୩ ହାର୍ଡକୋର ମହିଳା ମାଓବାଦୀ ଗିରଫ

Published By : Prameya | December 28, 2024 8:30 PM

ମାଲକାନଗିରି, ୨୮/୧୨ (ଆପ୍ର ) : ୮ଲକ୍ଷ ପୁରସ୍କାର ଘୋଷିତ ୩ ହାର୍ଡକୋର ମହିଳା ମାଓବାଦୀଙ୍କୁ  ମାଲକାନଗିରି ପୋଲିସ ଗିରଫ  କରିଛି। ଗିରଫ ତିନି ଜଣ ହେଲେ ଚନ୍ଦ୍ରମା ଖିଲ ଓରଫ ସ୍ୱପ୍ନା, କମଳା ଖିଲ ଓରଫ ବବିତା ଓ ସୁନିତା ଖିଲ । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡାମ୍ବ ଥାନାସ୍ଥ ଧାକଡ଼ପଦର ଗ୍ରାମରେ ଏମାନଙ୍କ ଘର ।

 ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ଗୁଣ୍ଠାୱାର୍ଡ ଜଙ୍ଗଲରେ କିଛି ମାଓବାଦୀ ଗୁପ୍ତ ବୈଠକ କରୁଥିବାର ପୁଲିସ ଗୋଇନ୍ଦା ବିଭାଗ ସୂତ୍ର ରୁ ସୂଚନା ପାଇଥିଲା। ମାଲକାନଗିରି ଏସପି ବିବେକା ନନ୍ଦ ଶର୍ମା ଙ୍କ ନିର୍ଦ୍ଦେଶ କ୍ରମେ ଏସଓଜି, ଡିଭିଏଫ ଯବାନ ଓ ଚିତ୍ରକୋଣ୍ଡା ଥାନା ପୁଲିସ ପକ୍ଷରୁ ମିଳିତ ଭାବେ ଗୁଣ୍ଠାୱାର୍ଡ ଜଙ୍ଗଲରେ ଶୁକ୍ରବାର ଚଢ଼ାଉ କରିଥିଲେ।  ପୁଲିସଙ୍କୁ ଦେଖି ବୈଠକରେ ଥିବା କିଛି ମାଓବାଦୀ ମାନେ ଛତ୍ର ଭଙ୍ଗ ଦେଇ ପଳାଇ ଥିବା ବେଳେ ୩ଜଣ ମହିଳା ମାଓବାଦୀଙ୍କୁ ପୁଲିସ କାବୁ କରି ନେଇଥିଲେ। ଥାନାକୁ ନେଇ ଗିରଫ ତିନିଜଣ ଙ୍କୁ ପଚରା ଉଚରା କରିବାରୁ ସେମାନେ ମାଓବାଦୀ ସଙ୍ଗଠନ ର ସକ୍ରିସଦସ୍ୟ ବୋଲି ଜଣା ପଡିଛି। ଏହି ତିନିଜଣଙ୍କ ନାମରେ ଓଡିଶା, ଛତିଶଗଡ଼ ର ବିଭିନ୍ନ ଥାନାରେ ପୁଲିସ ଉପରେ ଆକ୍ରମଣ ଓ ଗୁଳିବିନିମୟ ଘଟଣା ସହିତ ମାଓହିଂସା କାଣ୍ଡର କେସ ରହିଛି। 

ମାଓନେତ୍ରୀ ସ୍ୱପ୍ନା ଗତ ୨୦୧୮ମସିହାରେ ମାଓବାଦୀ ସଂଗଠନରେ ଯୋଗଦେଇ ଆନ୍ଧ୍ର ଓଡ଼ିଶା ବୋର୍ଡର ଜୋନାଲ କମିଟି ଗୁମ୍ମା ଅଞ୍ଚଳ ର ମାଓବାଦୀ ମିଲିଟାରୀ ପ୍ଲାଟୁନର ମହିଳା ନେତ୍ରୀ ଭାବେ କାମ କରୁଥିଲା। ସ୍ୱପ୍ନା ମୁଣ୍ଡରେ ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା।ମାଓବାଦୀ ନେତ୍ରୀ ବବିତା ୨୦୨୧ ରେ ମାଓବାଦୀ ସଂଗଠନ ରେ  ଯୋଗ ଦେଇ ଦୁର୍ଦ୍ଦାନ୍ତ ମାଓବାଦୀ ଉଦୟ ଟିମରେ ପାର୍ଟି ମେମ୍ବର ଭାବେ କାମ କରୁଥିଲା। ତା’ ମୁଣ୍ଡ ଉପରେ ୨ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରା ଯାଉଥିଲା। ମାଓନେତ୍ରୀ ସୁନିତା ୨୦୨୧ ମସିହା ରେ ମାଓବାଦୀ ସଂଗଠନ ରେ ଯୋଗଦେଇ ଆନ୍ଧ୍ର ଓଡିଶା ଛତିଶଗଡ଼ ବୋର୍ଡ ର ଜୋନାଲ କମିଟି ଦୁର୍ଦ୍ଦାନ୍ତ ମାଓବାଦୀ ଉଦୟ ଟିମରେ କାମ କରୁଥିଲା।

ଶନିବାର ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଏସମ୍ପର୍କ ରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ଓ ମାଲକାନଗିରି ଏସପି ବିବେକା ନନ୍ଦ ଶର୍ମା ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଏସପି ତପନ ନାରାୟଣ ରଥ, ଏଏସପି ରାଜକିଶୋର ଦାଶ ଓ ଏସଡିପିଓ ସଚିନ ପଟେଲ ଉପସ୍ଥିତ ରହିଥିଲେ।  ଗିରଫ ୩ ମହିଳା ମାଓବାଦୀଙ୍କୁ  କୋର୍ଟ ଚାଲାଣ କରାଯାଇଥିବା ଡିଆଇଜି ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.