ଭୁବନେଶ୍ୱର, ୨୮/୧୨ : ପଶ୍ଚିମା ଝଡ଼ (ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ) ପ୍ରଭାବରେ ଶନିବାର ଓ ରବିବାର ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇପାରେ । ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଶନିବାର ବରଗଡ଼, ବଲାଙ୍ଗିର, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁରରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ । ସେହିପରି ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡିର ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହେବାର ଆଶଙ୍କା ରହିଛି । ଏହାବାଦ୍ ଅନ୍ୟ ସବୁଠି ପାଗ ଶୁଖିଲା ରହିବାର ଅନୁମାନ କରାଯାଉଛି ।
ଭୁବନେଶ୍ୱର ପାଣିପାଗ କେନ୍ଦ୍ର ମୁଖ୍ୟ ଡ.ମନୋରମା ମହାନ୍ତିଙ୍କ କହିବାନୁସାରେ, ଉପକୂଳ ଓ ଏହା ସଂଲଗ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ତେଣୁ ପାଗ ଖରାଟିଆ ରହିବାର ସମ୍ଭାବନା ଅଛି । କାଁ ଭାଁ ଆଂଶିକ ମେଘୁଆ ରହିପାରେ । ୩୦ ତାରିଖବେଳକୁ ରାଜ୍ୟରେ ରାତି ତାପମାତ୍ରା କମିବା ସହ ଶୀତ ବଢ଼ିବ । ନୂଆବର୍ଷବେଳକୁ ରାଜ୍ୟରେ ଶୀତ ପ୍ରକୋପ ଅଧିକ ହେବାର ସମ୍ଭାବନା ରହିଛି ।
ଆସନ୍ତା ୨ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତା’ ପରବର୍ତ୍ତୀ ୨ ଦିନ ଭିତରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ କମିପାରେ । ଶନିବାର ସକାଳେ କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନବରଙ୍ଗପୁରରେ ଘନ କୁହୁଡ଼ି ନେଇ ସତର୍କ ସୂଚନା ଜାରି ହୋଇଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝରରେ ମଧ୍ୟମ ଧରଣର କୁହୁଡ଼ି ରହିପାରେ । ଶୁକ୍ରବାର ରାଜ୍ୟ ତମାମ ପାଗ ଶୁଖିଲା ଥିଲା । ପ୍ରାୟତଃ ପାଗ ଖରାଟିଆ ବା ଆଂଶିକ ମେଘୁଆ ଥିଲା । ୮ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀରୁ କମ୍ ଥିଲା । କୋରାପୁଟ ତାପମାତ୍ରା ୧୩.୮, କେନ୍ଦ୍ରାପଡ଼ା ୧୪.୨, ଜଗତସିଂହପୁର ୧୪.୨, ନୂଆପଡ଼ା ୧୪.୪, ଦାରିଙ୍ଗବାଡ଼ି ୧୪.୫, ଫୁଲବାଣୀ ୧୪.୫ ଓ ଅନୁଗୁଳ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ୍ ଥିଲା । ତେବେ ଭୁବନେଶ୍ୱର ତାପମାତ୍ରା ୧୬.୬ ଓ କଟକ ୧୫.୬ ଡିଗ୍ରି ସେଲସିୟସ୍ ଥିଲା । ଅନୁମାନ କରାଯାଉଛି, ୩୧ ତାରିଖ ବେଳକୁ ଭୁବନେଶ୍ୱରର ରାତି ତାପମାତ୍ରା ୧୫ ଓ କଟକର ୧୪ ଡିଗ୍ରୀ ସେଲସିୟସ୍ ରହିପାରେ ।