ନୂଆଦିଲ୍ଲୀ, ୦୩/୦୧: ଗତ ନଭେମ୍ବରରେ ଖଣ୍ଡେ ମହାକାଶ ବର୍ଜ୍ୟ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଆଡ଼କୁ ମାଡ଼ି ଆସିଥିଲା । ଏହାର ମୁକାବିଲା ଲାଗି ସ୍ପେସ୍ ଷ୍ଟେସନ୍ରେ ଥିବା ୭ ଜଣ ମହାକାଶଚାରୀ ଅଣ୍ଟା ଭିଡ଼ିଲେ । ସ୍ପେସ୍ ଷ୍ଟେସନ୍ ସହ ସଂଲଗ୍ନ ରୁଷ୍ର ଏକ ମହାକାଶଯାନ ୫ ମିନିଟ୍ ପାଇଁ ନିଜ ଇଞ୍ଜିନ୍କୁ ଚାଲୁ କରି ସ୍ପେସ୍ ଷ୍ଟେସନ୍ ମାର୍ଗରେ ହାଲୁକା ପରିବର୍ତ୍ତନ କଲା । ଫୁଟ୍ବଲ ପଡ଼ିଆ ଆକାରବିଶିଷ୍ଟ ଏହି ମହାକାଶ ପ୍ରୟୋଗଶାଳାକୁ ବିପଦରୁ ବଞ୍ଚାଇଲା । ଅନ୍ୟଥା ସ୍ପେସ୍ ଷ୍ଟେସନ୍ର କକ୍ଷ ପଥର ୪ କିମି ମଧ୍ୟରେ ମହାକାଶ ବର୍ଜ୍ୟ ଅତିକ୍ରମ କରିଥାନ୍ତା । ବର୍ଜ୍ୟ ମାଡ଼ ଏହାର ବଡ଼ କ୍ଷତି କରିଥାନ୍ତା ବୋଲି ନାସା ସ୍ପଷ୍ଟ କଲା । ଏହାର ପ୍ରଭାବ ମହାକାଶ କେନ୍ଦ୍ରର ବିଭିନ୍ନ ବିଭାଗକୁ ଚାପମୁକ୍ତ କରିପାରିଥାନ୍ତା, ଯାହା ଦ୍ୱାରା ମହାକାଶଚାରୀ ପୃଥିବୀକୁ ଫେରିବାକୁ ବାଧ୍ୟ ହୋଇଥାନ୍ତେ ।
ଅଧିକ ଚିନ୍ତାର ବିଷୟ ହେଉଛି ଏଭଳି ଆସନ୍ନ ବିପଦ ଘଟଣା ବିରଳ ନ ଥିଲା । ୨୦୦୦ ମସିହା, ନଭେମ୍ବରରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କକ୍ଷରେ ଅବସ୍ଥାପିତ ହେବା ପରଠୁ ତା’ର କକ୍ଷପଥରେ ଅନେକ ଥର ପରିବର୍ତ୍ତନ କରାଯାଇଛି । ପୃଥିବୀ ଚତୁଃପାଶ୍ୱର୍ରେ ଅସଂଖ୍ୟ ମହାକାଶ ବସ୍ତୁ ଘୂରୁଥିବାରୁ ଧକ୍କା ଆଶଙ୍କା ପ୍ରତି ବର୍ଷ ବଢୁଛି । ମହାକାଶରେ ବଢୁଥିବା ବର୍ଜ୍ୟ ଭିଡ଼ ବିଷୟରେ ଅନେକ ବର୍ଷ ହେଲା ମହାକାଶ ଟ୍ରାଫିକ୍ ବିଶେଷଜ୍ଞମାନେ ସତର୍କ କରିଆସୁଛନ୍ତି । ପୂର୍ବରୁ ମହାକାଶରେ ଧକ୍କା, ବିସ୍ଫୋରଣ ଓ ଅସ୍ତ୍ର ପରୀକ୍ଷାରୁ ହଜାର ହଜାର ସଂଖ୍ୟାରେ ମହାକାଶ ବର୍ଜ୍ୟ ସୃଷ୍ଟି ହୋଇଛି, ଯେଉଁଗୁଡ଼ିକୁ ବୈଜ୍ଞାନିକମାନେ ଚିହ୍ନଟ କରିବାକୁ ପ୍ରୟାସ କରୁଛନ୍ତି । ଏମିତି ଲକ୍ଷାଧିକ ବର୍ଜ୍ୟ ଅଛି, ଯାହାକୁ ସଦ୍ୟ ଟେକ୍ନୋଲୋଜି ବି ଚିହ୍ନଟ କରିବାରେ ଅସମର୍ଥ । ମହାକାଶଚାରୀଙ୍କୁ ବିପଦ ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି । ପୃଥିବୀ କକ୍ଷରେ ଭିଡ଼ ଆମ ଦୈନନ୍ଦିନ ଜୀବନକୁ ଗତି ଓ ଶକ୍ତି ପ୍ରଦାନ କରୁଥିବା ସାଟେଲାଇଟ୍ ଓ ମହାକାଶ-ଆଧାରିତ ଟେକ୍ନୋଲୋଜି ପ୍ରତି ମଧ୍ୟ ବିପଦପୂର୍ଣ୍ଣ । ତନ୍ମଧ୍ୟରେ ଜିପିଏସ୍ ଟୁଲ୍, ବ୍ରଡ୍ବ୍ୟାଣ୍ଡ୍, ହାଇସ୍ପିଡ୍ ଇଣ୍ଟର୍ନେଟ୍ ଓ ଟେଲିଭିଜନ୍ ସେବା ଆଦି ଅନ୍ୟତମ ।
ଟକ୍ସନ ସ୍ଥିତ ୟୁନିଭର୍ସିଟି ଅଫ୍ ଏରିଜୋନାର ଗ୍ରହ ବିଜ୍ଞାନ ପ୍ରଫେସର ଡ. ବିଷ୍ଣୁ ରେଡ୍ଡୀ କହିଛନ୍ତି, ଗତ ୪ ବର୍ଷରେ ମହାକାଶକୁ ଉତ୍କ୍ଷେପଣ କରାଯାଇଥିବା ବସ୍ତୁଗୁଡ଼ିକର ଦ୍ରୁତ ବୃଦ୍ଧି ହୋଇଛି । ତେଣୁ ଯାହାକୁ ନେଇ ଆମେ ସର୍ବଦା ଭୟଭୀତ, ସେହି ପରିସ୍ଥିତି ଆଡ଼କୁ ଆମେ ଯାଉଛୁ । ଏହା ଏକ କାଳ୍ପନିକ ଘଟଣା, ଯାହାର ନାଁ ‘କେସ୍ଲର ସିଣ୍ଡ୍ରୋମ୍’ ବୋଲି ରେଡ୍ଡୀ ଦର୍ଶାଇଛନ୍ତି । ଆମେରିକୀୟ ନକ୍ଷତ୍ରବିଜ୍ଞାନୀ ଡୋନାଲ୍ଡ କେସଲରଙ୍କ ନାମ ଅନୁସାରେ ଏହାକୁ ନାମିତ କରାଯାଇଛି । ୧୯୭୮ ମସିହାର ତାଙ୍କ ଏକାଡେମିକ୍ ପେପର୍ ଉପରେ ଏହି ଘଟଣା ଆଧାରିତ । ବର୍ତ୍ତମାନ ଏହି ବାକ୍ୟାଂଶ ବ୍ୟବହୃତ ହେଉଥିବାବେଳେ ଏହାର ପରିଭାଷା କିନ୍ତୁ ଅସ୍ପଷ୍ଟ । ଏହା ଏଭଳି ଏକ ଦୃଶ୍ୟକୁ ବର୍ଣ୍ଣନା କରେ, ଯେଉଁଥିରେ ମହାକାଶ ବର୍ଜ୍ୟ ଏକ ଶୃଙ୍ଖଳାବଦ୍ଧ ପ୍ରତିକ୍ରିୟା ଆରମ୍ଭ କରେ । ମହାକାଶରେ ଗୋଟିଏ ବିସ୍ଫୋରଣରୁ ମହାକାଶ ବସ୍ତୁ ଅନେକ ଖଣ୍ଡରେ ବିଭାଜିତ ହୁଏ, ଯାହା ଅନ୍ୟ ମହାକାଶ ବର୍ଜ୍ୟ ସହ ମାଡ଼ ହୋଇ ଆହୁରି ଅଧିକ ବର୍ଜ୍ୟ ଉତ୍ପନ୍ନ କରେ । ପୃଥିବୀ କକ୍ଷ ବର୍ଜ୍ୟ ବସ୍ତୁରେ ଅତ୍ୟନ୍ତ ଜାମ୍ ହୋଇ ସାଟେଲାଇଟ୍ ଅଚଳ ନ ହେବା ପର୍ଯ୍ୟନ୍ତ ଏବଂ ମହାକାଶ ଅନ୍ୱେଷଣ ନିଶ୍ଚିତ ଭାବେ ଠପ୍ ନ ହେବା ପର୍ଯ୍ୟନ୍ତ ଏହାର ପ୍ରଭାବ ଜାରି ରହିପାରେ ।
ଗବେଷକମାନେ ବିପଦର ବର୍ତ୍ତମାନ ସ୍ତର ସମ୍ପର୍କରେ ଅସହମତ । କିନ୍ତୁ ଗୋଟିଏ କଥାକୁ ନେଇ ମହାକାଶ ବିଜ୍ଞାନ ଜଗତ ସହମତ ଯେ ମହାକାଶରେ ଟ୍ରାଫିକ୍ ଏକ ଗମ୍ଭୀର ସମସ୍ୟା, ଯାହାର ମୁକାବିଲା ଅତ୍ୟାବଶ୍ୟକ । ୟୁରୋପୀୟ ମହାକାଶ ଏଜେନ୍ସି ଅନୁସାରେ, ମହାକାଶ ଉଡ଼ାଣର ପ୍ରାରମ୍ଭିକ ସମୟ ୧୯୫୭ ମସିହା ପରଠୁ ମହାକାଶରେ ଅଦ୍ୟାବଧି ୬୫୦ରୁ ଅଧିକ ମହାକାଶ ବସ୍ତୁ ଭାଙ୍ଗିବା, ବିସ୍ଫୋରଣ, ଧକ୍କା କିମ୍ବା ଅନ୍ୟ ଘଟଣା ବର୍ଜ୍ୟର କାରଣ ହୋଇଛି । ଏଭଳି ଘଟଣାରେ ସାଟେଲାଇଟ୍, ରକେଟ୍ ଅଂଶ ଏବଂ ମହାକାଶଯାନଗୁଡ଼ିକ ପରସ୍ପର ଧକ୍କା ହୋଇଛନ୍ତି । ସେତିକି ନୁହେଁ, ଆମେରିକା, ରୁଷ୍, ଭାରତ ଓ ଚୀନ୍ ସମେତ ଦେଶମାନଙ୍କର ଅସ୍ତ୍ର ପରୀକ୍ଷଣ କକ୍ଷର ବିଭିନ୍ନ ଉଚ୍ଚତାରେ ବର୍ଜ୍ୟ ବିସ୍ତାର କରିଛି । ଉଦାହରଣସ୍ୱରୂପ, ରୁଷ୍ ୨୦୨୧ ମସିହାରେ ଅସ୍ତ୍ର ପରୀକ୍ଷଣର ଅଂଶବିଶେଷ ନିଜର ଏକ ସାଟେଲାଇଟ୍ ଲଞ୍ଚ୍ କରିଥିଲା । ଏହା ଯୋଗୁ ୧୫୦୦ରୁ ଅଧିକ ଖଣ୍ଡ ଚିହ୍ନଟଯୋଗ୍ୟ ବର୍ଜ୍ୟ ସୃଷ୍ଟି ହୋଇଥିଲା ।
ଏହି ସ୍ଥିତିକୁ ନେଇ କରାଯାଉଥିବା ସଚେତନତା ତୁଳନାରେ ବିପଦ ବହୁତ ବଡ଼ । ମହାକାଶ ବର୍ଜ୍ୟ ଟେନିସ୍ ବଲ୍ଠୁ ବଡ଼ ହେଲେ ହିଁ ଚିହ୍ନଟ କରିବା ସମ୍ଭବ । ବଳକା ବର୍ଜ୍ୟ ଏତେ ଛୋଟ ଯେ ସେଗୁଡ଼ିକୁ ସିଧାସଳଖ ଚିହ୍ନଟ କରିବା ଅସମ୍ଭବ । ବର୍ତ୍ତମାନର ଆଧୁନିକ ସେନ୍ସର ମଧ୍ୟ ଏଗୁଡ଼ିକୁ ଚିହ୍ନଟ କରିବାରେ ଅସମର୍ଥ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅତି ଛୋଟ ବର୍ଜ୍ୟ କିନ୍ତୁ ବଡ଼ ବିପଦର କାରଣ ହୋଇପାରନ୍ତି । କକ୍ଷରେ ଏଗୁଡ଼ିକ ଏତେ ଦ୍ରୁତ ବେଗରେ ଘୂରନ୍ତି ଯେ ସକ୍ରିୟ ମହାକାଶ ବସ୍ତୁକୁ ନଷ୍ଟ କରିପାରନ୍ତି । ନାସା ଅନୁସାରେ, ମହାକାଶରେ ଘୂରୁଥିବା ଯେକୌଣସି ବର୍ଜ୍ୟ ଖଣ୍ଡ ବାସ୍ତବରେ ବିପଦପୂର୍ଣ୍ଣ । ପ୍ରାୟ ୫୦୦ କିମି ଉଚ୍ଚରେ କକ୍ଷରେ ଥିବା ବର୍ଜ୍ୟ ପ୍ରାୟ ୨୫ ବର୍ଷ ମଧ୍ୟରେ ପୃଥିବୀ ବାୟୁମଣ୍ଡଳକୁ ଆସି ଆପଣାଛାଏଁ ଖସିପଡ଼ନ୍ତି । ଏହି ଦୂରତାରେ ଥିବା ବର୍ଜ୍ୟ ଅନେକ ପିଢ଼ି ପର୍ଯ୍ୟନ୍ତ ବିପଦ ସୃଷ୍ଟି କରିବ ନାହିଁ । କିନ୍ତୁ ପ୍ରାୟ ୮୦୦ କିମି ଉଚ୍ଚରେ ସ୍ଥିତି ଦ୍ରୁତ ବଦଳିଯାଏ । ଏଠାରେ ଖଣ୍ଡେ ମହାକାଶ ବର୍ଜ୍ୟକୁ ମହାକାଶ ବାହାରକୁ ପ୍ରାକୃତିକ ରୂପେ ଯିବାକୁ ଅତିକମ୍ରେ ଗୋଟିଏ ଶତାବ୍ଦୀ ଲାଗିବ । ୧୦୦୦ କିମି ଉଚ୍ଚରେ ଏହି ପ୍ରକ୍ରିୟା ପାଇଁ ଅନେକ ହଜାର ବର୍ଷ ଲାଗିବ ।
ପୃଥିବୀ ପୃଷ୍ଠଠୁ ୩୫,୭୮୬ କିମି ଉପରେ ଅର୍ଥାତ୍ ଜିଓସିଙ୍କ୍ରୋନସ୍ ଅର୍ବିଟ୍ ସବୁଠୁ ବିପଜ୍ଜନକ କ୍ଷେତ୍ର । ଏଠାରେ ଲକ୍ଷାଧିକ ଯୋଗାଯୋଗ ସାଟେଲାଇଟ୍ ଅଛି, ଯାହା ବିଶ୍ୱର ଅଧିକାଂଶ ସ୍ଥାନକୁ ଟିଭି ଓ ଅନ୍ୟ ସେବା ପହଞ୍ଚାଉଛନ୍ତି । ରେଡ୍ଡୀ କହିଛନ୍ତି, କେସ୍ଲର ସିଣ୍ଡ୍ରୋମ୍ ଭଳି ଘଟଣା ଘଟିବାର ସବୁଠୁ ବିପଦପୂର୍ଣ୍ଣ ସ୍ଥାନ ହେଉଛି ‘ଜିଓ’ । କାରଣ ଶୀଘ୍ର ଏହାକୁ ପରିଷ୍କାର କରିବାର କୌଣସି ମାର୍ଗ ନାହିଁ । ୨୦୧୩ ମସିହାର ଫିଲ୍ମ ‘ଗ୍ରାଭିଟି’ କେସ୍ଲର ସିଣ୍ଡ୍ରୋମ୍ର ବିଚାରକୁ ବଡ଼ ପରଦାକୁ ଆଣିଥିଲା । ରୁଷ୍ର ଏକ ମିସାଇଲ ଏକ ମୃତ ସାଟେଲାଇଟ୍ ସହ ଧକ୍କା ହେବା ଦ୍ୱାରା ଧକ୍କାର ଏକ ଖୃଙ୍ଖଳା