କଟକ,୦୩/୧୦(ସୁକେଶ ବେହେରା ଓ ଗିରିଜା ପ୍ରସାଦ ମିଶ୍ର): ୪୦ ଟପିଲେ ଶରୀର ଭିତରୁ ଯେମିତି ଫମ୍ପା ହେଇଯାଉଛି । ହାଡ଼ ଗଣି ହେଇଯାଉଛି । ଶୁଖିଲା, ଶିଠାଳିଆ ମୁହଁ ଆଖିର ଚମକ ନାହିଁ । ଦେଖିଲେ ଲାଗିବେ ଯେମିତି ୬୦ରୁ ଅଧିକ ବୟସ । କିଡ୍ନୀ ରୋଗୀ ଧୀରେଧୀରେ ଜୀବନୀ ଶକ୍ତି ଟାଣିନେଉଛି । ଯେତେବେଳେ ଶରୀରରେ ଯୌବନର ଉଦ୍ଦମତା ରହିବା କଥା, ସେତେବେଳେ ବାର୍ଦ୍ଧକ୍ୟର ତାଡ଼ନା ଦେଖିବାକୁ ମିଳୁଛି । -କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ର ଉପାନ୍ତ ଇଲାକା ମହତାବନ୍ଧ ଗାଁର ଚିତ୍ର ଇଏ । ଏହା ଏମିତି ଏକ ଅଭିଶପ୍ତ ଅଞ୍ଚଳ ଯେଉଁଠି ପିଇବା ପାଣି ଶୋଷି ନେଉଛି ଆୟୁ ।
ମାଳତୀ ପଞ୍ଚାୟତର ଗାଁ ମହତାବନ୍ଧ ପାହାଡ଼ର ପାଦଦେଶରେ ରହିଛି । ମୁଖ୍ୟରାସ୍ତାରୁ ଗାଁର ଦୂରତା ହେଲା ୧୦ କିଲୋମିଟର । ବିଲ କଡ଼ ଦେଇ ମାଙ୍କଡ଼ା ପଥର ଓ ମାଟି ରାସ୍ତା ପଡ଼ିଛି ଗାଁ ଯାଏ । ଗାଁ ଯେଉଁଠି ସରୁଛି ସେଠୁ ମାତ୍ର ୫ଶହ ମିଟର ଦୂରରେ ହାତୀ ବସତି । ତେଣୁ ପ୍ରାୟ ସମୟରେ ହାତୀ ଗାଁକୁ ଆସି ଘରଦ୍ୱାର ଭାଙ୍ଗିଦିଅନ୍ତି । ଗ୍ରାମବାସୀ କୁହନ୍ତି, ‘ଆମେ ତ ହାତୀଙ୍କ ପାଖରେ ରହିଛୁ, ସେମାନଙ୍କ ଭୁଲ୍ କ’ଣ?’ ପାଖାପାଖି ୨ ଶହ ଲୋକଙ୍କୁ ନେଇ ଏହି ଗାଁ ଘଞ୍ଚ ଜଙ୍ଗଲ ଭିତରେ ରହିଛି । ଚାଷକାମ ହେଲା ଗ୍ରାମବାସୀଙ୍କ ମୂଳ ବେଉସା । ଘରର ପୁରୁଷଙ୍କୁ ସହଯୋଗ କରିବାକୁ ମହିଳାମାନେ ପ୍ରତ୍ୟେକ ଦିନ ଜଙ୍ଗଲକୁ ଯାଆନ୍ତି । ଝୁଡ଼ିରେ ଶାଳ ପତ୍ର ତୋଳି ଆଣନ୍ତି । ଖଜୁରୀ କାଠିକୁ ଟିକିଟିକି କରି ଶାଳପତ୍ରକୁ ଯୋଡ଼ି ତିଆରି କରନ୍ତି ପତ୍ର ଥାଳି ଓ ଠୋଲା । ସେଗୁଡ଼ିକୁ ଖରାରେ ଶୁଖାଇ, ପଥରେ ତଳେ ଚାପି ରଖି ସପ୍ତାହକ ପରେ ଗାଁରୁ ମୁଖ୍ୟରାସ୍ତାକୁ ଆସନ୍ତି । ଶହେ ପତ୍ରକୁ ଶହେ ଟଙ୍କାରେ ବିକ୍ରି କରି ଫେରନ୍ତି ।
ଗାଁର ଚିତ୍ର ଦେଖିଲେ ଏହା କେତେ ଯେ ଅନୁନ୍ନତ ତାହା ସ୍ପଷ୍ଟ ବାରି ହୋଇପଡ଼େ । ପିଇବା ପାଣି ଏଠାକାର ମୁଖ୍ୟ ସମସ୍ୟା । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁଇ ବର୍ଷ ତଳୁ ମେଗା ପାନୀୟ ଜଳ ପ୍ରକଳ୍ପ ଯୋଜନାରେ ଏହି ଗାଁକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିପାଇଁ ଗାଁକୁ ପାଇପ୍ ସଂଯୋଗ ଦିଆଯାଇଛି । ଘର ଦୁଆର ମୁହଁରେ ଟ୍ୟାପ୍ ବି ଲାଗିଛି । ଗାଁ ପାଖରେ ଏକ ବିରାଟ ଓଭରହେଡ୍ ଟାଙ୍କି ବି ତିଆରି କରାଯାଇଛି । କିନ୍ତୁ ଟ୍ୟାପ୍ରେ ପାଣି ଆସେନାହିଁ ।
