ନୂଆଦିଲ୍ଲୀ: ବିବାହ... ସାତ ଜନ୍ମକୁ ସାଥି ହେବାର ଏକ ପ୍ରଥାଗତ ପ୍ରମାଣ ପତ୍ର। ଏଥିରେ ମନ ମିଶେ ଆଉ ହୃଦୟର ମିଳନ ହୁଏ ଦୁଇ ଜଣଙ୍କ ଭିତରେ। ବେଦୀ ଉପରେ ସେ ବରକନ୍ୟା ସମାଜ ଆଗରେ ଦମ୍ପତ୍ତି। ଏ ସମଗ୍ର ଧାରା କାହା ପାଇଁ ରୀତିନୀତି, କାହାପାଇଁ ନିକହ ତ ଆଉ କିଏ କହେ ଟ୍ରାଡିସନ। କିନ୍ତୁ ଯୁଗ ବଦଳୁଛି। ବାଉଁଶ ଉପରେ ଜାମୁକୋଳି ଡାଳ ବାନ୍ଧି ମାଟି ଅଗଣାରେ ବେଦିବନ୍ଧାର ସେ ଚିତ୍ରକୁ ଲିଭେଇଦେଇଛି ଆଜିକାଲିର ଲାଇଟ ସାଉଣ୍ଡ ଆଉ ଡିଜେ। ଖାଲି ସେତିକି ନୁହେଁ ବିବାହକୁ ନେଇ ଲୋକଙ୍କ ମାନସିକତାରେ ଆସିଛି ପରିବର୍ତ୍ତନ। କାହା ପାଇଁ ଏହା ଏକ ଫାର୍ଶ ତ ଆଉ କାହା ପାଇଁ ୱେଷ୍ଟ ଅଫ ଟାଇମ। ଆପଣ ଭାବୁଥିବେ ଏକଥା ଆମେ କଣ ପାଇଁ କହିଲୁ। ବର୍ତ୍ତମାନ ସମୟରେ ଯୁବଗୋଷ୍ଠୀ ବିବାହକୁ ନେଇ ମୁହଁ ମୋଡୁଥିବା ଦେଖାଯାଇଛି। ଏହା ପଛର କାରଣ କଣ ଏହାକୁ ନେଇ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଛି ଯାହାକୁ ନେଇ ଆମେ ଏହି ରିପୋର୍ଟ ପ୍ରସ୍ତୁତ କରିଛୁ।
୧. ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି ଯୁବ ଗୋଷ୍ଠୀ:-
ଚଳିତ ଦିନ ମାନଙ୍କରେ ବିଶ୍ୱର ପ୍ରାୟ ଯୁବଗୋଷ୍ଠୀ ମାନଙ୍କ ମଧ୍ୟରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ବର୍ତ୍ତମାନର ଆଧୁନିକ ଜୀବନଶୈଳି ଏହାର ପ୍ରମୁଖ କାରଣ ଭାବେ ଉଭା ହୋଇଛି। ସମୟ ସହ ତାଳ ଦେଇ ଚାଲିବା ପାଇଁ ଯୁବଗୋଷ୍ଠୀ ମାନେ ପ୍ରଥମେ ବ୍ୟକ୍ତିଗତ ବିକାଶ, କ୍ୟରିୟରରେ ସଫଳତା ଓ ଅଭିଜ୍ଞତା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଏହି ସବୁ ଭିତରେ ବିବାହ ପାଇଁ କେହି ଇଚ୍ଛା ପ୍ରକାଶ କରୁନଥିବା ଏକ ସର୍ଭେରୁ ଜଣା ପଡିଛି।
୨. ବିବାହ ଭାଙ୍ଗିଯିବାର ଭୟ:-
ସମ୍ପ୍ରତ୍ତି ପରିସ୍ଥିତିରେ ସମଗ୍ର ବିଶ୍ୱରେ ସର୍ବାଧିକ ବିବାହ ବିଚ୍ଛେଦର ହାର ରହିଛି। ଏହାକୁ ଦୃଷ୍ଟିରେ ରଖି ଯୁବଗୋଷ୍ଠୀ ମାନେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାଁନ୍ତି। ଏହା ସହ ଅନେକ ଯୁବଗୋଷ୍ଠୀଙ୍କ ପିତାମାତାମଧ୍ୟ ବୌବାହିକ ଜୀବନକୁ ନେଇ ଖୁସି ନାହାନ୍ତି। ଯାହାକୁ ଦେଖି ଯୁବଗୋଷ୍ଠି ବିବାହରୁ ମୁହଁ ଫେରାଉଛନ୍ତି ବୋଲି ମଧ୍ୟ ଜଣାପଡିଛି।
୩. ବିବାହ ପରେ ଆର୍ଥିକ ଅସ୍ଥିରତାକୁ ନେଇ ଚିନ୍ତା:-