ଆରମ୍ଭ ହୋଇଥିଲା । ବର୍ଜ୍ୟର ଏକ ବିଶାଳ ବାଦଲ ଉତ୍ପନ୍ନ ହୋଇଥିଲା, ଯାହା ଅନ୍ୟ ସାଟେଲାଇଟ୍ ଓ ମହାକାଶଯାନଗୁଡ଼ିକୁ ଧ୍ୱଂସ କରିଥିଲା । ତେବେ ପରଦାରେ ଏହି ଘଟଣା ମାତ୍ର ଦେଢ଼ ଘଣ୍ଟାର ଥିଲା । ବାସ୍ତବରେ କେସ୍ଲର ସିଣ୍ଡ୍ରୋମ୍ ପରିଦୃଶ୍ୟ ଅନେକ ବର୍ଷ କିମ୍ବା ଅନେକ ଦଶନ୍ଧି ଧରି ଚାଲିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । କେସ୍ଲର ସିଣ୍ଡ୍ରୋମ୍ ଏକ ତତ୍କାଳ ଘଟଣା ନ ହୋଇଥିବାରୁ ଏହା ପୂର୍ବରୁ ଜାରି ରହିଛି କି ନାହିଁ, ବୈଜ୍ଞାନିକଙ୍କ ପାଇଁ ତାହା ବିତର୍କର ବିଷୟ ହୋଇଛି ।
କେସ୍ଲର ସିଣ୍ଡ୍ରୋମ୍କୁ ଏଡ଼ାଇବା ପାଇଁ ଦୁଇଟି ବଡ଼ କଥା ଉପରେ ଫୋକସ୍ କରାଯାଉଛି । ଗୋଟିଏ ପରିଷ୍କାର ଟେକ୍ନୋଲୋଜି । ଅନ୍ୟଟି ବର୍ଜ୍ୟ ନିୟନ୍ତ୍ରଣ । ବିଭିନ୍ନ କମ୍ପାନି ଓ ସରକାର ପୃଥିବୀ କକ୍ଷରୁ ବର୍ଜ୍ୟକୁ ବାହାରକୁ ଟାଣିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି । ସ୍ପେସ୍ ଷ୍ଟ୍ରକ୍ଚର ସିଷ୍ଟମ୍ ତନ୍ମଧ୍ୟରେ ଅନ୍ୟତମ । ୨୦୨୨, ଡିସେମ୍ବରରେ ଏହି ପ୍ରୋଟୋଟାଇପ୍କୁ ସଫଳତାପୂର୍ବକ ମୁତୟନ କରାଯାଇଥିଲା । ତେବେ ଏହି ପଦ୍ଧତି ପରୀକ୍ଷାମୂଳକ ଓ ଅତ୍ୟଧିକ ମହଙ୍ଗା । ବର୍ଜ୍ୟ ନିୟନ୍ତ୍ରଣ ମାମଲାରେ ମହାକାଶ ନୀତି ବିଶେଷଜ୍ଞମାନେ ମହାକାଶ କମ୍ପାନିଙ୍କୁ ଏଥିରୁ ବିରତ କରିବାକୁ ଅନେକ ବର୍ଷ ଧରି ନୂଆ ଅନ୍ତର୍ଜାତୀୟ ମାର୍ଗଦର୍ଶିକା କିମ୍ବା ଜାତୀୟ ନିୟମ ଲାଗୁ କରିବାକୁ ପ୍ରୟାସ କରିଛନ୍ତି । କିଛି ପ୍ରୟାସ କାର୍ଯ୍ୟକାରୀ ମଧ୍ୟ ହେଉଛି । ଗତ ସେପ୍ଟେମ୍ବରରେ ଜାତିସଂଘ ଏଥିପାଇଁ ଏକ ଚୁକ୍ତି ଆପଣେଇଥିଲା । ବର୍ଜ୍ୟ ନିୟନ୍ତ୍ରଣର ଅଭାବ ସବୁଠୁ ବଡ଼ ବିଷୟ ବୋଲି ରେଡ୍ଡୀ କହିଛନ୍ତି ।