ନୂଆଦିଲ୍ଲୀ: ବର୍ତ୍ତମାନ ଚୀନରେ ଏକ ଅଜବ ଏବଂ ଆକର୍ଷଣୀୟ ଧାରା ଆରମ୍ଭ ହୋଇଛି । ସେଠାରେ ଝିଅମାନେ ଚାପରୁ ମୁକ୍ତି ପାଇବା ପାଇଁ 'ମ୍ୟାନ୍ ମମ୍ସ'ର ସାହାଯ୍ୟ ନେଉଛନ୍ତି । ଯେଉଁମାନେ ସେମାନଙ୍କୁ ଆଲିଙ୍ଗନ ପାଇଁ ଚାର୍ଜ କରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଆଲିଙ୍ଗନ ସେବାର ଏବେ ବହୁତ ଚାହିଦା ରହିଛି। ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ ଅନୁଯାୟୀ, 'ମ୍ୟାନ୍ ମମ୍ସ' ଶବ୍ଦଟି ଜିମ୍ କରୁଥିବା ମସକୁଲାର ପୁଅମାନଙ୍କ ପାଇଁ ବ୍ୟବହୃତ ହୁଏ। ଯେତେବେଳେ ଯୁବତୀମାନେ କାମର ଚାପ, ପାଠପଢ଼ାର ଭାର କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ସମସ୍ୟା ସହିତ ସଂଘର୍ଷ କରନ୍ତି, ସେମାନେ ସେଗୁଡ଼ିକୁ ଦୂର କରିବା ପାଇଁ 'ମ୍ୟାନ୍ ମମ୍ସ'ଙ୍କୁ ନିଯୁକ୍ତି ଦିଅନ୍ତି। ମ୍ୟାନ ମମ୍ସ ସେମାନଙ୍କୁ ଆଲିଙ୍ଗନ ପାଇଁ ୫୦ ୟୁଆନ୍ ( 600 ଟଙ୍କା) ନିଅନ୍ତି । ଆଲିଙ୍ଗନ ସମୟ ସାଧାରଣତଃ ୫ ମିନିଟ୍ ହୋଇଥାଏ।
ଜଣେ ଛାତ୍ରୀ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କଲା ପରେ ଏହି ଟ୍ରେଣ୍ଡ ଜୋରସୋରରେ ଚାଲିଛି । ସେ ତାଙ୍କ ଥେସିସ୍ ଚାପରେ ଏତେ ଭାଙ୍ଗି ପଡ଼ିଥିଲେ ଯେ, ସେହି ସମୟରେ କାହାକୁ ଆଲିଙ୍ଗନ କରିବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିଲେ। ଏପରିକି ସେ ନିଜ ସ୍କୁଲରେ ଜଣଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଏହା କରିବା ପରେ ତାଙ୍କୁ ବହୁତ ଭଲ ଲାଗିଥିଲା। ଛାତ୍ରୀଙ୍କ ଏହି ପୋଷ୍ଟ କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ଏହା ପରେ ଆଲିଙ୍ଗନ ମାଧ୍ୟମରେ ଚାପମୁକ୍ତ ସେବାର ଚାହିଦା ବଢ଼ିଯାଇଛି।
ରିପୋର୍ଟ ଅନୁଯାୟୀ, ମେଟ୍ରୋ ଷ୍ଟେସନ କିମ୍ବା ସପିଂ ମଲ୍ ଭଳି ସାର୍ବଜନୀନ ସ୍ଥାନରେ ଆପଣ 'ମ୍ୟାନ ମମ୍ସ ' ପାଇବେ। ଅନେକ ସମୟରେ ଝିଅମାନେ ସେମାନଙ୍କୁ ଆଲିଙ୍ଗନ କରନ୍ତି ଏବଂ ସେମାନଙ୍କ ଭାବନା ସେମାନଙ୍କ ସହିତ ବାଣ୍ଟନ୍ତି, ଯାହା ସେମାନଙ୍କର ବୋଝକୁ ହାଲୁକା କରିଥାଏ। ଝିଅମାନେ ସେମାନଙ୍କ ଶରୀର, କଥାବାର୍ତ୍ତା କରିବାର ଶୈଳୀ, ଆଚରଣ ଏବଂ ଲୁକ୍ ଆଧାରରେ 'ମ୍ୟାନ ମମ୍ସ' ବାଛନ୍ତି। ଚୁକ୍ତି ସ୍ଥିର ହେବା ପରେ, ଆଲିଙ୍ଗନର ସ୍ଥାନ ଏବଂ ସମୟ ସ୍ଥିର କରାଯାଏ ।