ବର୍ତ୍ତମାନର ସମୟରେ ବିଶ୍ୱର ସମସ୍ତ ଯୁବଗୋଷ୍ଠୀ ଟଙ୍କା କମେଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସମୟ ସହ ତାଳ ଦେଇ ଆଧୁନିକତାରେ ଚଳିବା ପାଇଁ ବହୁ ଅର୍ଥର ଆବଶ୍ୟକତା ରହିଛି। ଯାହା ପାଇଁ ଯୁବଗୋଷ୍ଠୀ ମାନେ ଋଣ ନେଇ ନିଜର ଆବଶ୍ୟକତାକୁ ପୂରଣ କରୁଛନ୍ତି। ପରେ ଧିରେଧିରେ ଋଣ ସୁଝିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ବିବାହ ପରେ କାନ୍ଧରେ ଆଉ ଜଣଙ୍କ ଭାର ବଢିଯିବା ଭୟରେ ଯୁବଗୋଷ୍ଠୀ ପ୍ରଥମେ ଷ୍ଚେବିଲିଟି ଓ ପରେ ବିବାହ କରିବାକୁ ଚିନ୍ତା କରୁଛନ୍ତି।
୪. ଭାବପ୍ରବଣତା:-
ବର୍ତ୍ତମାନ ସମୟର ଯୁବଗୋଷ୍ଠୀ ପ୍ରଥମେ ବିବାହ କରିବା ଅପେକ୍ଷା ପ୍ରଥମେ ସମ୍ପର୍କରେ ରହିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। କିଛି ବର୍ଷ ସାଙ୍ଗରେ ରହିଲା ପରେ ବିବାହ କରିବାକୁ ନିଷ୍ପତ୍ତି ନେଉଛନ୍ତି ଯୁବଗୋଷ୍ଠୀ। କିନ୍ତୁ ବିଭିନ୍ନ କାରଣରୁ ଅନେକ ସମ୍ପର୍କ ବିବାହ ପୂର୍ବରୁ ହିଁ ଭାଙ୍ଗି ଯାଉଛି। ଫୁଣି ନୂଆ ସମ୍ପର୍କରେ ଆସି ଆଉ ଏକ ନୂଆ ଜୀବନସାଥୀ ଖୋଜି ତାଙ୍କୁ ବିବାହ କରିବା ସମୟ ସାପେକ୍ଷ ହୋଇଥିବାରୁ ଅନେକ ଯୁବଗୋଷ୍ଟି ବିବାହ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି।
୫. ସମାନତା:-
ବିବାହ ଏକ ତଥାକଥିତ ପରମ୍ପରା। ଯାହା ବିଶ୍ୱର ପ୍ରୟ ସବୁ ସମ୍ପ୍ରଦାୟରେ ଦେଖିବାକୁ ମିଳିଥାଏ। ପ୍ରାୟ ସବୁ ସ୍ଥାନରେ ସାଧାରଣତଃ ଘର ସମ୍ଭାଳିବା ପାଇଁ ମହିଳାମାନଙ୍କୁ ଦାୟିତ୍ତ୍ୱ ଦିଆଯାଇଥାଏ। ଏହି ପରିପ୍ରେକ୍ଷିରେ ବିବାହ ପରେ ମହିଳା ସାଥିଙ୍କୁ ଚାକିରି ଛାଡି ଘର ସମ୍ଭାଳିବା ପାଇଁ ଅନେକ ସ୍ଥାନରେ କୁହାଯାଇଥାଏ। କିନ୍ତୁ ବଦଳୁଥିବା ସମୟ ସହ ଯୁବଗୋଷ୍ଠୀ ଘରର ସବୁ ଦାୟିତ୍ତ୍ୱକୁ ଦୁଇ ଜଣଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିନେବାକୁ ଚାହୁଁଛନ୍ତି। କିନ୍ତୁ ବେଳେବେଳେ ଏହା ସମ୍ଭବପର ହେଉ ନଥିବାରୁ ଅନେକ ଯୁବଗୋଷ୍ଠୀ ବିବାହକୁ ନା କହୁଛନ୍ତି।
ବର୍ତ୍ତମାନର ଯୁବଗୋଷ୍ଠୀ ତଥାକଥିତ ବିବାହ ପରମ୍ପରାରୁ ବାହାରି କିଛି ନୂଆ କରିବା ଆଶାରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଯାହାଫଳରେ ସମଗ୍ର ବିଶ୍ୱରେ ଶିଶୁ ଜନ୍ମ ହାରରେ ଅନେକ ଅନିୟମିତତା ପରିଲକ୍ଷିତ ହେଉଛି। ଗୋଟିଏ ପଟେ ସମଗ୍ର ବିଶ୍ୱରେ ବର୍ତ୍ତମାନ ଯୁବଶକ୍ତି ନିଜର ସାମର୍ଥ୍ୟ ପରିଦର୍ଶନ କରୁଥିବା ବେଳେ ବିବାହ ପ୍ରତି ସେମାନଙ୍କ ମନୋଭାବ ଅନେକ ଦେଶକୁ ପଛକୁ ଠେଲି ଦେଉଛି। ଉଦାହରଣ ସ୍ୱରୁପ ବର୍ତ୍ତମାନ ଜାପାନ, କୋରିଆ ସହ ଅନେକ ଦେଶରେ ଯୁବକ ମାନଙ୍କ ଅପେକ୍ଷା ବୃଦ୍ଧ ମାନଙ୍କ ସଂଖ୍ୟା ବଢିବଢି ଚାଲିଛି। ଯଦି ଏହିଭଳି ପ୍ରକ୍ରିୟା ଲାଗୁ ରୁହେ, ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ ଦେଶର ସମଗ୍ର ଜନସଂଖ୍ୟାରେ ଅଧିକାଂଶ ସ୍ଥାନ ବୟୋବୃଦ୍ଧ ମାନେ ଗ୍ରହଣ କରିବେ ବୋଲି ଆକଳନ କରାଯାଇଛି।