିଲେ ବି ତାହାକୁ ଭଲଙ୍ଘନ କରାଯାଇଛି । ଫଳରେ କାର୍ଯ୍ୟ ବନ୍ଦ କରିବା ସହ ଫାଟକରେ ତାଲା ପକାଇ ଦେଇଛନ୍ତି । କନିଷ୍ଠଯନ୍ତ୍ରୀ ଘଟଣାସ୍ଥଳକୁ ଆସି କାର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରିବାକୁ ନିବେଦନ କରାଯାଇଛି । ଏ ନେଇ କନିଷ୍ଠଯନ୍ତ୍ରୀଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ ଉଠାଇ ନ ଥିଲେ । ଗାଁର ରବୀନ୍ଦ୍ର ପାତ୍ର, ରାଜ କୁମାର ପାତ୍ର, ଅଭିଳାଶ ଦାସ, ବଳରମ ଦାସ, ବଳାମ ଦାସ, ବାଚୁ ଭଞ୍ଜ,ସଞ୍ଜୟ ଦେ,ଯୁଧିଷ୍ଠିର ସଁ,ସତ୍ୟ ସାମଲ,କୃଷ୍ଣ ଚନ୍ଦ୍ର ପାତ୍ର ପ୍ରମୁଖ ସରକାରଙ୍କ ନୀତି ନିୟମ ମୁତାବକ କାର୍ଯ୍ୟ କରିବାକୁ ଦାବୀ କରିଛନ୍ତି ।