ତିଗିରିଆ /ବାଣପୁର୧୪/୫- ତିଗିରିଆ ଥାନା ଅନ୍ତର୍ଗତ ହରିଡା ପଶି ଜଙ୍ଗଲ ଓ ଭେଜିଆ ଜଙ୍ଗଲ ରେ ଆଠଗଡ ଅବକାରୀ ବିଭାଗ, ବାଙ୍କୀ ଅବକାରୀ ଥାନା,ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ୍ ଓ ତିଗିରିଆ ଥାନା ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ୨୧୩୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ୧୮୪୮୦ ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି l ଏ ନେଇ ୬ ଗୋଟି ମାମଲା ରୁଜୁ କରା ଯାଇଛି।
ଏହି ଚଢାଉରେ ରବି ନାରାୟଣ ପ୍ରଧାନ ଅବକାରୀ ନିରୀକ୍ଷକ ଆଠଗଡ, ଶେଫାଳୀ ସାହୁ ଅବକାରୀ ଉପ ନିରୀକ୍ଷକ ଜିଲ୍ଲା ଭ୍ରାମ୍ୟମାଣ ୟୁନିଟ୍, ସୌମ୍ୟ ରଞ୍ଜନ ମାଝୀ ଅବକାରୀ ଉପ ନିରୀକ୍ଷକ ବାଙ୍କୀ, ସରୋଜ କୁମାର ସାହୁ ସହଉପ ନିରୀକ୍ଷକ ଆଠଗଡ, ସମରେନ୍ଦ୍ର ପାଇକରାୟ ନିରୀକ୍ଷକ ତିଗିରିଆ ଥାନା, ଏ.ପି.ଆର ଫୋର୍ସ ଓ ସମସ୍ତ ଅବକାରୀ ସହକର୍ମୀ ସାମିଲ ହୋଇଥିଲେ l
ସେହିପରି ବୁଧବାରେ ଅବକାରୀ ବିଭାଗ ପକ୍ଷରୁ ବାଣପୁର ଓ ନାଚୁଣୀ ଅଞ୍ଚଳରେ ଚଢାଉ କରାଯାଇ ୧୪୯ ଲିଟର ଦେଶୀ ମଦ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯିବା ସହ ତିନି ଜଣଙ୍କୁ ଗିରଫ କରାଯାଇଛି ।
ବାଣପୁର ଥାନା ବୀର କେଶପୁର ଗ୍ରାମର କାହ୍ନୁ ପ୍ରଧାନ ମୋଟର ସାଇକେଲ ଯୋଗେ ବେଆଇନ ଭାବେ ମଦ ଚାଲାଣ କରୁଥିବା ବେଳେ ଅବକାରୀ ଅଧିକାରୀଙ୍କ ହାବୁଡରେ ପଡିଥିଲେ । ଅନ୍ୟ ପକ୍ଷରେ ଅବକାରୀ ଟିମ୍ ନିକଟସ୍ଥ ଝିଣ୍ଟିକାପଲ୍ଳୀ ଏବଂ ନାଚୁଣୀ ଥାନା ଲୋକିପୁର ରେ ଚଢାଉ କରି ଦାମୋଦର ପରିଡା ଓ ରାମଚନ୍ଦ୍ର ବେହେରାଙ୍କୁ ଗିରଫ କରିଥିବା ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲି ସୂଚନା ଦେଇଛନ୍ତି।
ଏ’ନେଇ ବିଭାଗ ପକ୍ଷରୁ ୩ଟି ମକଦ୍ଦମା ରୁଜୁ କରାଯାଇ ସମସ୍ତଙ୍କୁ ଅଦାଲତ ଚାଲାଣ କରାଯାଇଛି। ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ସମେତ ସୁନିତା ମହାରଣା, ଆଶିଷ ପ୍ରଧାନ, ରଞ୍ଜିତ ପଟେଲ, ସଞ୍ଜୟ ସୁବୁଦ୍ଧି ଓ କାଳୁ ପ୍ରଧାନ ପ୍ରମୁଖ ଚଢାଉରେ ସାମିଲ ଥିଲେ ।