ଖପ୍ରାଖୋଲ,୧୧/୫ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ତୀର୍ଥ କ୍ଷେତ୍ର ହରିଶଙ୍କରଠାରେ ନୃସିଂହ ଚତୁର୍ଦ୍ଦଶୀ ମେଳା ଅନୁଷ୍ଠିତ ହେଉଅଛି । ମେଳା ଆଜି ଚତୁର୍ଥ ଦିନରେ ପହଞ୍ଚିଛି । ତେଣୁ ଗଙ୍ଗା ରୂପି ପବିତ୍ର ଝରଣା ପାଣିରେ ଶ୍ରଦ୍ଧାଳୁ ଓ ମାନସିକ ଧାରିମାନେ ଚତୁର୍ଦ୍ଦଶୀ ବୁଡ଼ ପକାଇ ପୁଣ୍ଣ୍ୟ ଅର୍ଜନ ସହ ବିଭିନ୍ନ ରୋଗ ଦାଉରୁ ମୁକ୍ତି ମିଳିଥାଏ ବୋଲି ପୁରାତନ ଯୁଗରୁ ବିଶ୍ୱାସ ରହିଛି । ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଶ୍ରଦ୍ଧାଳୁମାନେ ମେଳାରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି । ଏହାସହ ଗଙ୍ଗା ରୂପି ପାପନାଶିନୀ ଝରଣା ପାଣିରେ ପ୍ରଭୁ ହରି ଓ ଶଙ୍କରଙ୍କ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ରହି ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ଵେ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି ।
ଅନ୍ୟପଟେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି କୁଲୁତ ସମାଜ, ଭୁଲିଆ ସମାଜ, କୁମ୍ଭାର ସମାଜର ସଦସ୍ୟମାନେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ମାଗଣା ଅର୍ଣ୍ଣ ସେବା ଯୋଗାଇ ଦେଉଥିବା ଜଣାପଡିଛି । ପୁଣି ସତ୍ୟସାଇ ସେବା ଅନୁଷ୍ଠାନ ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ଜଳ ଯୋଗାଣ, ଦହି ପାଣି, ସର୍ବତ ପାଣି ମେଳାକୁ ଆସିଥିବା ଲୋକଙ୍କ ପାଇଁ ଯୋଗାଇ ଦେଉଥିବା ଦେଖିବାକୁ ମିଳୁଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଝରଣା ପାଣିରେ ଭକ୍ତ ବୁଡ଼ ପକାଇବା ଆବଶ୍ୟକ ବ୍ୟବସ୍ଥା ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ପୁଣି ପ୍ରଭୁ ହରି ଶଙ୍କରଙ୍କ ଦର୍ଶନ କରୁଥିବା ଭକ୍ତଙ୍କ ପାଇଁ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ଆବଶ୍ୟକ ଛାଉଣୀ ଓ ତଳେ ମେଟ୍ ବ୍ୟବସ୍ଥା କରାଯାଇନଥିବାରୁ ଭକ୍ତମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ପ୍ରଭୁଙ୍କ ଦର୍ଶନ କରିବାରୁ ଅନେକ ଭକ୍ତ ବଞ୍ଚିତ ରହୁଥିବା ଅଭିଯୋଗ ଉଠୁଛି । ତେଣୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।