ପୁରୀ,୨୯/୧୨: ପୁରୀ ସ୍ୱର୍ଗଦ୍ୱାରରେ ଶବ ପାଉଛି ଯନ୍ତ୍ରଣା । ପିଣ୍ଡି ଅଭାବ ସମସ୍ୟା ଏବେ ଶବ ଯନ୍ତ୍ରଣାର ମୁଖ୍ୟ କାରଣ ହୋଇଛି । ଫଳରେ ପରିସ୍ଥିତି ଏପରି ହୋଇଛି ଯେ, ଶବ ପୂରା ପୋଡ଼ି ପାଉଁଶ ହେବା ପୂର୍ବରୁ ପାଣି ପକାଇ ଲିଭାଇ ଦିଆଯାଉଛି । ଅପୋଡ଼ା ରହୁଥିବା ଶରୀର ବିଭିନ୍ନ ଅଂଶ ଓ ହାଡ଼ ପ୍ରଭୃତିକୁ ଯଥା ସମ୍ଭବ ଶୀଘ୍ର ସଫା କରି ଏହି ସ୍ଥାନରେ ନୂଆ ଜୁଇ ଜଳୁଛି । ଶବ ସଂଖ୍ୟା ପ୍ରତିଦିନ ବଢ଼ୁଥିବାରୁ ସୀମିତ ସଂଖ୍ୟକ ୨୪ଟି ପିଣ୍ଡିରେ ଦାହ ସଂସ୍କାର କରିବା ସମସ୍ୟା ହେଉଛି । ସନ୍ଧ୍ୟା ପରେ ଶବ ସଂଖ୍ୟା ବଢ଼ୁଛି । ଏହା ସ୍ୱର୍ଗଦ୍ୱାର ଶବ ରଖିବା ସ୍ଥାନ ପୂରଣ ହେବା ପରେ ଲୋକଙ୍କ ପ୍ରତୀକ୍ଷା ସ୍ଥଳ ଓ ଶେଷରେ ରାସ୍ତାରେ ପଡ଼ି ରହୁଛି । ସ୍ଥାନାଭାବରୁ ଶବବୁହା ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଅପେକ୍ଷା କରୁଛି । ପିଣ୍ଡିରେ ଶବ ଥୋଇ ପୋଡ଼ିବା ନିମନ୍ତେ ଆବଶ୍ୟକ ସାଇଜ୍ କାଠ ଗଣ୍ଡା ମିଳୁନଥିବା ଅଭିଯୋଗ ହେଉଛି ।ସେହିପରି ସ୍ୱର୍ଗଦ୍ୱାର ଶବ ପୋଡ଼ିବାରେ ଶୋଷଣ ସୀମା ଟପିଲାଣି । ବ୍ରାହ୍ମଣ ଓ ପୋଡ଼ାଳି ସରକାରଙ୍କଠାରୁ ପ୍ରର୍ଯ୍ୟାପ୍ତ ପ୍ରାପ୍ୟ ନେଉଥିଲେ ହେଁ ଶବ ପୋଡ଼ିବା ନିମନ୍ତେ ଆସୁଥିବା ପରିଜନଙ୍କଠାରୁ ଦକ୍ଷିଣା ଓ ପାଉଣା ଦାବି କରି ଶୋଷଣ କରୁଛନ୍ତି ।
ସ୍ୱର୍ଗଦ୍ୱାରକୁ ଆବଶ୍ୟକ ପରିମାଣର ଶୁଖିଲା ଓ ସାଇଜ୍ କାଠ ମିଳୁନଥିବା ବେଳେ ପ୍ରଶାସନ ପକ୍ଷରୁ ଶବ ପୋଡ଼ିବା ନିମନ୍ତେ ଦେଢ଼ କୁଇଣ୍ଟାଲ ସ୍ଥାନରେ ୧.୮୦ କୁଇଣ୍ଟାଲ କାଠ ଦିଆଯାଉଛି । ଦୂରଦୂରାନ୍ତରୁ ପ୍ରଚୁର ଟଙ୍କା ଦେଇ ଗାଡି ଭଡ଼ା କରି ସ୍ୱର୍ଗଦ୍ୱାରକୁ ଶବ ନେଇ ପହଞ୍ଚୁଥିବା ଲୋକଙ୍କ ମଧ୍ୟରୁ ଅନେକ ହରିଶ୍ଚନ୍ଦ୍ର ଯୋଜନାର ସୁବିଧା ନେଉଛନ୍ତି । ଏହି ଯୋଜନାରେ ସରକାର ଶବ ପୋଡ଼ିବା ନିମନ୍ତେ ୪ ହଜାର ଟଙ୍କା ଦେଉଛନ୍ତି । ତେଣୁ ଲୋକଙ୍କ ପକେଟକୁ ଏହା ବେଶ ସୁହାଉଛି । ତେଣୁ ଦୂରଦୂରାନ୍ତ ଜିଲ୍ଲାରୁ ମଧ୍ୟ ପରିଜନମାନେ ଶବକୁ ନିଜ ଗାଁ ଶ୍ମଶାନରେ ଦାହ କରି ଦହଗଞ୍ଜ ହେବା ଅପେକ୍ଷା ପୁରୀ ସ୍ୱର୍ଗଦ୍ୱାରକୁ ଠିକ୍ ମନେ କରୁଛନ୍ତି । ଫଳରେ ସ୍ୱର୍ଗଦ୍ୱାରରେ ଶବ ସଂଖ୍ୟା ବଢ଼ିବାରେ ଲାଗିଛି ଓ ମାତ୍ର ୨୪ଟି ପିଣ୍ଡିରେ ଦାହ ସଂସ୍କାର ସମସ୍ୟା ଦେଖାଦେଇଛି । ଏନେଇ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତି ସମ୍ପାଦକ କହିଛନ୍ତି, ଅବ୍ୟବସ୍ଥାକୁ ସୁଧାରିବାକୁ ପ୍ରଶାସନିକ ସ୍ତରରେ ବୈଠକ ହୋଇଛି । ସ୍ୱର୍ଗଦ୍ୱାର ଯାଇ ସ୍ଥିତିକୁ ମଧ୍ୟ ନିରୀକ୍ଷଣ କରାଯାଇଛି । ଖୁବ୍ଶୀଘ୍ର ଏଠାରେ ଉନ୍ନତମାନର ସେବା ସମସ୍ତଙ୍କୁ ମିଳିବ ।