ଅନ୍ୟପକ୍ଷରେ, ଭଟ୍ଟାରିକା ନିକଟରୁ ମହାନଦୀରୁ ପାଣି ଉଠାଯାଇ ବଡ଼ମ୍ବାର ବିଭିନ୍ନ ପଞ୍ଚାୟତକୁ ଯୋଗାଣ କରାଯିବାକୁ ଯୋଜନା ହୋଇଥିଲା । କରଡ଼ିବନ୍ଧରେ ଏନେଇ ଏକ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ୍ ବି ହୋଇଛି । କିନ୍ତୁ ସବୁ ପରେ ବି ମହତାବନ୍ଧ ଗାଁକୁ ପାଣି ଆସୁନାହିଁ । କେବଳ ସେତିକି ନୁହେଁ, ବଡ଼ମ୍ବା-ନରସିଂହପୁରର ପିଇବା ପାଣିରେ ଆଇରନ୍ର ଭାଗ ରହୁଥିବାରୁ କିଡ୍ନୀ ରୋଗ ଏଠାକାର ମୁଖ୍ୟ ସମସ୍ୟା । ଏହି ଗାଁରେ ମଧ୍ୟ କିଡ୍ନୀ ରୋଗ ଚିନ୍ତାର କାରଣ ପାଲଟିଛି । ଗୁରୁତ୍ୱପୂର୍ଣ୍ଣ ହେଲା, ଗାଁରେ ପାଇପ୍ ପାଣି ନଥିବାରୁ ଲୋକେ ଗୋଟିଏ କୂଅ ଉପରେ ନିର୍ଭର କରୁଛନ୍ତି । ଏହି କୂଅ ପାଣି ବି ପ୍ରଦୂଷିତ ଏବଂ ଆଇରନ୍ ଭାଗ ବି ଏଥିରେ ରହିଛି । ପାଟିକୁ ଲୁହାଟିଆ ଲାଗୁଥିବା ଏହି ପାଣି ପିଇଲେ କିଡ୍ନୀ ରୋଗ ହେଉଥିବା ଜାଣି ମଧ୍ୟ ଲୋକେ ବାଧ୍ୟରେ ପିଉଛନ୍ତି । କାରଣ କୌଣସି ବିକଳ୍ପ ନାହିଁ ।
କେବଳ ପିଇବା ପାଣି ନୁହେଁ, ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ବି ଏଠାରେ ବେଶ୍ ଦୟନୀୟ । ମହତାବନ୍ଧରେ ପୂର୍ବରୁ ଏକ ପ୍ରାଥମିକ ବିଦ୍ୟାଳୟ ଥିଲା । କିନ୍ତୁ ୨୦ଜଣ ପିଲାଙ୍କ ବଦଳରେ ୧୮ଜଣ ହେବାରୁ ସ୍କୁଲ୍କୁ ବନ୍ଦ କରିଦିଆଗଲା । ଗାଁର ପାଖଆଖରେ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ବି ନାହିଁ । ଗାଁର ଅର୍ଜୁନ ଗୁରୁ(୪୦) କହନ୍ତି, ଟିକିଏ ଭଲ ପିଇବା ପାଣି ଆମେ ପାଉନୁ । ଆଇରନ୍ ପାଣି ଆମକୁ ଭିତରୁ ଫମ୍ପା କରିସାରିଲାଣି । ସେଥିପାଇଁ ପିଲାଛୁଆଙ୍କ ଜୀବନ ସୁରକ୍ଷିତ ରଖିବାକୁ ସେମାନଙ୍କୁ ଗାଁରେ ନରଖି ମାମୁଘର, ମାଉସୀଘରକୁ ପଠାଇ ଦେଉଛୁ। ସେହିପରି ଉଦ୍ଧବ ବେହେରା (୭୦) କହିଛନ୍ତି, ସ୍କୁଲ୍ ଗୋଟିଏ ଥିଲା ଯେ ତାକୁ ବି ବନ୍ଦ କରିଦିଆଗଲା । ଗାଁକୁ ଗୋଟିଏ ଭଲ ରାସ୍ତାଟିଏ ବି ହୋଇପାରିଲାନି । ରୋଗ ହେଲେ ଡାକ୍ତର ଦେଖାଇବାକୁ ଯିବାକୁ ଗାଁରୁ କେମିତି ବାହାରିବୁ ତାକୁ ନେଇ ସବୁବେଳେ ଚିନ୍ତା ଘାରୁଛି ।
ଏ ସଂପର୍କରେ ସରପଞ୍ଚ ରତ୍ନାକର ପ୍ରଧାନ କହନ୍ତି ଯେ, ଜନପ୍ରତିନିଧି ଭାବେ ଦାୟିତ୍ୱ ନେବା ପରେ ଗାଁରେ ୮ଜଣଙ୍କ ଲାଗି ଆବାସ ଯୋଜନା କରାଯାଇଛି । ପିଇବା ପାଣି ବ୍ୟବସ୍ଥା ହୋଇଥିବାବେଳେ ପାଣି ଆସୁନଥିବା ନେଇ ବ୍ଲକ୍ ପ୍ରଶାସନକୁ ଅଭିଯୋଗ କରିଛି । ମେଗା ପ୍ରକଳ୍ପ ସରିନଥିବାରୁ ପାଣି ଯୋଗାଣ ସଫଳ ହେଇପାରୁନଥିବା ସେ କହିଛନ୍ତି । ବିଡିଓ ରମେଶ କୁମାର ଜେନା କହିଛନ୍ତି, ମହତାବନ୍ଧ ଗାଁର ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଆମେ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବୁ । କେମିତି ତୁରନ୍ତ ପିଇବା ପାଣି, ରାସ୍ତା ବ୍ୟବସ୍ଥା କରାଯାଇପାରିବ ସେ ଉପରେ ଖୁବ୍ କମ୍ ଦିନରେ ପଦକ୍ଷେପ ନିଆଯିବ ।