ଅଗ୍ନିଶମ ବାହିନୀରେ ସାମିଲ ହେବେ ଡଗ୍ ସ୍କ୍ବାର୍ଡ, ମାଟି ତଳେ ଫଶିଥିବା ଲୋକଙ୍କୁ କରିବ ଠାବ

Published By : Prameya | December 28, 2024 10:23 PM

ଭୁବନେଶ୍ବର, ୨୮।୧୨ : ଅଗ୍ନିଶମ ବାହିନୀରେ ସାମିଲ ହେବେ ଡଗ ସ୍କ୍ବାର୍ଡ । ସେଥିପାଇଁ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ପ୍ରାକୃତିକ ବିପର୍ଯ୍ୟୟ  ସମୟରେ ମାଟିତଳେ ଲୋକ ଫଶି ରହିଥିଲେ ସେମାନଙ୍କୁ ଠାବ କରିବେ ଏହି କୁକୁରମାନେ ।  ରାଜସ୍ଥାନରୁ ଆସିଥିବା ଦୁଇଟି ପ୍ରଜାତିର କୁକୁରଙ୍କୁ ଏଥିପାଇଁ ପୁରା ପ୍ରଶିକ୍ଷଣ ଦିଆଯାଇଛି । 

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାଟି ତଳେ ଫଶି ରହିଥିବା ଲୋକମାନଙ୍କୁ ଠାବ କରିବା ପାଇଁ ଅଗ୍ନିଶମ ବାହିନୀରେ ସାମିଲ ହୋଇଛନ୍ତି ୧୦ ଟି କୁକୁର । ଏମାନଙ୍କୁ ପୋଲିସ ଟ୍ରେନିଙ୍ଗ ସହିତ କିଭଳି ମାଟି କିମ୍ବା ଘର ତଳେ ଚାପି ହୋଇ ରହିଥିବା ଲୋକମାନଙ୍କୁ ଠାବ କରାଯାଇ ପାରିବ ସେଥିପାଇଁ ସମ୍ପୂର୍ଣ୍ଣ ତାଲିମ ଦିଆଯାଇଛି । ଏହା ସହିତ ବସିବା,ଉଠିବା ,ସ୍ୟାଲୁଟ ମାରିବା  ଓ ଅନ୍ୟାନ୍ୟ ତାଲିମ ପାଇଛନ୍ତି ଏହି କୁକୁରମାନେ । 

ଏହି କୁକୁରମାନଙ୍କୁ ଦୁଇ ମାସ ବୟସ ହୋଇଥିବା ବେଳେ ରାଜସ୍ଥାନରୁ ଏଠାକୁ ଅଣାଯାଇଥିଲା । ଏବେ ଏହି କୁକୁରମାନଙ୍କ ବୟସ ଦେଢ ବର୍ଷ ହେବ । ଦୁଇଟି ପ୍ରଜାତିର କୁକୁରମାନଙ୍କ ମଧ୍ୟରେ ରହିଛନ୍ତି ତିନୋଟି ବେଞ୍ଜିନ ବେନାଲାଇଜ ପ୍ରଜାତିର ଓ ୭ଟି ଲାବ୍ରେଡର ପ୍ରଜାତିର । ଏମାନଙ୍କର ପ୍ରଶିକ୍ଷଣ ଶେଷ ହେବାକୁ ଆହୁରି ୪ ସପ୍ତାହ ଲାଗିବ । ତାଲିମ ଶେଷ ହେବା ପରେ ରାଜ୍ୟର ୧୦ ଗୋଟି ଜିଲ୍ଲାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟକୁ ଏହି କୁକୁରମାନଙ୍କୁ ପଠାଯିବ । 

ଯଦି ଏହି କୁକୁରମାନେ ରାଜ୍ୟରେ ଭଲ ପ୍ରଦର୍ଶନ କରିବେ ତେବେ ଏମାନଙ୍କୁ ପୋଲିସର ରାଙ୍କ ପ୍ରଦାନ କରାଯିବ । ଏହା ପରେ  ରାଜ୍ୟରେ ଥିବା ପ୍ରତି ଅଗ୍ନିଶମ କାର୍ଯ୍ୟାଳୟକୁ ଏଭଳି ପ୍ରଶିକ୍ଷଣ କୁକୁରମାନଙ୍କୁ ପଠାଯିବାର ବ୍ୟବସ୍ଥା କରାଯିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.